ନୂଆଦିଲ୍ଲୀ,୦୭/୦୮: ଶେଖ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ତୀବ୍ର ହୋଇଛି। ବାଂଲାଦେଶରେ ହିଂସା ଥମିବାର ନାଁ ହେଉନାହିଁ। ସୋମବାର, ଶେଖ ହସିନାଙ୍କ ଇସ୍ତଫା ଓ ଦେଶଛାଡ଼ି ପଳାୟନ ପରେ ନୂଆ ସରକାର ଗଠନ ହୋଇଛି। ଏହାରି ଭିତରେ ବାଂଲାଦେଶରେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଉଛି। କେବଳ ଏତିକି ନୁହେଁ ହିନ୍ଦୁମାନଙ୍କ ଘରେ ପଶି ଦୁର୍ବୃତ୍ତ ମାନେ ଲୁଟପାତ୍ କରିବା ସହିତ ଦୁଷ୍କର୍ମ ଭଳି ମାମଲା ମଧ୍ୟ ସାମ୍ନାକୁ ଆସିଥିଲା। ଏହା ବ୍ୟତୀତ ଅନେକ ସ୍ଥାନରୁ ହିନ୍ଦୁମାନଙ୍କ ଉପରେ ମାଡ଼ ମରାଯାଉଥିବା ଭଳି ଖବର ମଧ୍ୟ ଆସିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାରର ଭିଡିଓ ଭାଇରାଲ ହେବାରେ ଲାଗିଛି। ମନ୍ଦିରରେ ନିଆଁ ଲଗାଇବା ସହିତ ଭଙ୍ଗାରୁଜା କରାଯାଉଥିବା ଭଳି ମାମଲା ଦେଖିବାକୁ ମିଳିଛି। ଆୱାମୀ ଲିଗ୍ ସହିତ ଥିବା ଅନେକ ନେତାଙ୍କ ଘରେ ନିଆଁ ଲଗାଇ ଦିଆଯାଇଛି।
ବାଂଲାଦେଶରେ ଇସଲାମିକ ମୌଳିକବାଦୀ ସଂଗଠନ ଢ଼ାକା ଧାନମଣ୍ଡିରେ ଥିବା ବାଂଲାଦେଶୀ ପ୍ରସିଦ୍ଧ ଗାୟକ ରାହୁଲ ଆନନ୍ଦଙ୍କ ୧୪୦ ବର୍ଷ ପୁରୁଣା ଘର ଉପରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଜଣେ ହିନ୍ଦୁ ଗାୟକଙ୍କ ଘରେ ନିଆଁ ଲଗାଇ ଦେଇଥିବାର ଖବର ମଧ୍ୟ ଆସିଛି। ଏଥିରେ ୩ ହଜାରରୁ ଅଧିକ ବାଦ୍ୟଯନ୍ତ୍ର ପାଉଁଶ ହୋଇଯାଇଥିଲା। ବାଂଲାଦେଶରୁ ଆସୁଥିବା ଖବର ଅନୁଯାୟୀ ସୋମବାର ଏବଂ ମଙ୍ଗଳବାର ଦିନ ହିଂସା ଘଟଣାରେ ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଅତି କମରେ ୯୭ ଟି ସ୍ଥାନରେ ଟାର୍ଗେଟ କରାଯାଇଥିଲା। ଅତିକମରେ ୧୦ ଟି ହିନ୍ଦୁ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଜଣେ ଅଭିନେତା ଓ କିଛି ନିରିହ ଲୋକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଭଳି ସମ୍ବେଦନଶୀଳ ଖବର ମଧ୍ୟ ଆସିଥିଲା।
ତମାମ ଖବର ଭିତରେ ସମସ୍ତ ଏୟାରଲାଇନ୍ସ ମଧ୍ୟ ସେମାନଙ୍କର ବିମାନ ଚଳାଚଳ ବନ୍ଦ କରିଦେଇଥିଲେ, କିନ୍ତୁ ବର୍ତ୍ତମାନ ଅନେକ ଭାରତୀୟ ବିମାନ କମ୍ପାନୀ ଏକ ବଡ଼ ଘୋଷଣା କରିଛନ୍ତି ଏବଂ ପୁନର୍ବାର ଢ଼ାକାକୁ ବିମାନ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛନ୍ତି ଏବଂ ଆଜିଠାରୁ ଏହି ବିମାନ ଚଳାଚଳ ଆରମ୍ଭ ହେବ। କହିରଖୁଛୁ ଯେ, ଏୟାର ଇଣ୍ଡିଆ ମଙ୍ଗଳବାର ଢ଼ାକାକୁ ସନ୍ଧ୍ୟାରେ ଏହାର ବିମାନ ଚଳାଚଳ କରୁଥିବାବେଳେ ଇଣ୍ଡିଗୋ ଏବଂ ଭିସ୍ତାରା ଆଜି ବୁଧବାର ଠାରୁ ନିର୍ଦ୍ଧାରିତ ବିମାନ ଚଳାଚଳ କରିବ। ସେଠାରେ ଥିବା ଭାରତୀୟ ମାନଙ୍କୁ ମଧ୍ୟ ସ୍ବଦେଶ ଫେରାଇ ଆଣିବାକୁ ସରକାର ସ୍ବତନ୍ତ୍ର ବିମାନ ପଠାଇବାକୁ ଯୋଜନା କରୁଥିବା କୁହାଯାଉଛି।