ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କଟକ ଜିଲ୍ଲାର ୭ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କଲା ବିଜେପି, ପ୍ରଥମ ଥର ନିର୍ବାଚନ ଲଢ଼ିବେ ୫ ନୂଆ ମୁହଁ

କଟକ, ୩।୪: ବିଧାନସଭା ନିର୍ବାଚନ ଲାଗି ବିଜେପି କଟକ ଜିଲ୍ଲାର ୭ ନିର୍ବାଚନମଣ୍ଡଳୀ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି । ଏଥିରେ ପାଞ୍ଚ ଜଣ ନୂଆମୁହଁ ଅଛନ୍ତି । ସେମାନେ ପ୍ରଥମ ଥର ନିର୍ବାଚନ ଲଢ଼ିବେ । ବାଙ୍କୀରୁ ତୁଷାର ଚକ୍ରବର୍ତ୍ତୀ, ଆଠଗଡ଼ରୁ ଅଭୟ ବାରିକ, ବଡମ୍ବାରୁ ସମ୍ବିତ ତ୍ରିପାଠୀ, ମାହାଙ୍ଗାରୁ ସୁମନ୍ତ ଘଡ଼େଇ ଓ କଟକ ସଦରରୁ ପ୍ରକାଶ ସେଠୀଙ୍କୁ ଦଳ ବିଶ୍ୱାସକୁ ନେଇଛି । ସେହିପରି ଚୌଦ୍ୱାର-କଟକରୁ ଦଳ ପୁନର୍ବାର ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି ଓ ନିଆଳିରୁ ବରିଷ୍ଠ ନେତା ଛବି ମଲ୍ଲିକଙ୍କୁ ଟିକଟ ଦେଇଛି । ବାରବାଟୀକଟକ ଓ ସାଲେପୁର ଆସନ ଲାଗି ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । ଟିକଟ ଘୋଷଣା ପରେ କଟକରେ ଆଜି ନିର୍ବାଚନୀ ମାହୋଲ ଜମିଛି । ଅନ୍ୟପକ୍ଷରେ ସଂଗଠନରେ ସକ୍ରିୟ ଥିବା ବିଜେପିର ଅନ୍ୟ ଆଶାୟୀମାନେ ନିରାଶ ହୋଇଛନ୍ତି । ସଙ୍ଗଠନ ସ୍ତରରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । 

ବାଙ୍କୀରୁ ଶୁଭ୍ରାଂଶୁ ଶେଖର ପାଢୀ, ଆଠଗଡ଼ରୁ ବ୍ରଜେନ୍ଦ୍ର ରାଏ, ବଡମ୍ବାରୁ ବିଜୟ ଦଳବେହେରା, ମାହାଙ୍ଗାରୁ ସାରଦା ପ୍ରଧାନ ଟିକଟ ରେସ୍‌ରେ ପଛରେ ପଡ଼ିଯାଇଥିବା ବେଳେ ସେମାନଙ୍କ ସମର୍ଥକ ଶିବିରରେ ନୈରାଶ୍ୟ ଖେଳିଯାଇଛି । କଟକସଦରରେ ଭେଟେରାନ୍‌ ଦିଲ୍ଲୀପ ମଲ୍ଲିକ ଲଢିବାକୁ ଅରାଜି ଥିବାରୁ ତାଙ୍କ ସମର୍ଥକମାନେ ନିରବି ଯାଇଛନ୍ତି । ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରଙ୍ଗର ୩୨ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ତୁଷାର ନିଜସ୍ୱ ସଂଗଠନ ଦମ୍‌ରେ ଟିକଟ ହାତେଇଛନ୍ତି । ୨୦୧୯ରେ ଏଠାରୁ ଶୁଭ୍ରାଂଶୁ ଶେଖର ପାଢୀଙ୍କୁ ଦଳ ପ୍ରାର୍ଥୀ କରିଥିଲା । କିନ୍ତୁ ଶୁଭ୍ରାଂଶୁ ତୃତୀୟ ସ୍ଥାନରେ ରହିଥିଲେ । ୨୦୨୨ ପଞ୍ଚାୟତ ନିର୍ବାଚନରେ କଟକ ଜିଲ୍ଲାର ଏକମାତ୍ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜୟ ବାନା ଉଡ଼ାଇଥିଲେ ତୁଷାର । ଯାହାକୁ ନେଇ ଦଳ ସମ୍ପୂର୍ଣ୍ଣ ବାଙ୍କୀ ନିର୍ବାଚନ ମଣ୍ଡଳୀ ପାଇଁ ଦଳ ତାଙ୍କ ଉପରେ ଆଶା ବାନ୍ଧିଛି । ଆଠଗଡ଼ରେ ଯୁବନେତା ଅଭୟ ବାରିକ ବିଜେପିରୁ ଏଥର ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ସାମ୍ନା କରିବେ । ରଣେନ୍ଦ୍ରଙ୍କ ପ୍ରମୁଖ ବିରୋଧୀ ଭାବେ ଉଭା ହୋଇଥିବା ଅଭୟ ୨୦୧୯ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୧୦ ହଜାରରୁ ଅଧିକ ଭୋଟ୍‌ ପାଇଥିଲେ । 

ବର୍ଷକ ତଳେ ବିଜେପିରେ ଯୋଗଦେଇ ଏଥର ବିଜେପି ବ୍ୟାନରରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ଅଭୟ । ପୂର୍ବ ନିର୍ବାଚନର ପ୍ରାର୍ଥୀ ବ୍ରଜେନ୍ଦ୍ର ରାଏଙ୍କୁ ନିରାଶ ହେବାକୁ ପଡ଼ିଛି । ୨୦୧୯ରେ ବଡମ୍ବାରେ ୭୨ ହଜାରରୁ ଅଧିକ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବିଜୟ ଦଳବେହେରାଙ୍କୁ ବିଜେପି ଦ୍ୱିତୀୟ ଥର ସୁଯୋଗ ଦେଇନାହିଁ । ପ୍ରଶାସନିକ ସେବାରୁ ଅବସର ଗ୍ରହଣ କରି କିଛି ମାସ ତଳେ ପଦ୍ମ ଧରିଥିବା ସମ୍ବିତ ତ୍ରିପାଠୀ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ଭେଟେରାନ୍‌ ଦେବୀ ପ୍ରସାଦ ମିଶ୍ରଙ୍କୁ ବଡ଼ମ୍ବାରେ ଟକ୍କର୍‌ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସମ୍ବିତ । ମାହାଙ୍ଗାରେ ଯୁବନେତା ସୁମନ୍ତ ଘଡ଼େଇଙ୍କୁ ବିଜେପି ଏଥର ପ୍ରାର୍ଥୀ କରିଛି । କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଖାସ୍‌ ଅନୁଗତ କୁହାଯାଉଥିବା ସୁମନ୍ତ ଟିକଟ ରେସ୍‌ରେ ସାରଦା ପ୍ରଧାନଙ୍କୁ ପଛରେ ପକାଇଛନ୍ତି । ସାରଦାଙ୍କୁ ଟିକଟ ନମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ସୁଦ୍ଧା ଏହା ପଛରେ ବିଜେପିର ସ୍ୱତନ୍ତ୍ର ରଣନୀତି ଥିବା କୁହାଯାଉଛି । କଟକ ସଦରରୁ ନୂଆମୁହଁ ଭାବେ ବିଧାନସଭା ନିର୍ବାଚନକୁ ଓହ୍ଲାଇବେ ପ୍ରକାଶ ସେଠୀ । ଯୁବନେତା ପ୍ରକାଶ ବିଜେପି ସଂଗଠନ ସହିତ ଦୀର୍ଘଦିନ ଧରି ଜଡ଼ିତ ରହିଆସିଛନ୍ତି । ସଂଗଠନ ଦୃଷ୍ଟିରୁ ସେ ସଦର ଅଞ୍ଚଳରେ ବେଶ୍‌ ସକ୍ରିୟ ଥିବାରୁ ୨୦୧୯ର ପ୍ରାର୍ଥୀ ଦିଲ୍ଲୀପ ମଲ୍ଲିକଙ୍କ ସ୍ଥାନରେ ପ୍ରକାଶଙ୍କୁ ଦଳ ପ୍ରାର୍ଥୀ କରିଛି । 

ଅନ୍ୟପକ୍ଷରେ ଚୌଦ୍ୱାର-କଟକରେ ଦଳ ପୂର୍ବ ଚାରି ଥରର ଦଳୀୟ ପ୍ରାର୍ଥୀ ନୟନ କିଶୋର ମହାନ୍ତିଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛି । ଯଦିଓ ଏଠାରେ ଅନେକ ପ୍ରାର୍ଥୀ ତାଲିକାରେ ରହିଥିଲେ ତଥାପି ନୟନଙ୍କୁ ଦଳ ପୁଣିଥରେ ବିଶ୍ୱାସ କରିଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ସେ ଚୌଦ୍ୱାର-କଟକରୁ ତିନିଥର ଓ କଟକ ସଦରରୁ ଥରେ ନିର୍ବାଚନ ଲଢି ପରାସ୍ତ ହୋଇଛନ୍ତି । ନିଆଳିରେ ଛବି ମଲ୍ଲିକ ବିଜେପିର ପ୍ରାର୍ଥୀ ହୋଇଛନ୍ତି । ୨୦୧୯ରେ ସେ ବିଜେପିରୁ ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୨୦୧୪ରେ କଂଗ୍ରେସରୁ ନିର୍ବାଚନ ଲଢିଥିଲେ । ଡା. ପ୍ରମୋଦ କୁମାର ମଲ୍ଲିକଙ୍କୁ ଟକ୍କର ଦେବାକୁ ଛବି ନିର୍ବାଚନ ମଇଦାନକୁ ଓହ୍ଲାଇବେ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.