ଜୟପୁର: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ମଜାଦାର ହେବାକୁ ଯାଉଛି । ୪ଟି ଆସନରେ ସଂପର୍କୀୟଙ୍କ ମଧ୍ୟରେ କ୍ଲୋଜ୍ ଫାଇଟ୍ ଦେଖିବାକୁ ମିଳିବ । କେଉଁଠି ସ୍ବାମୀ ଆଉ ସ୍ତ୍ରୀଙ୍କ ମଧ୍ୟରେ ଲଢ଼େଇ ହେବ ତ ଆଉ କେଉଁ ଆସନରେ ଦାଦା-ଝିଆରୀ ମୁହାଁମୁହିଁ ହେବେ । ଦାନ୍ତା ରାମଗଡ଼ ଆସନରୁ ଜନନାୟକ ଜନତା ପାର୍ଟିରୁ ଛିଡ଼ା ହୋଇଛନ୍ତି ରୀତା ଚୌଧୁରୀ । ସେ ନିଜ ସ୍ବାମୀ ତଥା ବର୍ତ୍ତମାନର ବିଧାୟକ ବୀରେନ୍ଦ୍ର ଚୌଧୁରୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ । ବୀରେନ୍ଦ୍ର ଚୌଧୁରୀ କଂଗ୍ରେସ ଟିକେଟରୁ ମୈଦାନକୁ ଓହ୍ଲାଇବେ ।
ମହୁଆଙ୍କୁ ମମତାଙ୍କ ଉପହାର, ଟିଏମ୍ସି ପକ୍ଷରୁ ଦିଆଗଲା ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ
୨୦୧୮ ବିଧାନସଭା ନିର୍ବାଚନରେ ପୂର୍ବତନ ପ୍ରଦେଶ କଂଗ୍ରେସ ମୁଖ୍ୟ ନାରାୟଣ ସିଂହଙ୍କ ପୁଅ ବୀରେନ୍ଦ୍ର ଚୌଧୁରୀ ବିଜେପିର ପ୍ରତିଦ୍ବନ୍ଦୀଙ୍କୁ ୯୨୦ ଭୋଟରେ ପରାସ୍ତ କରିଥିଲେ । ସେପଟେ ରୀତା ଚୌଧୁରୀ ସ୍ବାମୀଙ୍କୁ ହରାଇବା ଲାଗି ଏଥର ମହିଳା ସଶକ୍ତିକରଣ ଏବଂ ପିଇବା ପାଣିକୁ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି କହିଛନ୍ତି । ରୀତାଙ୍କ ପରିବାର କଂଗ୍ରେସ ସହ ଜଡ଼ିତ । ହେଲେ ୨୦୨୩ ଅଗଷ୍ଟରେ ରୀତା ଦୁଶ୍ୟନ୍ତ ଚୌତାଲାଙ୍କ ଜେଜେପି ପାର୍ଟିରେ ଯୋଗଦାନ କରିବା ସହ ପ୍ରଦେଶ ମହିଳା ଓ୍ବିଙ୍ଗର ସଭପତି ଅଛନ୍ତି ।
୨୦୧୮ରେ କଂଗ୍ରେସ ଟିକେଟରେ ଲଢ଼ିବେ ବୋଲି ରୀତା ଚୌଧୁରୀ ଆଶା କରିଥିଲେ । ହେଲେ କଂଗ୍ରେସ ତାଙ୍କ ସ୍ବାମୀ ବୀରେନ୍ଦ୍ରଙ୍କୁ ବାଛିଥିଲା । ଏହା ପରେ ରୀତା ନିଜର ଏକ ପରିଚୟ ତିଆରି କରିବାକୁ ଯାଇ ଜେଜେପିରେ ସାମିଲ ହୋଇଥିଲେ । ସେପଟେ ଲୋକମାନଙ୍କ ଗହଣକୁ ଆସିବା ପରେ ନିର୍ବାଚନ ଜିତିବା ନିଶ୍ଚିତ ବୋଲି ରୀତା ଭାବୁଛନ୍ତି ।
ଅନ୍ୟପଟେ ଢୋଲପୁର ବିଧାନସଭା ଆସନରେ ଲଢ଼େଇ ରୋଚକପୂର୍ଣ୍ଣ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ବଡ଼ ଟ୍ବିଷ୍ଟ ଦେଖିବାକୁ ମିଳିଛି । ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀ ଦଳବଦଳ କରିଛନ୍ତି । ୨୦୧୮ ବିଧାନସଭା ନିର୍ବାଚନରେ ଶୋଭାରାଣୀ କୁଶଓ୍ବା ବିଜେପି ଟିକେଟରୁ ଲଢ଼ି ନିଜ ଭିଣୋଇ ଶିବଚରଣ କୁଶଓ୍ବାଙ୍କୁ ପରାସ୍ତ କରିଥିଲେ । ହେଲେ ଗତବର୍ଷ ରାଜ୍ୟସଭାରେ କ୍ରସ ଭୋଟିଂ ଯୋଗୁ ତାଙ୍କୁ ବିଜେପି ବହିଷ୍କାର କରିଥିଲା । ପରେ ସେ କଂଗ୍ରେସରେ ଯୋଗ ଦେବା ସହ ଢ଼ୋଲପୁର ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଆଉ ଏବେ ତାଙ୍କ ଭିଣୋଇ ଶିବଚରଣ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ସଂପର୍କୀୟଙ୍କ ଲଢ଼େଇକୁ ଶୋଭାରାଣୀ କହିଛନ୍ତି ଯେ, ସଂପର୍କ ନିଜ ବାଟରେ ଯିବ । ହେଲେ ନିର୍ବାଚନ ସମୟରେ ଲଢ଼େଇ ଜୋରଦାର । ନିର୍ବାଚନ ସମୟରେ ଆମେ ଦଳୀୟ ପ୍ରାର୍ଥୀ, ଶାଳୀ-ଭିଣୋଇ ନୁହେଁ ବୋଲି ସେ କହିଛନ୍ତି ।
ସେହିଭଳି ପୂର୍ବତନ କଂଗ୍ରେସ ସାଂସଦ ଜ୍ୟୋତି ମିର୍ଦ୍ଧା ନିଜ ଦାଦାଙ୍କ ବିରୋଧରେ ନାଗୌର ଆସନରୁ ନିର୍ବାଚନ ଲଢ଼ିବେ। ସେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାକୁ ଥିବା ବେଳେ ତାଙ୍କ ଦାଦା ହରେନ୍ଦ୍ର ମିର୍ଦ୍ଧା କଂଗ୍ରେସ ଟିକେଟରେ ମୈଦାନକୁ ଓହ୍ଲାଇବେ । ୨୦୧୮ରେ ଏହି ଆସନରୁ ବିଜେପିର ମୋହନ ରାମ ଚୌଧୁରୀ ବିଜୟୀ ହୋଇଥିଲେ । ସେ କଂଗ୍ରେସର ହବିବୁର ରେହମାନଙ୍କୁ ୧୩ ହଜାର ଭୋଟରେ ପରାସ୍ତ କରିଥିଲେ ।
ଅନ୍ୟପଟେ ଖେତ୍ରି ଆସନରୁ ବିଜେପି ଟିକେଟରୁ ଲଢ଼ିବେ ଧରମପାଲ ଗୁର୍ଜାର । ସେ ନିଜ ଭାଇଙ୍କ ଜିଅ ମନୀଷା ଗୁର୍ଜାରଙ୍କ ବିରୋଧରେ ମୈଦାନକୁ ଓହ୍ଲାଇବେ । ମନୀଷା ବିଜେପି ବିରୋଧରେ ବିଦ୍ରୋହ ଘୋଷଣା କରିବା ସହ କଂଗ୍ରେସରେ ଯୋଗ ଦେଇଥିଲେ । ଏବେ ସେ କଂଗ୍ରେସ ଟିକେଟରୁ ହିଁ ଖେତ୍ରି ଆସନରୁ ନିର୍ବାଚନ ଲଢ଼ିବେ। ତେବେ ନଭେମ୍ବର ୨୫ରେ ହେବାକୁ ଥିବା ନିର୍ବାଚନରେ ୧୮୭୫ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରିବେ । ସେଥିମଧ୍ୟରୁ ୧୮୩ ମହିଳା ପ୍ରାର୍ଥୀ ଥିବା ବେଳେ ୧୬୯୨ ଜଣ ପୁରୁଷ ପ୍ରାର୍ଥୀ ଅଛନ୍ତି । ଡିସେମ୍ବର ୩ରେ ରାଜସ୍ଥାନ ନିର୍ବାଚନ ଫଳାଫଳ ଘୋଷଣା ହେବ ।
ଆମେରିକାରେ ପଢ଼ୁଛନ୍ତି ସବୁଠୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ, ଚୀନ୍କୁ ଟପିଲା ଗ୍ରାଜୁଏଟଙ୍କ ସଂଖ୍ୟା