ନୂଆଦିଲ୍ଲୀ,୨।୯: ଆପ୍ ବିଧାୟକ ଅମାନୁତୁଲ୍ଲାହ ଗିରଫ। ୬ ଘଣ୍ଟାର ଜେରା ପରେ ଶେଷରେ ବାନ୍ଧିଲା ଇଡି। ଦିଲ୍ଲୀର ଓ୍ବାକ୍ଫ୍ ବୋର୍ଡ ନିଯୁକ୍ତି ଘୋଟାଲା ଓ ମନି ଲଣ୍ଡରିଂ ଦୂର୍ନୀତି ମାମଲାରେ ଚଢାଉ ପରେ ଗିରଫ କରିଛି ଇଡି। ସୋମବାର ସକାଳେ ଇଡି ଟିମ ଅମାନୁତୁଲ୍ଲାହ ବାସଭବନରେ ପହଁଞ୍ଚିଥିଲା। ସକାଳ ୭ଟାରେ ଇଡି ଚଢାଉ କରିଥିବା ବେଳେ ହୋଇଥିଲା ଖୁବ୍ ହଙ୍ଗାମା। ବିଧାୟକ ଇଡି ଟିମ୍କୁ ନିଜ ଘରେ ପଶିବାକୁ ରୋକିବାକୁ ଚେଷ୍ଟା କରିଥିଲେ। ସେ କହିଥିଲେ ତାଙ୍କ ଶାଶୁ ଏବେ ଅସୁସ୍ଥ ଅଛନ୍ତି।
୨ ଘଣ୍ଟା ପର୍ଯ୍ୟନ୍ତ ସେ ଇଡିକୁ ଘରର କବାଟ ଖୋଲି ନଥିଲେ। ଇଡି ବାହାରେ ଠିଆ ହୋଇ ରହିଥିଲା। ଅମାନତୁଲ୍ଲା କବାଟ ଖୋଲିବା ପରେ ଇଡି ଟିମ୍ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ନିଜେ ଅମାନତୁଲ୍ଲା ଖାନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଇଡି ଚଢ଼ାଉ ସମ୍ପର୍କରେ ସୂଚନା ଦେଇଥିଲେ।।ଅମାନତୁଲ୍ଲା ଏକ୍ସରେ ଏକ ଭିଡିଓ ସେୟାର କରି କହିଛନ୍ତି , ତାଙ୍କୁ ଏବଂ ଆପ୍ ନେତାଙ୍କୁ ହଇରାଣ କରିବା ପାଇଁ ସମସ୍ତ ପ୍ରୟାସ ହେଉଛି। ମିଥ୍ୟା ମାମଲାରେ ଫସାଯାଉଛି। ସେମାନଙ୍କର ଲକ୍ଷ୍ୟ ହେଉଛି ଆମ ଦଳକୁ ଭାଙ୍ଗିବା। ସଚ୍ଚୋଟ ଭାବରେ ଲୋକଙ୍କ ସେବା କରିବା କ'ଣ ଅପରାଧ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅମାନତୁଲ୍ଲାଙ୍କ ଘରେ ପୋଲିସ ଓ ପାରା ମିଲିଟାରୀ ଫୋର୍ସର ଯବାନ ଆସି ପହଁଞ୍ଚିଥିଲେ। ପରେ ବିଧାୟକ କୌଣସି ପ୍ରକାରେ ଅଫିସରଙ୍କୁ ଆଣିବାକୁ ରାଜି ହୋଇଥିଲେ। ୭ ଅଫିସରଙ୍କ ଟିମ୍ ଘର ଭିତରେ ବହୁ ସମୟ ପର୍ଯ୍ୟନ୍ତ ଯାଞ୍ଚ କରିଥିଲେ। ମଧ୍ୟାହ୍ନ ୧୨ଟା ବେଳେ ଇଡି ଟିମ୍ ବିଧାୟକଙ୍କୁ ନିଜ ଗାଡିରେ ବସାଇ ବାହାରି ଯାଇଥିଲା।ଏହି ସମୟରେ ସେଠାରେ ସ୍ଥାନୀୟ ଲୋକ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ଗହଳି ଲାଗି ଯାଇଥିଲା। ଖୁବ୍ ହଙ୍ଗାମା ମଧ୍ୟରେ ପୋଲିସ ତାଙ୍କୁ ଗାଡି ପର୍ଯ୍ୟନ୍ତ ନେବାପରେ ସାଙ୍ଗରେ ନେଇ ଚାଲି ଯାଇଥିଲା।
ଦିଲ୍ଲୀ ଓ୍ଵାକଫ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ଅମାନତୁଲ୍ଲା ସରକାରୀ ଗାଇଡଲାଇନକୁ ଅଣଦେଖା କରି ଚାକିରି ଦେଇଥିବା ଅଭିଯୋଗ ରହିଛି। ଇଡି ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ତେବେ ଏହି ଅଭିଯୋଗକୁ ଅମାନତୁଲ୍ଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଆମ୍ ଆଦମୀ ପାର୍ଟି ବିଧାୟକ ହେବା ସହ ଅମାନତୁଲ୍ଲା ଦିଲ୍ଲୀ ଓ୍ଵାକଫ ବୋର୍ଡର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଅମାନତୁଲ୍ଲା ସଭାପତି ଥିବା ବେଳେ ଏଭଳି ୩୨ଟି ନିଯୁକ୍ତି ହୋଇଥିଲା, ଯାହା ସରକାରୀ ଗାଇଡଲାଇନକୁ ଅଣଦେଖା କରି କାମ କରିଥିବା ଅଭିଯୋଗ ହୋଇଥିଲା। ତତ୍କାଳୀନ ସିଇଓ ଏହି ବେଆଇନ ନିଯୁକ୍ତି ବିରୋଧରେ ଏକ ସ୍ମାରକପତ୍ର ଜାରି କରିବା ପରେ ଘଟଣାର ବିବାଦ ଦେଖାଦେଇଥିଲା।