ଖଲ୍ଲିକୋଟ ,୧୩/୧୧ : ଖଲ୍ଲିକୋଟ ଏନଏସି ନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର ବିଜେପିର ନଗର ସଭାପତି ଶଙ୍କର ନାହାକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଜେପି ନେତା ଓ କର୍ମୀ ମାନେ ଏନଏସି କାର୍ଯ୍ୟାଳୟ ରେ ପହଞ୍ଚି ନିର୍ବାହୀ ଅଧିକାରୀଙ୍କୁ ଘେରାଉ କରିବା ସହ ହୋହାଲ୍ଲା କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ବିଜେପିର ଖଲ୍ଲିକୋଟ ନଗର ସଭାପତି ଶଙ୍କର ନାହାକ କିଛି କର୍ମୀଙ୍କ ସହ ଏନଏସି ନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର ଙ୍କୁ ସାକ୍ଷାତ କରିବା ପାଇଁ ଏନଏସି କାର୍ଯ୍ୟାଳୟ କୁ ଯାଇଥିଲେ ।କିନ୍ତୁ ସେହି ସମୟରେ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ ତାଙ୍କ ଚାମ୍ବର ରେ ଅପେକ୍ଷା କରିଥିଲେ ।କିଛି ସମୟ ପରେ ନିର୍ବାହୀ ଅଧିକାରୀ ଆସି କାହା ଅନୁମତି ରେ ମୋ ଚାମ୍ବର ଭିତରକୁ ଆସିଲେ ବୋଲି କହିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ବୋଲି ବିଜେପି ନଗର ସଭାପତି ଶଙ୍କର ନାହାକ ଅଭିଯୋଗ କରିଛନ୍ତି ।ଏହାପରେ ରାଜ୍ୟ ବିଜେପି ଉପ ସଭାନେତ୍ରୀ ଅନିତା ଶୁଭଦର୍ଶିନୀ,ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଅନୀଲ କୁମାର ପଣ୍ଡା ଓ କର୍ମୀ ମାନେ ପହଞ୍ଚି ନିର୍ବାହୀ ଅଧିକାରୀ ଙ୍କୁ ଘେରାଉ କରିବା ସହ ଏହାର ପ୍ରତିବାଦ କରି ହୋହାଲ୍ଲା କରିଥିଲେ ।
ତେବେ ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର ଙ୍କୁ ପଚାରିବାରୁ ସେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା କଥା କୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଥିଲେ। ମୋ ଅନୁପସ୍ଥିତରେ ଚାମ୍ବର ଭିତରକୁ ସେମାନଙ୍କ ଅନଧିକାର ପ୍ରବେଶକୁ ମୁଁ ନାପସନ୍ଦ କରି କାହା ଅନୁମତିରେ ଭିତରକୁ ଆସିଲେ ବୋଲି ପ୍ରଶ୍ନ କରିଥିଲି ବୋଲି ତାଙ୍କ ପ୍ରତିକ୍ରିୟାରେ ନିର୍ବାହୀ ଅଧିକାରୀ କହିଥିଲେ ।