ନୂଆଦିଲ୍ଲୀ: ସାରାଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ଚିଲି । ଜଙ୍ଗଲରେ ଲାଗିଥିବା ନିଆଁ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ନିଆଁକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ପ୍ରଶାସନ । ଅଲ ଜଜିରା ରିପୋର୍ଟ ଅନୁଯାୟୀ, ଜଙ୍ଗଲରେ ନିଆଁ ଲାଗିବା କାରଣରୁ ଏପର୍ଯ୍ୟନ୍ତ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡ ଯୋଗୁଁ ହଜାର ହଜାର ଏକର ଜଙ୍ଗଲ ନଷ୍ଟ ହୋଇଯାଇଛି ଏବଂ ଆକାଶରେ ଧୂଆଁର ଘନ ଆସ୍ତରଣ ଖେଲି ରହିଛି । ଜଙ୍ଗଲରେ ବ୍ୟାପକ ଅଗ୍ନିକାଣ୍ଡ ହେତୁ ଭିନା ଡେଲମାର ଏବଂ ବାଲପରାଏସୋର କେନ୍ଦ୍ରୀୟ ଅଞ୍ଚଳରେ ରହୁଥିବା ଲୋକମାନେ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି ।
ଚିଲିର ରାଷ୍ଟ୍ରପତି ଗୋବ୍ରିଏଲ୍ ବୋରିକ୍ ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି ଯେ, ନିଆଁ ଲିଭା କାର୍ଯ୍ୟରେ ସମସ୍ତ ବାହିନୀ ନିୟୋଜିତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।
ଏଲ୍ ନିନୋ ପାଣିପାଗ ପାଇଁ ସୃଷ୍ଟି ହୋଇଥିବା ଏକ ଉତ୍ତାପ ଲହର ଏବଂ ଶୁଖାପଣ ପାଇଁ ଦକ୍ଷିଣ ଆମେରିକାର କିଛି ଅଞ୍ଚଳରେ ନିଆଁ ବୃଦ୍ଧି ପାଉଛି, କାରଣ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ବିଶ୍ୱ ତାପମାତ୍ରା ଅଧିକ ଉତ୍ତାପ ଏବଂ ଅଗ୍ନିକାଣ୍ଡ ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନା ବଢାଉଛି।