ନୂଆଦିଲ୍ଲୀ, ୧୭/୦୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ଲାଗି ମୁସ୍କିଲ୍ ଥମିବାର ନାଁ ନେଉନି । ଶନିବାର ଦିଲ୍ଲୀ ମଦ ନୀତି ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ୍ ଦେଇଥିଲେ । ଏବେ ପୁଣି ଥରେ କେଜ୍ରିୱାଲଙ୍କ ନାଁରେ ନୂଆ ମାମଲା ରୁଜୁ ହେବା କଥା ସାମନାକୁ ଆସିଛି ।
ଆମ୍ ଆଦମୀ ପାର୍ଟିର ଦାବି ଅନୁସାରେ, ଜଳ ବୋର୍ଡ ମାମଲାରେ ଅରବିନ୍ଦ୍ର କେଜ୍ରିୱାଲଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ସେହିଭଳି ମଦ ନୀତି ମାମଲାରେ ଇଡି, କେଜ୍ରିୱାଲଙ୍କୁ ପଠାଇଛି ନବମ ସମନ । ମାର୍ଚ୍ଚ ୨୧ ଗୁରୁବାର ହାଜର ହୋଇ ପକ୍ଷ ରଖିବାକୁ ଇଡି କହିଛି ।
କେଜ୍ରିୱାଲଙ୍କୁ ଇଡିର ସମନ ନେଇ ଆପ୍ ନେତ୍ରୀ ତଥା ଦିଲ୍ଲୀର ଅର୍ଥମନ୍ତ୍ରୀ ଅତିଶୀ କହିଛନ୍ତି, ନିର୍ବାଚନ ତାରିଖ ଘୋଷଣାର ୩ ଘଣ୍ଟା ପରେ ସମନ ମିଳିଛି । ସିବିଆଇ ଓ ଇଡି ହେଉଛନ୍ତି ମୋଦିଙ୍କ ଗୁଣ୍ଡା । ମୋଦି ଏହି ଗୁଣ୍ଡାମାନଙ୍କ ଜରିଆରେ ଜଣ ଜଣ କରି ସମସ୍ତ ବିରୋଧୀ ନେତାଙ୍କୁ ଟାର୍ଗେଟ୍ କରୁଛନ୍ତି ।
ଆପର ଅଭିଯୋଗ, ଲୋକସଭା ନିର୍ବାଚନ ପୂର୍ବରୁ ଇଡି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ନୂଆ କେସ୍ ଖୋଲିଛି । ନୂଆ ମାମଲାର ଉଦ୍ଦେଶ୍ୟ କେଜ୍ରିୱାଲଙ୍କୁ ଗିରଫ କରିବା । ଏହା ପୂର୍ବରୁ ବି ଅନେକ ଥର ଆପ୍ କହିଛି, ଇଡି କେନ୍ଦ୍ର ସରକାରଙ୍କ ଇସାରାରେ କାମ କରୁଛି ।
ଶନିବାର ମାର୍ଚ୍ଚ ୧୬ରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ୫ ହଜାର ଟଙ୍କାର ମୁଚାଲିକା ଏବଂ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଏହା ପୂର୍ବରୁ ଦିଲ୍ଲୀ ମଦ ନୀତି ମାମଲାରେ ଇଡି କେଜ୍ରିୱାଲଙ୍କୁ ୮ଥର ସମନ ଜାରି କରିଥିବା ସେ ଥରେ ବି ହାଜର ହୋଇ ନାହାନ୍ତି । ମାମଲାରେ ପ୍ରଥମଥର କେଜ୍ରିୱାଲ୍ କୋର୍ଟରେ ହାଜର ହୋଇଛନ୍ତି ।