ମାଲକାନଗିରି, ୧୯/୯ : ମାଲକାନଗିରି ଜିଲ୍ଲା ସଦର ବ୍ଲକରେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକ ଅନ୍ତର୍ଗତ ମଲାଲିଗୁଡା ଗ୍ରାମର ରଘୁନାଥ ଖିଲ ନାମକ ବ୍ୟକ୍ତି ଜାଳେଣି କାଠ ପତ୍ର ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ ।
ଏହି ସମୟରେ ଏକ ଜଙ୍ଗଲି ଭାଲୁ ହଠାତ ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଉଭୟଙ୍କ ମଧ୍ୟରେ କିଛି ସମୟ ଛକା ପଞ୍ଝା ହୋଇଥିଲା । ଭାଲୁ ଆକ୍ରମଣରେ ରଘୁନାଥ ଆହତ ହୋଇଥିବାବେଳେ ପ୍ରଥମେ ସେ ଭାଲୁଟିକୁ ଟାଙ୍ଗିଆ ଦେଖାଇ ତା ନିକଟରୁ ବର୍ତ୍ତି ଯାଇଥିବାବେଳେ ପୁନଃ ଭାଲୁଟି ତାଙ୍କ ଉପରକୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ। ଭାଲୁ ଆକ୍ରମଣ ଫଳରେ ରଘୁନାଥଙ୍କ ପିଠି, ହାତ, ଜଙ୍ଘ ଓ ଗୋଡରେ ଗଭୀର ଆଘାତ ଲାଗିଥିବା ବେଳେ ସେଠାରୁ କଳେବଳେ ନିଜକୁ ବଞ୍ଚାଇ ସେ ଜଙ୍ଗଲ ମଧ୍ୟରୁ ବାହାରକୁ ଆସିଥିଲେ। କିଛି ସ୍ଥାନୀୟ ଲୋକେ ତାଙ୍କୁ ଦେଖି ତୁରନ୍ତ ଆମ୍ବୁଲାନ୍ସକୁ ଫୋନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି ।