ନୂଆଦିଲ୍ଲୀ,୧୪/୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରଠୁ ତାଙ୍କ ଦଳ ଆବାମୀ ଲିଗ୍ର ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କୁ ଦିଆଯାଉଛି ନିର୍ଯାତନା । ବିଭିନ୍ନ ସ୍ଥାନରେ ସେମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଉଥିବା ବେଳେ ଆଉ କିଛି ସ୍ଥାନରେ ସେମାନଙ୍କୁ ବାନ୍ଧି ପ୍ରବଳ ଅତ୍ୟାଚାର କରାଯାଉଛି। ଏହାରି ମଧ୍ୟରେ ଶେଖ ହସିନାଙ୍କ ଖାସ ଲୋକ ତଥା ତାଙ୍କ ସରକାର ଅମଳରେ ନିବେଶ ପରାମର୍ଶଦାତା ଥିବା ସଲମାନ ଏଫ ରହମାନ ଓ ବାଂଲାଦେଶର ପୂର୍ବତନ ଆଇନ୍ ମନ୍ତ୍ରୀଙ୍କୁ ଢାକାର ସଦରଘାଟ ଅଞ୍ଚଳରୁ ଗିରଫ କରାଯାଇଛି।
ତେବେ ସଲମାନ ଏଫ ରହମାନ ଗତ କିଛି ଦିନ ହେବ ଫେରାର ଥିବା ବେଳେ ତାଙ୍କୁ ଖୋଜୁଥିଲା ସେଠାକାର ସେନା। ମାତ୍ର ଗତ ରାତିରେ ଉଭୟଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଉଭୟଙ୍କୁ ଗିରଫ କରିବା ପରେ କୁଖ୍ୟାତ ଅପରାଧି ପରି ସେମାନଙ୍କ ହାତକୁ ରଶିରେ ବାନ୍ଧି ଡଙ୍ଗାରେ କୂଳକୁ ଅଣାଯାଇଥିଲା। ଏଥିସହ ଗିରଫଦାରୀର ଘଣ୍ଟାକ ମଧ୍ୟରେ ଉଭୟଙ୍କ ଉପରେ ହତ୍ୟାକାଣ୍ଡର ଅଭିଯୋଗ ଲଗାଯାଇଛି। ବାଂଲାଦେଶରେ ଶାସନ ପରିବର୍ତ୍ତନ ହେବା ପୂର୍ବରୁ ହସିନାଙ୍କ ଆବାମୀ ଲିଗ୍ର ବହୁ ଆଗ ଧାଡ଼ିର ନେତା ଓ ପୂର୍ବ କ୍ୟାବିନେଟ ମନ୍ତ୍ରୀ ଦେଶ ଛାଡ଼ି ସାରିଛନ୍ତି। ଦେଶରେ ରହି ଯାଇଥିବା କିଛି ପୂର୍ବତନ ବରିଷ୍ଠ ମନ୍ତ୍ରୀ ଏବେ ଦେଶ ଛାଡ଼ିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ମାଡ଼ି ବସୁଛି ସେନା। ସେହିପରି ନିକଟରେ ବାଂଲାଦେଶର ପୂର୍ବ ବିଦେଶ ମନ୍ତ୍ରୀ ହସନ ମହମୁଦ, ଦୂରସଞ୍ଚାର ମନ୍ତ୍ରୀ ରହିଥିବା ଜୁନୈଦ ଅହମଦଙ୍କୁ ଗିରଫ କରିଛି ସେଠାକାର ସେନା। ଆବାମୀ ଲିଗ୍ର ମହାସଚିବ ତଥା ପୂର୍ବ ସଡ଼କ ପରିବହନ ମନ୍ତ୍ରୀ ଅବଦୁଲ କ୍ୱାଦର ଦେଶ ଛାଡ଼ି ଫେରାର ହେବାରେ ସକ୍ଷମ ହୋଇ ସାରିଛନ୍ତି। ହସିନାଙ୍କ ପୁତୁରା ତଥା ସାଉଥ ଢାକା ସିଟିର ମେୟର ଶେଖ ଫଜଲ ନୁର ମଧ୍ୟ ଶନିବାର ସକକାଳେ ସିଙ୍ଗାପୁର ପଳାଇଥିବା ସୂଚନା ମିଳିଛି।