ଅହମ୍ମଦାବାଦ,୧୮/୧୧: ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍ ଫାଇନାଲ୍ ଲଢ଼େଇ ଦେଖିବା ପାଇଁ ବିଶ୍ୱ କ୍ରିକେଟ୍ପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଶୁକ୍ରବାର ଆଇସିସି ପକ୍ଷରୁ ମ୍ୟାଚ୍ ଅଫିସିଆଲ୍ଙ୍କ ନାମ ଘୋଷଣା ହେବା ପରେ ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଛନକା ପଶି ଯାଇଛି । ଏହା ପଛର କାରଣ ହେଉଛି ଇଂଲଣ୍ଡ ଅମ୍ପାୟାର ରିଚାର୍ଡ଼ କେଟିଲବର୍ଗ । ସେ ପଡ଼ିଆ ଅମ୍ପାୟାର ନିଯୁକ୍ତ ହୋଇଥିବାରୁ ପ୍ରଶଂସକଙ୍କ ମନରେ ଭୟ ସଞ୍ଚାର ହୋଇଛି ।
ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଆଇସିସି ଇଭେଣ୍ଟର ୫ଟି ନକ୍ ଆଉଟ୍ ମ୍ୟାଚ୍ରେ ପରାଜିତ ହୋଇଥିବାବେଳେ କେଟିଲବର୍ଗ ପଡ଼ିଆ ଅମ୍ପାୟାର ଦାୟିତ୍ୱରେ ରହିଥିଲେ । ତେଣୁ ପ୍ରଶଂସକଙ୍କ ମନରେ ପରାଜୟର ଭୟ ସୃଷ୍ଟି ହୋଇଛି । ଆଇସିସି ପକ୍ଷରୁ ମ୍ୟାଚ୍ ଅଫିସିଆଲ୍ଙ୍କ ନାମ ଘୋଷଣା ହେବାର କିଛି ସମୟ ମଧ୍ୟରେ ସୋସିଆଲ୍ ମିଡିଆରେ ଏକ ଟ୍ରେଣ୍ଡ୍ ଆରମ୍ଭ ହୋଇଯାଇଥିଲା । ଅନୁଗାମୀମାନେ କେଟିଲବର୍ଗଙ୍କୁ ଭାରତ ପାଇଁ ଅଶୁଭ ବିବେଚିତ କରିବା ସହ ସମାଲୋଚନା କରିଥିଲେ ।
ଭାରତୀୟ ଦଳ ୨୦୧୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍ (ଶ୍ରୀଲଙ୍କା ବିପକ୍ଷ), ୨୦୧୫ ଦିନିକିଆ ବିଶ୍ୱକପ୍ ସେମି ଫାଇନାଲ୍ (ଅଷ୍ଟ୍ରେଲିଆ ବିପକ୍ଷ), ୨୦୧୬ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସେମି ଫାଇନାଲ୍ (ୱେଷ୍ଟଇଣ୍ଡିଜ୍ ବିପକ୍ଷ), ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ (ପାକିସ୍ତାନ ବିପକ୍ଷ), ୨୦୧୯ ଦିନିକିଆ ବିଶ୍ୱକପ୍ ସେମି ଫାଇନାଲ୍ (ନ୍ୟୁଜିଲାଣ୍ଡ ବିପକ୍ଷ)ରେ ପରାଜିତ ହୋଇଥିବାବେଳେ କେଟିଲବର୍ଗ ପଡ଼ିଆ ଅମ୍ପାୟାର ଦାୟିତ୍ୱରେ ରହିଥିଲେ । କ୍ରମାନ୍ୱୟରେ ଏଭଳି ଘଟୁଥିବାରୁ ପ୍ରଶଂସକମାନେ କେଟିଲବର୍ଗଙ୍କୁ ଅଶୁଭ ବୋଲି ବିବେଚନା କରିଛନ୍ତି ।