ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଘରକୁ ବୁଢ଼ା, ଜମିକୁ ବୁଦା

ଭୁବନେଶ୍ୱର: ଭାରତୀୟ ସଂସ୍କୃତିରେ ପ୍ରକୃତିକୁ ବିଭିନ୍ନ ରୂପରେ ପୂଜା କରାଯାଏ । ପରିବାରରେ ମାଆ ଯେଭଳି  ମଙ୍ଗଳମୟୀ, ପିତା ଯେଭଳି କଷ୍ଟସହିଷ୍ଣୁ, ଠିକ୍‌ ସେହି  ଦୃଷ୍ଟିରୁ ଦେଖିଲେ ପ୍ରକୃତି କେବେହେଲେ ନିଜର  କର୍ତ୍ତବ୍ୟରୁ ବିଚ୍ୟୁତ ହୁଏନାହିଁ ବା ବିଚଳିତ ମଧ୍ୟ  ହୁଏନାହିଁ । ପୃଥିବୀପୃଷ୍ଠରେ ବାସ କରୁଥିବା ପ୍ରତ୍ୟେକ  ଜୀବଜନ୍ତୁଙ୍କୁ ଲାଳନପାଳନ କରିବାକୁ ଶ୍ରେଷ୍ଠ ଧର୍ମ ବୋଲି  ବିବେଚନା କରି ସତେଯେପରି ପ୍ରକୃତି ନିଜ କର୍ମରେ ମଗ୍ନ ହୋଇଯାଏ । ବିଚାରବନ୍ତ ତଥା ବିବେକବାନ ମଣିଷ  ଜାତିକୁ ଧୈର୍ଯ୍ୟର ସହିତ ଶାନ୍ତିର ମାର୍ଗରେ ନିରବଚ୍ଛିନ୍ନ  ଭାବରେ ଚାଲିବାକୁ ଶିଖାଇଥାଏ । ପୃଥିବୀର ଶ୍ରେଷ୍ଠ ଜୀବ  ତଥା ସାମାଜିକ ପ୍ରାଣୀ ହିସାବରେ ମଣିଷର କାର୍ଯ୍ୟଧାରା  ସହିତ ବିକାଶର ଧାରାକୁ ମଧ୍ୟ ଅନୁଧ୍ୟାନ କରି ପ୍ରକୃତି  ସତେଯେପରି ଏବେ ବିଚଳିତ ହୋଇଉଠୁଛି । ଅନେକ  ପ୍ରତିକୂଳ ପରସ୍ଥିତିକୁ ସାମ୍ନା କରୁ କରୁ କେତେବେଳେ  କ୍ରୋଧ ପ୍ରକାଶ କରୁଛି ତ କେତେବେଳେ ତାର ଶାନ୍ତ  ସୌମ୍ୟ ରୂପକୁ ପୃଥିବୀବାସୀଙ୍କ ଆଗରେ ପ୍ରକାଶ କରି  ଆନନ୍ଦିତ ହେଉଛି । ମଣିଷ ମଧ୍ୟ ପ୍ରକୃତି ସହିତ ଖାପଖୁଆଇ  ଚଳିବାକୁ ଚେଷ୍ଟାକରି ଦିନକୁ ଦିନ ଅଧିକ ସଭ୍ୟ ହେଉଛି ।  

ଖାଦ୍ୟ, ବସ୍ତ୍ର, ବାସଗୃହ ବ୍ୟତୀତ ମନୋରଞ୍ଜନ ସହିତ  ଜ୍ଞାନ ଏବଂ ବିବେକର ବୃଦ୍ଧି ପାଇଁ ନିରବଚ୍ଛିନ୍ନ ଭାବେ  ଗବେଷଣା ଚଳାଇ ଆସିଛି । ସମୟର ପ୍ରଭାବ ସହିତ  ଘଟିଯାଉଥିବା ଘଟଣାବଳୀଗୁଡ଼ିକୁ ନେଇ ଅନେକ ଗଳ୍ପ,  କବିତା, ଉପନ୍ୟାସ ପୃଥିବୀର ବିଭିନ୍ନ ଭାଷାରେ ଭିନ୍ନ  ଭିନ୍ନ ଦେଶର ଚଳଣି ଏବଂ ସଂସ୍କୃତିକୁ ନେଇ ରଚନା  କରାଯାଉଛି । ସେଥିମଧ୍ୟରୁ ଅନେକ ହୃଦୟସ୍ପର୍ଶୀ ରଚନା,  ମାନବ ସମାଜର ଚଳଣି ମଧ୍ୟରେ ଲୁଚି ରହିଥିବା ସ୍ନେହ,  ଶ୍ରଦ୍ଧା, ପ୍ରେମ ବ୍ୟତୀତ ଘୃଣା, ପ୍ରତାରଣା ସହିତ ହିଂସାକୁ  ଅତିରଞ୍ଜିତ କରି ବର୍ଣ୍ଣନା କରାଯାଇ ପାଠକଙ୍କର ମନକୁ କିଣିବାକୁ ପ୍ରୟାସ କରାଯାଇଥାଏ । ଆମର ସାମାଜିକ  ଚଳଣି ସହିତ ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାବଳୀ  ଏବଂ ଆଖପାଖରେ ଘଟିଯାଉଥିବା ବିପରୀତଧର୍ମୀ  ବା ଅସାମାଜିକ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ପାଇଁ ପ୍ରଭାବିତ  ହେଉଥିବା ସେମାନଙ୍କର ପରିବାର ସହିତ ସାହିପଡ଼ିଶା, ଗ୍ରାମପଞ୍ଚାୟତକୁ ମଧ୍ୟ ବାଦ୍‌ ଦିଆଯାଇନଥାଏ । ଧୀରେ  ଧୀରେ ଉପନ୍ୟାସ ମଧ୍ୟରେ ପ୍ରବେଶ କରେ ରାଜାରାଜୁଡ଼ା  ବେଳର ମହାଜନୀ କଥା। ସେମାନଙ୍କ ଅତ୍ୟାଚାରରେ  ଅତିଷ୍ଠ ସାଧାରଣ ଜନତାଙ୍କର ସଂଘର୍ଷର କାହାଣୀ । ଏବେ  ପୁଣି କଥାବସ୍ତୁରେ ସ୍ଥାନ ପାଉଛି ରାଜନୈତିକ ଉଷ୍ଣତା,  ଯୁଦ୍ଧଖୋର ଶାସକଙ୍କର କଠୋର ନିର୍ଦ୍ଦେଶ, ଗୁଳିଗୋଳା  ବର୍ଷଣ ସହିତ କମାଣର ଗର୍ଜନ । ଶେଷରେ ବୋମାମାଡ଼ର  ଭୟଙ୍କର ପରିସ୍ଥିତି, ଯେଉଁଥିରେ ପ୍ରକୃତି ସ୍ତବ୍ଧ । ତାର ଶାନ୍ତ,  ସ୍ନିଗ୍‌ଧ ରୂପ କଦାକାର ହୋଇଯାଉଛି, କେଉଁଠି ମଣିଷ  ଏଭଳି ଅଘଟଣର କାରଣକୁ ଖୋଜୁ ଖୋଜୁ ସମୟକୁ  ଦାୟୀ କରୁଛି ତ କେଉଁଠି ସମୟ ମଣିଷକୁ ଦାୟୀ କରୁଛି । 

ସେ ଯାହାହେଉନା କାହିଁକି, ଆମକୁ ଈଶ୍ୱରଙ୍କ  କୃପାରୁ ମିଳିଥିବା ପ୍ରକୃତିକୁ ସମ୍ମାନ ଦେବାକୁ ପଡ଼ିବ  ଏବଂ ନିଜର କାର୍ଯ୍ୟକଳାପକୁ ସମୟ ଅନୁସାରେ ମାର୍ଜିତ  କରିବାକୁ ହେବ । କାରଣ ସମୟ ଆମକୁ ବାର୍ଦ୍ଧକ୍ୟ  ଆଡ଼କୁ ଟାଣିନେଉଛି । ଜୀବନରେ ଅନେକ ଉତ୍‌ଥାନ  ପତନକୁ ଦେଖିଥିବା ବ୍ୟକ୍ତିବିଶେଷ ଗବେଷଣାରେ  ମଗ୍ନରହି ମାନବ ସମାଜର ଉନ୍ନତି ପାଇଁ ଆୟତ୍ତ କରିଥିବା  ଗବେଷଣାଲବ୍ଧ ତଥ୍ୟକୁ ଆଗାମୀ ପିଢ଼ିଙ୍କ ଆଗରେ  ସମର୍ପି ଦେଇ ବୟସ୍କମାନେ ଧୀରେ ଧୀରେ ପୃଥିବୀପୃଷ୍ଠରୁ  ବିଦାୟ ନେଉଛନ୍ତି । ଅନେକ ମହାତ୍ମାଙ୍କ ମଧ୍ୟରେ ବୁଦ୍ଧଙ୍କର ଅଷ୍ଟାଙ୍ଗିକ ମାର୍ଗ, ସମ୍ୟକ ଦୃଷ୍ଟି, "କାମନାର ବିନାଶରେ  ଦୁଃଖର ବିନାଶ' ଭଳି ସାରଗର୍ଭକ ବାର୍ତ୍ତା ଧୀରେ ଧୀରେ  ତାର ସତ୍ତା ହରାଉଛି । ଯିଶୁଙ୍କର ବାର୍ତ୍ତା, କେବଳ ଯେ  ଖ୍ରୀଷ୍ଟଧର୍ମାବଲମ୍ବୀଙ୍କୁ ରାସ୍ତା ଦେଖାଏ ସେ କଥା ନୁହେଁ, ବରଂ  ସମଗ୍ର ମାନବ ସମାଜ ପାଇଁ ତାଙ୍କର ବାର୍ତ୍ତା ଥିଲା "ନିଜର  ଶତ୍ରୁକୁ ପ୍ରେମ କର । ଯେଉଁମାନେ ତୁମକୁ ଅଭିଶାପ  ଦିଅନ୍ତି, ସେମାନଙ୍କୁ ଆଶୀର୍ବାଦ କର, ଯେଉଁମାନେ  ତୁମକୁ ଘୃଣା କରନ୍ତି, ସେମାନଙ୍କର ଉପକାର କର ଏବଂ  ଯେଉଁମାନେ ତୁମକୁ ନିର୍ଯାତନା ଦିଅନ୍ତି ସେମାନଙ୍କର ମଙ୍ଗଳ  ପାଇଁ ପ୍ରାର୍ଥନା କର । ଏଭଳି କର୍ମ ହିଁ ତୁମକୁ ପ୍ରକୃତ ସୁଖ  ଦେବ' । ସମୟକ୍ରମେ ଯିଶୁ ଗଲେଣି । ତାଙ୍କର ଚିନ୍ତାଧାରା,  ତାଙ୍କର ବାର୍ତ୍ତା ପିଢ଼ି ପରେ ପିଢ଼ି ଅତିକ୍ରମ କରି ବର୍ତ୍ତମାନର ଶାସକ ଗୋଷ୍ଠୀଙ୍କୁ କିଭଳି ପ୍ରଭାବିତ କରୁଛି ଏବଂ ତାଙ୍କଦ୍ୱାରା  ଶାସିତ ପ୍ରଜାମାନଙ୍କର ଅବସ୍ଥାକୁ ଆମେ ଆଖିରେ ଦେଖୁଛୁ,  ଇତିହାସରେ ଲିପିବଦ୍ଧ କରି ରଖିବା ପାଇଁ ଅନେକ ପ୍ରୟାସ  କରୁଛୁ । ମାତ୍ର ଦୁଃଖର କଥା ହେଲା, ସମୟ ଅନୁସାରେ  ସମାଜ ସଂସ୍କାରକ, ଧର୍ମଯାଜକ, ବୈଜ୍ଞାନିକଙ୍କ ସହ  ପରିବେଶବିତ୍‌ଙ୍କ ବାର୍ତ୍ତା ତାଙ୍କର ସତର୍କବାଣୀ ସତେଯେପରି  ନିଜର ସତ୍ତା ହରାଉଛି । 

ଜନସଂଖ୍ୟା ବୃଦ୍ଧି ସହିତ ବଢ଼ି ବଢ଼ି  ଚାଲିଛି ଈର୍ଷା, କ୍ରୋଧ, ହିଂସା, ଗର୍ବ ଓ ଅହମିକା, ଯାହାର  ଅନ୍ତ ନାହିଁ । ତଥାପି ପୃଥିବୀପୃଷ୍ଠକୁ ସରସ ସୁନ୍ଦର କରି  ଗଢ଼ିବା ପ୍ରୟାସରେ ବ୍ରତୀ ଅନେକ ମହାମାନବ ଭ୍ରମଣ  ମାଧ୍ୟମରେ ପରସ୍ପରର ନିକଟବର୍ତ୍ତୀ ହେବା ପାଇଁ ପ୍ରୟାସ  ଜାରି ରଖିଛନ୍ତି। ଯୋଗାଯୋଗ ରକ୍ଷା ପାଇଁ ଗମନାଗମନକୁ  ସୁବ୍ୟବସ୍ଥିତ କରି ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ  କରାଯାଉଛି । ଶିକ୍ଷାକୁ ଚରିତ୍ର ଗଠନର ମାଧ୍ୟମ ରୂପେ  ପ୍ରୟୋଗ କରିବା ପାଇଁ ଅନେକ ଶିକ୍ଷାନୁଷ୍ଠାନ ଗଢ଼ାଯାଉଛି ।  ମଣିଷକୁ ଦୀର୍ଘାୟୁ କରିବା ପାଇଁ ବିଜ୍ଞାନ ସହ ବୈଷୟିକ  ବିଜ୍ଞାନର ପ୍ରସାର ଘଟିଚାଲିଛି । ଉଦ୍ଦେଶ୍ୟ, ମଣିଷମାନେ  ଏକ ସୁନ୍ଦର ତଥା ଦୀର୍ଘ ଓ ନିରାମୟ ଜୀବନକୁ ଉପଭୋଗ  କରନ୍ତୁ । ବାର୍ଦ୍ଧକ୍ୟ ତାଙ୍କଠାରୁ ଦୂରେଇଯାଉ । ମୃତ୍ୟୁ  ମଣିଷଙ୍କୁ ସ୍ପର୍ଶ ନକରୁ ଇତ୍ୟାଦି ଅନେକ ସ୍ୱପ୍ନ । ସେହି  ଅନୁସାରେ ଗବେଷଣା ମଧ୍ୟ ଚାଲିଛି । ତଥାପିପୃଥିବୀପୃଷ୍ଠର  ଅଧିକାଂଶ ଶ୍ରେଷ୍ଠ ଦେଶଗୁଡ଼ିକରେ ଏବେ ବୟସ୍କମାନଙ୍କର  ସଂଖ୍ୟା ବଢ଼ି ବଢ଼ି ଚାଲିଛି । 

ଆନନ୍ଦର କଥା ହେଲା, ଆମ ଦେଶ ଏବେ  ଲୋକସଂଖ୍ୟା ଦୃଷ୍ଟିରୁ ସମଗ୍ର ପୃଥିବୀରେ ପ୍ରଥମ ସ୍ଥାନ  ଅଧିକାର କଲାବେଳେ ସମଗ୍ର ଭାରତରେ ଶତକଡ଼ା  ଚାଳିଶି ଭାଗ ଯୁବକ ବାସ କରୁଛନ୍ତି ଏବଂ ସେମାନଙ୍କର  ସଂଖ୍ୟା ପ୍ରାୟ ଏକାଅଶି କୋଟିରେ ପହଞ୍ଚିଛି । ସେହିଭଳି ଭାରତବର୍ଷରେ ଏବେ ଜନ୍ମହାର ପ୍ରତି ହଜାରରେ ଚଉଦ  ଥିବାବେଳେ ମୃତ୍ୟୁହାର ପ୍ରତି ହଜାରରେ ଛଅରେ ସୀମିତ  ରହିଛି । ଏଭଳି ତୁଳନାତ୍ମକ ସଂଖ୍ୟା ଆମ ଦେଶର ସ୍ୱାସ୍ଥ୍ୟ  ବ୍ୟବସ୍ଥାରେ ଅଗ୍ରଗତିକୁ ସୂଚାଇ ଦେଉଛି । ସମୟର  ପ୍ରଭାବରେ ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବା ବା  ଷାଠିଏ ବର୍ଷରୁ ଊଦ୍ଧ୍ୱର୍ ବୟସର ଲୋକଙ୍କ ସଂଖ୍ୟା ଏବେ  ଆମ ଦେଶରେ ପନ୍ଦର କୋଟିକୁ ପାର୍‌ କରିସାରିଲାଣି ।  ସମଗ୍ର ପୃଥିବୀରେ ଏବେ ବୟସ୍କଙ୍କ ସଂଖ୍ୟା ସତୁରି  କୋଟିରୁ ଅଧିକ ହେବ ବୋଲି ସମୀକ୍ଷକମାନେ  ଅନୁମାନ କରୁଛନ୍ତି । 

୨୦୫୦ ମସିହା ବେଳକୁ ସମଗ୍ର  ପୃଥିବୀରେ ବୟସ୍କ ବା ପଞ୍ଚଷଠି ବର୍ଷ ବୟସରୁ ଅଧିକ  ବୟସର ବ୍ୟକ୍ତିଙ୍କ ଅନୁପାତ ଶତକଡ଼ା ଚବିଶିକୁ ପାର୍‌  କରିଯିବ ବୋଲି ଅନୁମାନ କରାଯାଉଛି । ସେତେବେଳକୁ  ଯୁବକମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବା ସହିତ  ଶୃଙ୍ଖଳିତ ଜୀବନଶୈଳୀର ମାର୍ଗ ଦେଖାଇବା ଅସମ୍ଭବ  ହୋଇପଡ଼ିବ ବୋଲି ମନସ୍ତତ୍ତ୍ୱବିତ୍‌ମାନେ ଶଙ୍କା ପ୍ରକାଶ  କରୁଛନ୍ତି । କାରଣ ଯୁବଗୋଷ୍ଠୀ ବା ଆଗାମୀ ପିଢ଼ିଙ୍କର  ମନୋରଞ୍ଜନର ମାଧ୍ୟମ ସାଜିଥିବା ସିନେମା କିମ୍ବା ଟିଭିରେ  ପ୍ରସାରିତ ହେଉଥିବା ଧାରାବାହିକରେ ବ୍ୟାପକ ହିଂସା ସହ ରକ୍ତପାତକୁ ଅତିରଞ୍ଜିତ କରି ପ୍ରସାରିତ କରାଯାଉଛି ।  ଏହା ବ୍ୟତୀତ ଗୁରୁଜନମାନେ ମୋବାଇଲ ଫୋନ୍‌ରେ  ଅପବ୍ୟବହାରକୁ ମଧ୍ୟ ଦାୟୀ କରୁଛନ୍ତି । ନିକଟରେ ଏକ  ବରିଷ୍ଠ ନାଗରିକଙ୍କ ସମ୍ମିଳନୀରେ ଯୋଗଦେବାର ସୁଯୋଗ  ପାଇଥିଲି । ସେଠାରେ "ଭାରତୀୟ ସଂସ୍କୃତିରେ ରାମାୟଣର  ପ୍ରଭାବ' ଉପରେ ଅନେକ ସାରଗର୍ଭକ ଆଲୋଚନା ସ୍ଥାନ  ପାଇଲା । ଗାନ୍ଧୀଙ୍କ ସ୍ୱପ୍ନ, ରାମରାଜ୍ୟର ପରିକଳ୍ପନା, ସବୁ  ଯେପରି ଧୀରେ ଧୀରେ ରାଜପଥରେ ମରୀଚିକା ସଦୃଶ  ଉଭେଇ ଯାଉଛି ବୋଲି ଆଲୋଚନା ଚକ୍ରରେ ଅଂଶଗ୍ରହଣ  କରିଥିବା ବ୍ୟକ୍ତିମାନେ ମତବ୍ୟକ୍ତ କଲେ । 

ଭାରତବର୍ଷର ୮୦କୋଟି ଯୁବକଙ୍କୁ ସିନେମା  ମାଧ୍ୟମରେ ରାସ୍ତା ଦେଖାଇବାକୁ ଯାଇ ନିର୍ଦ୍ଦେଶକଙ୍କ ଦ୍ୱାରା  ପ୍ରସ୍ତୁତ କରାଯାଇଥିବା ସିନେମାରେ ହିରୋ, ହିରାଇନ,  ଭିଲିୟାନ, କମେଡିଆନମାନଙ୍କର ଜୀବନ୍ତ ଅଭିନୟକୁ  ଦେଖିବା ପାଇଁ ସିନେମା ହଲ୍‌ରେ ତିନିଘଣ୍ଟା କଟାଇବାକୁ  ଆନନ୍ଦରେ ଘରୁ ବାହାରି ପଡୁଛନ୍ତି । ମାତ୍ର ସିନେମାରେ  ଥିବା ହିଂସା ଉଦ୍ରେକକାରୀ ଦୃଶ୍ୟ ମଧ୍ୟରେ ନିଶାସେବନର  ତରିକା, ବନ୍ଧୁକ ମୁନରେ ସାଧାରଣ ଜନତାଙ୍କୁ ଭୟଭୀତ  କରିବାର ଶୈଳୀ ସହ ଯୋଡ଼ି ହୋଇଥିବା ଚୋରି  ଡକାୟତି କରିବାର କୌଶଳ ବ୍ୟତୀତ ଝିଅବୋହୂଙ୍କ  ପ୍ରତି ପ୍ରଦର୍ଶିତ ହେଉଥିବା ଅଶୋଭନୀୟ ଆଚରଣ,  ନଗ୍ନତା, ଯୁବବର୍ଗଙ୍କୁ ଏବେ କୁପଥଗାମୀ କରୁଛି ।  ଯାହାକୁ ଆମେ ସ୍ୱୀକାର କରିବାକୁ ବାଧ୍ୟ । କଥାଟା କେବଳ  ସେତିକିରେ ଅଟକି ନାହିଁ, ଦ୍ରୁତଗତିରେ ଗାଡ଼ି ଚଳାଇବାର  ଶୈଳୀ ସହିତ ନିଶା କାରବାରର ଭିତିରି କଥା, ବ୍ୟାଙ୍କ  ଡକାୟତି, ମୂଲ୍ୟବାନ ଅଳଙ୍କାର ଲୁଟ କରିବାର ଶୈଳୀ  ସହିତ ମହିଳା ଏବଂ ଶିଶୁମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରକୁ ଜୀବନ୍ତ କରି ପ୍ରଦର୍ଶିତ  କରିବାକୁ ସିନେମାର ସେନ୍‌ସର୍‌ ବୋର୍ଡର ସଭ୍ୟମାନେ  କିଭଳି ଅନୁମତି ଦେଉଛନ୍ତି ବୋଲି ଏବେ ବୟସ୍କଙ୍କ  ମହଲରେ ପ୍ରଶ୍ନ ଉଠୁଛି । କାରଣ ସମାଜକୁ ଗଢ଼ିବାର  ଦାୟିତ୍ୱ ସହିତ ନିଜ ଦେଶର ମର୍ଯ୍ୟାଦାସମ୍ପନ୍ନ ସଂସ୍କୃତିକୁ ରକ୍ଷାକରିବାର ଗୁରୁଦାୟିତ୍ୱ ବିଭିନ୍ନ ବର୍ଗର ଚିନ୍ତାଶୀଳ  ତଥା ଶିକ୍ଷିତ ବ୍ୟକ୍ତିଙ୍କ ଉପରେ ନ୍ୟସ୍ତ ହେବା ଉଚିତ ।  ମଣିଷ କେବଳ ଶିକ୍ଷିତ ହେଲେ ହେବନାହିଁ । ସେମାନଙ୍କ  ପାଖରେ ଦେଶମାତୃକା ପ୍ରତି ଗଭୀର ସମ୍ମାନବୋଧ  ରହିବା ଆବଶ୍ୟକ ।

ଦେଶର ଶାସକ ବର୍ଗ ଦକ୍ଷ ତଥା  ଅଭିଜ୍ଞ ବ୍ୟକ୍ତିବିଶେଷଙ୍କୁ ଖୋଜି, ସେମାନଙ୍କ ହାତରେ  ଭାଷା ସାହିତ୍ୟର ସୁରକ୍ଷା ଏବଂ ସାମାଜିକ ପରମ୍ପରାକୁ  ଅକ୍ଷୁଣ୍ଣ ରଖିବା ପାଇଁ ଆବଶ୍ୟକ ଆଇନ ବ୍ୟବସ୍ଥାର  ପ୍ରଚଳନ ସହିତ କିଛି ପ୍ରଶାସନିକ କ୍ଷମତାକୁ ଗୁରୁଜନଙ୍କ  ହାତରେ ନ୍ୟସ୍ତ କରାଗଲେ ଭୁଶୁଡ଼ି ପଡୁଥିବା ସାମାଜିକ  ସଂସ୍କାର ପୁନର୍ଜୀବିତ ହୋଇଉଠନ୍ତା । ମୋଟାମୋଟି  ଭାବରେ କହିବାକୁ ଗଲେ, ବୟସ୍କମାନେ ପରିବାର ବା  ସମାଜ ପାଇଁ ବୋଝ ନହୋଇ ବରଂ ମାର୍ଗଦର୍ଶକର ଭୂମିକା  ଗ୍ରହଣ କରନ୍ତେ । ହିଂସାଶୂନ୍ୟ ପୃଥିବୀ, ଯୁଦ୍ଧରହିତ  ଦେଶର କଳ୍ପନା କରିବାକୁ ଏବେ ଭୟ ଲାଗୁଥିବାବେଳେ  ସବୁଜ ବନାନୀ ନିଜର ସବୁଜିମାକୁ ହରାଇବା ସହିତ  ମେରୁ ଅଞ୍ଚଳର ବରଫଗଦା ନିଜର ଶୀତଳତାକୁ ହରାଇ  ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିପଡୁଛି । ମାଟିତଳର ପାଣି  ଉପରକୁ ଉଠିଆସିବା ଫଳରେ ପୃଥିବୀର ଗର୍ଭ ଫମ୍ପା ହୋଇଯାଉଛି। ଫଳରେ ପ୍ରକୃତିର କୋପ ଆଗରେ ଆମେ  ନତମସ୍ତକ ହୋଇ ନିଜର କୃତକର୍ମ ପାଇଁ କ୍ଷମାପ୍ରାର୍ଥନା  କରୁଛୁ । ନିଜର ଭୁଲ୍‌କୁ ସୁଧାରିବାକୁ ପ୍ରୟାସ କରୁଛୁ ।

ପରିବେଶବିତ୍‌ମାନଙ୍କର ସତର୍କବାଣୀକୁ ମନେପକାଉଛୁ,  ମାତ୍ର ଆମ ପାଖରେ ଧୈର୍ଯ୍ୟ କାହିଁ ଯେ ଆମେ ପୁଣିଥରେ  ଆମର ପୂର୍ବସୁରୀଙ୍କ ବାଣୀ, ତାଙ୍କର ତ୍ୟାଗ ଓ ବଳିଦାନକୁ  ମନେପକାଇ ଆଗକୁ ଚାଲିବୁ! ତା'ଠାରୁ ବରଂ ଭଲ  "ଘରକୁ ବୁଢ଼ା, ଜମିକୁ ବୁଦା' ଭଳି ଆପ୍ତବାଣୀକୁ ଆପଣେଇ ନେଇ ସେହି ଅନୁସାରେ ଆଗକୁ ବଢ଼ିବୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.