କଟକ,୧୦/୧୧: କଟକ ପରିବାର ଅଦାଲତଙ୍କ ରାୟକୁ ଚାଲେଞ୍ଜ କରି ସାଂସଦ ତଥା ଚଳଚ୍ଚିତ୍ର ଅଭିନେତା ଅନୁଭବ ମହାନ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ରୁଜୁ ମାମଲାରେ ଗୁରୁବାର ପ୍ରତିପକ୍ଷ ତଥା ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ନିଜ ଆଇନଜୀବୀଙ୍କ ଜରିଆରେ ହାଜିରା ଦର୍ଶାଇଛନ୍ତି ।
ମାମଲାରେ ପକ୍ଷ ରଖିବା ଲାଗି ବର୍ଷାଙ୍କ ପକ୍ଷରୁ ସମୟ ଲୋଡ଼ାଯାଇଥିଲା । ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନା ଏବଂ ଜଷ୍ଟିସ୍ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଟାଇମ୍ ପିଟିସନ୍କୁ ଗ୍ରହଣ କରି ବର୍ଷାଙ୍କୁ ମହଲତ ପ୍ରଦାନ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖରେ ହେବ । ସେହିଦିନ ବର୍ଷା ନିଜର ପକ୍ଷ ରଖିବେ ବୋଲି ଅନୁମାନ କରାଯାଉଛି । ଅପରପକ୍ଷରେ ଏସ୍ଡିଜେଏମ୍ଙ୍କ ଅଦାଲତରେ ରୁଜୁ ଘରୋଇ ହିଂସା ମାମଲାରେ ଗୁରୁବାର ଅପରାହ୍ଣରେ ବର୍ଷାଙ୍କୁ ପ୍ରାୟ ଦେଢ଼ଘଣ୍ଟା ଧରି ଜେରା କରାଯାଇଥିଲା । କିନ୍ତୁ ଜେରା ଅସମ୍ପୂର୍ଣ୍ଣ ରହିଛି । ପରବର୍ତ୍ତୀ ଶୁଣାଣି ଆସନ୍ତା ୧୩ ତାରିଖରେ ହେବ । ସେହିଦିନ ପୁଣି ବର୍ଷାଙ୍କୁ ଜେରା କରାଯିବ ।
ସୂଚନାଥାଉକି, ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ କଟକ ପରିବାର ଅଦାଲତ ଗତ ସେପ୍ଟେମ୍ବର ୨୨ରେ ଅନୁଭବଙ୍କ ଆବେଦନକୁ ଖାରଜ କରିଥିଲେ । ଅନୁଭବଙ୍କ ସହ ଏକାଠି ରହିବା ପାଇଁ ବର୍ଷାଙ୍କ ପିଟିସନ୍କୁ ମଧ୍ୟ ଅଗ୍ରାହ୍ୟ କରିଥିଲେ । ପରିବାର ଅଦାଲତଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅପରପକ୍ଷରେ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଆଇନରେ ବର୍ଷା କଟକ ଏସ୍ଡିଜେଏମ୍ଙ୍କ ଅଦାଲତରେ ମାମଲା ରୁଜୁ କରିଛନ୍ତି । ଏହି ମାମଲାରେ ବର୍ଷାଙ୍କୁ ଜେରା ଚାଲିଛି । ଉଭୟ ମାମଲାରେ ଅନୁଭବଙ୍କ ପକ୍ଷରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ମାମଲା ପରିଚାଳନା କରୁଛନ୍ତି ।