ନୂଆଦିଲ୍ଲୀ ୨୧/୦୯: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସିଇଓ ଅନୀପ ପଟେଲ ନିକଟରେ ଏୟାରଇଣ୍ଡିଆର ଏକ ବିମାନରେ ସିକାଗୋରୁ ନୂଆଦିଲ୍ଲୀ ଆସିଥିଲେ । ସେ ଫାଷ୍ଟ କ୍ଲାସ୍ ଟିକଟ କରିଥିଲେ ମଧ୍ୟ ଯାତ୍ରା ସମୟରେ ଅତି ଖରାପ ସ୍ଥିତିର ସାମ୍ନା କରିଥିଲେ । ପରବର୍ତ୍ତୀ ସମୟରେ ଯଦିଓ ସେ ଏୟାରଇଣ୍ଡିଆକୁ ଏଥିନେଇ କୌଣସି ଆନୁଷ୍ଠାନିକ ଅଭିଯୋଗ କରିନଥିଲେ, ତେବେ ତାଙ୍କର ଖରାପ ଅଭିଜ୍ଞତାକୁ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ ସେୟାର କରିଥିଲେ ସେ । ଏହାପରେ ଏୟାରଲାଇନ୍ସ ତାଙ୍କୁ ଟିକଟ ବାବଦ ପୂରା ଅର୍ଥ ୫.୨୭ ଲକ୍ଷ ଫେରାଇ ଦେଇଛି ।
କାପାଟେଲ୍ ଇନ୍ଭେଷ୍ଟମେଣ୍ଟର ସିଇଓ ଅନୀପ ପଟେଲ ଦୁଇ ଦିନ ତଳେ ସୋସିଆଲ୍ ମିଡିଆରେ ସେହି ଭିଡିଓ ପୋଷ୍ଟ କରିଥିଲେ । କ୍ୟାପସନ୍ରେ ସେ ଲେଖିଥିଲେ, ମୁଁ ନିକଟରେ ଏୟାର ଇଣ୍ଡିଆର ବିମାନରେ ସିକାଗୋରୁ ନୂଆଦିଲ୍ଲୀ ଅଭିମୁଖେ ୧୫ ଘଣ୍ଟାର ଯାତ୍ରା କରିଥିଲି । କିନ୍ତୁ ସେହି ଯାତ୍ରା ଏକ ଦୁଃସ୍ୱପ୍ନ ଭଳି ଥିଲା । ମୁଁ ଏୟାରଇଣ୍ଡିଆ ସଂପର୍କରେ ନକାରାତ୍ମକ କଥା ପୂର୍ବରୁ ଶୁଣିଥିଲି । କିନ୍ତୁ ନୂଆ ମ୍ୟାନେଜମେଣ୍ଟ ଆସିବା ପରେ ସ୍ଥିତି ବଦଳିଥିବ ବୋଲି ଭାବିଥିଲି । କିନ୍ତୁ ପ୍ରକୃତ ସ୍ଥିତି ସେଭଳି ନଥିଲା । ବିମାନରେ କୌଣସି ୱାଇଫାଇ ବ୍ୟବସ୍ଥା ନଥିଲା । ହେଡ୍ଫୋନ୍ ଖରାପ ଥିଲା । ଫାଷ୍ଟକ୍ଲାସ୍ କ୍ୟାବିନ୍ରେ ସବୁକିଛି ଭଙ୍ଗା, ଅପରିଷ୍କାର ଥିଲା । ବଳକା ଖାଦ୍ୟ ଓ ଅଳିଆ ସେହିଭଳି ଅବସ୍ଥାରେ ପଡି଼ରହିଥିଲା । ବିମାନର ଖାଦ୍ୟ ଯୋଗାଣ ସେବାକୁ ବି ସେ ସମାଲୋଚନା କରିଥିଲେ ।
ଲେଖିଥିଲେ, ମେନ୍ୟୁରେ ଥିବା ୩୦ ପ୍ରତିଶତ ଆଇଟମ ଉପଲବ୍ଧ ନଥିଲା । ଯାହା ଥିଲା, ଯିଏ ଆଗ ଅର୍ଡର କରୁଥିଲା ତାକୁ ମିଳୁଥିଲା । ଯଦି କେହି ଏୟାରଇଣ୍ଡିଆର ବିମାନରେ ଯାଉଥିବେ ତେବେ ସାବଧାନ ହେବାକୁ ସେ ଲେଖିଥିଲେ । ତାଙ୍କ ଭିଡିଓକୁ ୭୦ ଲକ୍ଷ ଲୋକ ଦେଖିଲେ । ତେବେ ଭିଡିଓଟି ଭାଇରାଲ୍ ହେବାପରେ ଏୟାରଇଣ୍ଡିଆ ପକ୍ଷରୁ ତାଙ୍କୁ ଫୋନ୍ କରାଯାଇ ଯାତ୍ରା ବାବଦ ଦେୟକୁ ଫେରସ୍ତ କରାଯାଇଛି ।