ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ନିଲାମ ହେବ ବ୍ରିଟେନ୍‌ର ମହାରାଜା ଚାର୍ଲସଙ୍କ ନିର୍ମିତ ମୂର୍ତ୍ତି, ଜୁନ୍‌ ୪ରେ କରାଯିବ ନିଲାମୀ

ନୂଆଦିଲ୍ଲୀ ୨୮/୦୫: ସ୍କୁଲରେ ପଢୁଥିବା ସମୟରେ ବ୍ରିଟେନ୍‌ର ମହାରାଜା ତଥା ତତ୍କାଳୀନ ପ୍ରିନ୍ସ ଚାର୍ଲସ ବନାଇଥିବା ଏକ ମୂର୍ତ୍ତି ଏବେ ନିଲାମ ହେବାକୁ ଯାଉଛି । ନିଲାମକର୍ତ୍ତାମାନେ ତାର ଦାମ୍‌ ଭାରତୀୟ ମୁଦ୍ରାରେ ୧୦ ଲକ୍ଷ ଟଙ୍କା ରଖିଛନ୍ତି । ନିଲାମୀ ସମୟରେ ଏହାଠାରୁ ବି ଅଧିକ ଅର୍ଥ ମିଳିପାରେ ବୋଲି ସେମାନଙ୍କର ଆଶା ରହିଛି । ଜୁନ୍‌ ୪ରେ ତାର ନିଲାମୀ କରାଯିବ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମୟରେ ଚାର୍ଲସଙ୍କୁ ମିଳିଥିବା ପ୍ରୋଜେକ୍ଟ ଅନୁସାରେ ସେ ନିଜ ହାତରେ ଏହି ମାଟିର ଛେଳି ପ୍ରସ୍ତୁତ କରିଥିଲେ । ମୂର୍ତ୍ତି ଶୁଖିଯିବା ପରେ ତାକୁ ରଙ୍ଗ ମଧ୍ୟ ଦେଇଥିଲେ । ଚାର୍ଲସ ରାଜା ହୋଇଯିବା ପରେ ତାଙ୍କ ସହ ଜଡ଼ିତ ବିଭିନ୍ନ ଜିନିଷ ଏବେ ମୂଲ୍ୟବାନ ସମ୍ପତ୍ତି ପାଲଟିଯାଇଛି । ଏହି ଛେଳି ତାଙ୍କ ଦ୍ୱାରା ପ୍ରସ୍ତୁତ ଏକମାତ୍ର ମୂର୍ତ୍ତି ହୋଇଥିବାରୁ ନିଲାମୀରେ ସେଥିଲାଗି ୧୦ ଲକ୍ଷ ଦାମ୍‌ ରଖାଯାଇଛି । 

ବିଶେଷଜ୍ଞମାନଙ୍କ ଅନୁସାରେ, ସେତେବେଳେ ୱେଲସ ରୟାଲ୍‌ ରେଜିମେଣ୍ଟର ମାସ୍କଟ ଛେଳିଥିଲା । ସେଥିରୁ ହୁଏତ ଚାର୍ଲସ ଛେଳିର ମୂର୍ତ୍ତି ପ୍ରସ୍ତୁତ କରିବାକୁ ପ୍ରେରଣା ପାଇଥିଲେ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରୋଷେୟା ଭାବେ କାମ କରୁଥିବା ଜଣେ ମହିଳା ନେଲି ହେଲେନ୍‌ ପ୍ୟାଟନ୍‌ ଏହି ମୂର୍ତ୍ତିଟିକୁ ପାଇଥିଲେ । ପରେ ୧୯୬୯ରେ ସେ ତାକୁ ନିଜ ପୁତୁରାଙ୍କୁ ଉପହାର ଦେଇଥିଲେ । ବ୍ରିଟିଶ କଲମ୍ବିଆରେ ରହୁଥିବା ତାଙ୍କ ପୁତୁରା ରେମଣ୍ଡ ପ୍ୟାଟନ୍‌ଙ୍କୁ ଏବେ ୭୬ ବର୍ଷ । ଚାର୍ଲସ ରାଜା ହୋଇଯିବାପରେ ସେ ବ୍ରିଟେନ୍‌ର ଏକ ନିଲାମକାରୀ ସଂସ୍ଥା ସହିତ ଯୋଗାଯୋଗ କରିଥିଲେ । ମୂର୍ତ୍ତିଟିକୁ ସେମାନେ ଦେଖିବା ପରେ ଆସନ୍ତା ସପ୍ତାହରେ ନିଲାମୀ ଲାଗି ରଖାଯାଇଛି ।

ରେମଣ୍ଡ ପ୍ୟାଟନ କହିଛନ୍ତି, ପିଇସୀ ମା’ ମୋର ଜନ୍ମଦିନରେ ଏହାକୁ ଏକ ‘ସରପ୍ରାଇଜ୍‌ ଉପହାର’ ଭାବେ ଦେଇଥିଲେ । ରାଜା ଚାର୍ଲସ ଏହାକୁ ତିଆରି କରିଥିବା ସେ ମୋତେ କହିଥିଲେ । ୧୯୬୦ ଦଶକର ଶେଷ ଭାଗରେ ଚାର୍ଲସ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପଢ଼ିଥିବାବେଳେ ସେ କୁଇନ୍ସ କଲେଜର ଅଧ୍ୟକ୍ଷଙ୍କ ଘରେ ରୋଷେୟା ଭାବେ କାମ କରୁଥିଲେ । ସେହି ସୂତ୍ରରେ ଜଣେ ତାଙ୍କୁ ଏହି ମୂର୍ତ୍ତିଟି ଦେଇଥିଲେ । ପିଇସୀ ରାଜା ଚାର୍ଲସଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିଲେ । ତାଙ୍କୁ ରାଜପରିବାରର ସଦସ୍ୟମାନଙ୍କ ସେବା କରିବାର ସମ୍ମାନ ମିଳିଥିଲା । ସେ ମହାରାଣୀଙ୍କ ଲାଗି ମଧ୍ୟ ରୋଷେଇ କରିଥିଲେ । ୧୯୯୩ରେ ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା । ମୁଁ ସାରା ଜୀବନ ଏହି ମୂର୍ତ୍ତିକୁ ସମ୍ଭାଳି ରଖିଥିଲି । 

ସେପଟେ ନିଲାମକାରୀ ସଂସ୍ଥାର ମାଲିକ ଚାର୍ଲସ ହାନସନ୍‌ କହିଛନ୍ତି, ଏହି ରାଜକୀୟ ଜିନିଷ ପାଇ ଆମେ ବହୁତ ଖୁସି । ରେମଣ୍ଡ ଆମକୁ ଇ-ମେଲ୍‌ କରିବା ପରେ ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ । ପରେ ସେ ନିଜେ ବ୍ରିଟେନ୍‌ ଆସି ଆମକୁ ମୂର୍ତ୍ତିଟିକୁ ହସ୍ତାନ୍ତର କରିଥିଲେ । ରାଜା ଚାର୍ଲସ ସାରାଜୀବନ କଳାପ୍ରତି ଆଗ୍ରହ ପ୍ରଦର୍ଶନ କରିଆସିଛନ୍ତି । କିନ୍ତୁ ମୁଖ୍ୟତଃ ଚିତ୍ର ଲାଗି ସେ ପରିଚିତ । ଏହି ସେରାମିକ୍‌ କୃତି ତାଙ୍କର ଭିନ୍ନ ପ୍ରତିଭା ସଂପର୍କରେ ବର୍ଣ୍ଣନା କରୁଛି ।

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.