ଭୁବନେଶ୍ବର, ୦୪/୧୧ : ନବୀନ ଓଡ଼ିଶା ଓ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଆଜି ବଡ଼ିଭୋର ସାଢେ ୪ଟାରେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ୨୦୨୩ ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡ଼ିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ। ପୁନରୁଦ୍ଧାର ସମୟରେ ମଠ ଗୁଡ଼ିକର ଇତିହାସ ଓ ପରମ୍ପରାକୁ ଗୁରୁତ୍ଵ ଦେଇ ସମସ୍ତ ଭାଗୀଦାରମାନଙ୍କ ସହଯୋଗରେ କାମ କରିବାକୁ ପାଣ୍ଡିଆନ ପରାମର୍ଶ ଦେଇଥିଲେ। ପରିକ୍ରମା ପ୍ରକଳ୍ପ କାମରେ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ। ଏତବ୍ୟତୀତ ମେଘନାଦ ପାଚେରୀ ନିକଟରେ ମନ୍ଦିରର କ୍ଷୁଦ୍ର ପ୍ରତିକୃତି ନିର୍ମାଣ କରିବା ପାଇଁ ମଧ୍ଯ ସେ ପରାମର୍ଶ ଦେଇଥିଲେ।
ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଯାତ୍ରୀମାନେ ଯେପରି ସ୍ବଚ୍ଛନ୍ଦରେ ମନ୍ଦିରରେ ପହଞ୍ଚି ପାରିବେ ସେଥିପାଇଁ ମନ୍ଦିର ସଂଯୁକ୍ତ ରାସ୍ତାକୁ ଅବରୋଧ ମୁକ୍ତ ରଖିବା ପାଇଁ ସେ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ଲୋକ ତଥା ସେବାୟତମାନଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡିର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ସେ କହିଥିଲେ। ଏତଦବ୍ୟତୀତ ପରିକ୍ରମା ପ୍ରକଳ୍ପର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ।
ଜଗନ୍ନାଥ ବଲ୍ଳଭ ପାର୍କିଂ କାମ ସହ ଯାତ୍ରୀମାନଙ୍କ ପାଇଁ ସେଠାରେ କରାଯାଉଥିବା ବିଭିନ୍ନ ସୁବିଧାର ବିକାଶ, ପ୍ରମୋଦ ଉଦ୍ୟାନ, ଓ ଶ୍ରୀସେତୁ କାମର ଅଗ୍ରଗତି ମଧ୍ଯ ପାଣ୍ଡିଆନ୍ ସମୀକ୍ଷା କରିଥିଲେ ଓ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଅଧିକ ଲୋକ ନିୟୋଜିତ କରିବା ପାଇଁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ବିଧାୟକ ପ୍ରଣବ ପ୍ରକାଶ ଦାସ, ପୁରୀ ଜିଲ୍ଲାପାଳ, SP OBCC MD ଏବଂ ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ।