ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍

ନବରଙ୍ଗପୁର/କୋରାପୁଟ,୦୪/୦୫: କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଶନିବାର ଦେଖିବାକୁ ମିଳିବ ନବୀନଙ୍କ ଧମାଧମ୍‌ ପ୍ରଚାର । ବିଜେଡି ପାଇଁ ପ୍ରଚାର ମଇଦାନ କମ୍ପାଇବାକୁ ଓହ୍ଲାଇବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।

ଦିନକରେ ୪ ଜନସଭା କରିବେ ନବୀନ । ଶନିବାର ସକାଳ ସାଢ଼େ ୧୦ଟାରେ କୋରାପୁଟ ଓଏମ୍‌ପି ପଡ଼ିଆରୁ ଆରମ୍ଭ ହେବ ନବୀନଙ୍କ ପ୍ରଚାର ଅଭିଯାନ । ବିଜେଡି ପାଇଁ ଭୋଟ ଭିକ୍ଷା କରିବେ ନବୀନ । 

ଏହି କାର୍ଯ୍ୟକ୍ରମ ସାରି ଦିନ ୧୧ଟା ୪୦ରେ ନବରଙ୍ଗପୁର ସର୍କିଟ ହାଉସ ସାମ୍ନା ମାଝିଗୁଡ଼ା ପଡ଼ିଆରେ ନବୀନ କରିବେ ଜନସଭା । ଅପରାହ୍ନ ୩ଟା ୪୦ରେ ରାୟଗଡ଼ାର ଟିକିରିର ମୁଶୁରିପାଲ୍ଲାର ଛକରେ ବିଶାଳ ସମାବେଶକୁ ଉଦବୋଧନ ଦେବେ । ଅପରାହ୍ନ ୫ଟାରେ ଗଜପତିର ପାରଳାଖେମୁଣ୍ଡି ଷ୍ଟାଡିୟମରେ ବିଜେଡିର ସାଧାରଣ ସଭାରେ ଯୋଗ ଦେଇ ଭୋଟ ପ୍ରଚାର କରିବେ । ସେଠାରୁ ସନ୍ଧ୍ୟାରେ ନବୀନ ଭୁବନେଶ୍ୱର ଫେରିବେ ।

ଗତ ଏପ୍ରିଲ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଚାର ମଇଦାନକୁ ପ୍ରଥମ କରି ଓହ୍ଲାଇଥିଲେ ହିଞ୍ଜିଳି ଓ ଶେରଗଡ଼ରେ । ଶନିବାର ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲା ଗସ୍ତ କରି ମାରାଥନ୍‌ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ସବୁଠି ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଜେଡି କର୍ମୀ ଓ ନେତାମାନେ ମଧ୍ୟ ବେଶ୍‌ ଉତ୍ସାହିତ ଅଛନ୍ତି । 

ନବୀନଙ୍କ ଏହି ଗସ୍ତ ଉପରେ ସାରା ଓଡ଼ିଶାର ନଜର ରହିଛି । ପ୍ରଥମ ନିର୍ବାଚନୀ ସଭାରେ ବିକାଶକୁ ଫୋକସ କରିବା ସହ ବିରୋଧୀ ଦଳକୁ ବିକାଶ ବିରୋଧୀ ବୋଲି ନବୀନ କହିଥିଲେ । ଏଥର ପ୍ରଚାର ମଇଦାନରେ ନବୀନ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିବେ ନା କେବଳ ବିକାଶ ଏଜେଣ୍ଡା ଉପରେ ଫୋକସ କରିବେ, ତାହା ଉପରେ ସମସ୍ତ ରାଜନୈତିକ ଦଳ ନଜର ରଖିଛନ୍ତି । ନବୀନଙ୍କ ଗସ୍ତ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଦଳର ବଳ ବଢ଼ାଇବ ।

ମୁଖ୍ୟମନ୍ତ୍ରୀ ଶନିବାର ସକାଳ ୯ଟା ବେଳେ ନବୀନ ନିବାସରୁ ଭୁବନେଶ୍ୱର ବିମାନବନ୍ଦରରେ ଯିବେ । ସେଠାରୁ ବିମାନରେ ଜୟପୁରକୁ ଉଡ଼ାଣ ଭରିବେ । ୧୦ଟା ୪୦ରେ କୋରାପୁଟ ଓଏମ୍‌ପି ପଡ଼ିଆ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇବେ ।  ଆୟୋଜିତ ସଭାରେ ଯୋଗଦେଇ ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । 

ଶନିବାର ପୂର୍ବାହ୍ନ ୧୧ଟା ୪୦ରେ ସ୍ୱତନ୍ତ୍ର ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ମାଝୀଗୁଡ଼ା ସର୍କିଟ୍‌ ହାଉସ୍‌ ପଡ଼ିଆରେ ପହଞ୍ଚି ନିର୍ବାଚନୀ ସଭାରେ ଯୋଗଦେବେ । ଏଥିଲାଗି ସର୍କିଟ୍‌ ହାଉସ୍‌ ପଡ଼ିଆରେ ବ୍ୟାରିକେଡ୍‌ କରାଯାଇଛି । ଲୋକସଭା କ୍ଷେତ୍ରର ୭ଟି ନିର୍ବଚନମଣ୍ଡଳୀର କର୍ମୀ ଓ ଜନସାଧାରଣଙ୍କ ପାଇଁ ୩ଟି ବିରାଟ ଟେଣ୍ଟ୍‌ ପ୍ରସ୍ତୁତି କାମ ସରିଛି । 

ନବରଙ୍ଗପୁରର କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ଅପରାହ୍ନ ୩ଟାରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରିରେ ପହଞ୍ଚିବେ । ସେଠାରେ ଆୟୋଜିତ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପରେ ହେଲିକପ୍ଟରରେ ପାରଳାଖେମୁଣ୍ଡି ଯିବେ । ପାରଳାଖେମୁଣ୍ଡି ଷ୍ଟାଡିୟମରେ ଜନସଭାକୁ ସମ୍ବୋଧନ କରିବେ ନବୀନ ।ସମସ୍ତ କାର୍ଯ୍ୟକ୍ରମରେ ଲୋକସଭା ପ୍ରାର୍ଥୀ ଓ ଦଳର ବିଧାୟକ ପ୍ରାର୍ଥୀ ଉପସ୍ଥିତ ରହିବେ ନବୀନଙ୍କ ମଞ୍ଚରେ । ପାରଳାଖେମୁଣ୍ଡି କାର୍ଯ୍ୟକ୍ରମ ସାରିବା ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ । 

ନବୀନଙ୍କ ଗସ୍ତ ନେଇ ବିଜେଡି ପକ୍ଷରୁ ଜିଲ୍ଲା ପର୍ଯ୍ୟବେକ୍ଷକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ବିଜେଡି ନେତା ରବି ପଟ୍ଟନାୟକ, ମଞ୍ଜୁଳା ମାଝୀ, ତାପସ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । 

ଅନ୍ୟପକ୍ଷେ ମୁଖ୍ୟମନ୍ତୀଙ୍କ କାର୍ଯ୍ୟକ୍ରମକୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସର୍କିଟ୍‌ ହାଉସ୍‌ ପଡ଼ିଆ ନିକଟରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପଡ଼ିଆଠାରୁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପର୍ଯ୍ୟନ୍ତ ପୁଲିସ୍‌ ଛାଉଣି ରହିଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ବିବରଣୀ ସମ୍ପୂର୍ଣ୍ଣ ଗୋପନ ରଖାଯାଇଥିବା ଏସ୍‌ପି ରୋହିତ ବର୍ମା କହିଛନ୍ତି । 

 

   

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.