ଢେଙ୍କାନାଳ, ୦୭/୦୮ : ‘କାର୍ଗିଲ ଶାଢ଼ି’ ଢେଙ୍କାନାଳ ହସ୍ତତନ୍ତର ଏକ ସ୍ୱତନ୍ତ୍ର ପରିଚୟ । କାର୍ଗିଲ ଯୁଦ୍ଧର ବିଜୟ ଗୌରବକୁ ଉଜ୍ଜୀବିତ ରଖିବାକୁ ବୁଣାକାରଙ୍କର ଏହା ଏକ ନିଆରା ପ୍ରୟାସ । ଅନ୍ୟ ଶାଢ଼ିଠାରୁ ଭିନ୍ନ ଏକ ପରିଚୟ ସୃଷ୍ଟି କରିପାରିଛି କାର୍ଗିଲ୍ ଶାଢ଼ି । ମାତ୍ର, ଏହା କେବଳ ଭିନ୍ନତାରେ ହିଁ ସୀମିତ ରହିଯାଇଛି । ପ୍ରଚାର, ପ୍ରସାର କରି ଏହାର ବ୍ରାଣ୍ଡିଂ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ସଦୃଶ ହୋଇଛି । ପ୍ରୋତ୍ସାହନ ଅଭାବରୁ ଦୁଇ ବର୍ଷ ହେଲା ‘କାର୍ଗିଲ ଶାଢ଼ି’ ବ୍ରାଣ୍ଡିଂ ଅପେକ୍ଷାରେ ରହିଛି । ହସ୍ତତନ୍ତ ପାଇଁ ଜିଲ୍ଲାର ସଦର ବ୍ଲକ୍ର ସରାକପାଟଣା, ଚଷାପଡ଼ା, ଓଉଖମା, ବାଲିଅମ୍ବା, କଣ୍ଟାପାଟଣା, ରଥପଦା, ଚନ୍ଦ୍ରଶେଖରପୁର ଓ ଓଡ଼ାପଡ଼ା ବ୍ଲକ୍ର ସିମିନଈର ନାଁ ରହିଛି । ପୂର୍ବପୁରୁଷ ଅମଳରୁ ଏସବୁ ଗାଁରେ ତନ୍ତ ଚାଲି ଆସିଛି । ସରାକପାଟଣାର କାର୍ଗିଲ୍ ଶାଢ଼ି ବେଶ୍ ଲୋକପ୍ରିୟତା ହାସଲ କରିବା ସହ ଜିଲ୍ଲା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।
କାର୍ଗିଲ ଯୁଦ୍ଧ ପରେ ୨୦୦୨ରୁ କାର୍ଗିଲ ଶାଢ଼ିର ବୁଣା ଆରମ୍ଭ ହୋଇଥିବା ବୁଣାକାରମାନେ କହିଛନ୍ତି । କାର୍ଗିଲ ପର୍ବତ ତିଖ ହୋଇଥିବାରୁ ଉକ୍ତ ଶାଢ଼ିରେ ସେହିଭଳି ଡିଜାଇନ୍ କରାଯାଇଛି । ଶାଢ଼ିର ଦୁଇ ଧାରରେ ତିଖ ପାହାଡ଼ ଭଳି ଡିଜାଇନ୍ ରହିଛି । ଅନ୍ୟ ଶାଢ଼ିରେ କମ୍ ଉଚ୍ଚର ସେଭଳି ଡିଜାଇନ୍ ରହିଥିବା ବେଳେ କାର୍ଗିଲ ଶାଢ଼ିରେ ତାହା ଅଧିକ ରହିଥାଏ । ଯାହା ଶାଢ଼ିକୁ ଅଧିକ ଆକର୍ଷଣୀୟ ରୂପ ଦେଇଥାଏ । ଏଥିସହ କାନିରେ କୋଣାର୍କ ଚକ୍ର ଭଳି ଡିଜାଇନ୍ ରହିଥିବା ଦେଖାଯାଏ । ତ୍ରିରଙ୍ଗା ଶାଢ଼ି, ବଡ଼ିବାନ୍ଧ ଶାଢ଼ି, ଝରଣା କୁମ୍ଭ ଆଦି ଶାଢ଼ି ବୁଣୁଥିଲେ ହେଁ, କାର୍ଗିଲ ଶାଢ଼ି ଅଧିକ ପରିମାଣରେ ବୁଣିଥାନ୍ତି ବୁଣାକାର । କାର୍ଗିଲ ଶାଢ଼ିର ଦର ମଧ୍ୟ ସବୁ ବର୍ଗଙ୍କୁ ସୁହାଇଲା ଭଳି । ଏଣୁ ଏହାର ଚାହିଦା ରହିଆସିଛି । ଚାହିଦାକୁ ଦେଖି ୨୦୨୨ ମସିହାରେ ତତ୍କାଳୀନ ଜିଲ୍ଲାପାଳ ସରୋଜ କୁମାର ସେଠୀ ଏହାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ବୁଣାକାରଙ୍କୁ ନେଇ ଏକ ବୈଠକ ହୋଇଥିଲା । କାର୍ଗିଲ ଶାଢ଼ିର ବ୍ରାଣ୍ଡିଂ କରାଯାଇ କିଭଳି ବିଭିନ୍ନ ସ୍ଥାନ ସମେତ ଅନଲାଇନ୍ରେ ବିକ୍ରି ହୋଇ ପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା । ଢେଙ୍କାନାଳ ସଦର ମହକୁମାରେ ଏହାର ବିକ୍ରି ପାଇଁ ଏକ ଘର ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ବୈଠକ ପରେ କିଛି ଦିନ ପାଇଁ ବୁଣାକାର ରମେଶ ସାହୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପସରା ଖୋଲି ବିକ୍ରି କଲେ । ମାତ୍ର ଘର ନ ମିଳିବା ସହ ସହଯୋଗ ନ ମିଳିବାରୁ ସେଠାରେ ବିକ୍ରି ବନ୍ଦ କରିଦେଇଥିବା ଶ୍ରୀ ସାହୁ କହିଛନ୍ତି ।
ବୈଠକକୁ ୨ ବର୍ଷ ବିତିଥିଲେ ବି ପ୍ରଶାସନ ସେପରି କିଛି ପଦକ୍ଷେପ ନେଇ ନାହିଁ । ଫଳରେ କାର୍ଗିଲ ଶାଢ଼ି ବ୍ରାଣ୍ଡିଂ ଅପେକ୍ଷାରେ ରହିଯାଇଛି । ସେହିପରି ବୁଣାକାରଙ୍କ ସମସ୍ୟା ନ କହିବା ଭଲ । ସୂତା କିଣାଠାରୁ ବିକ୍ରିବଟା ପର୍ଯ୍ୟନ୍ତ ସବୁଥିରେ ସମସ୍ୟା । ସୂତା ବଣ୍ଡଲ ୩ ହଜାରରୁ ୪ ହଜାର ଟଙ୍କା ରହିଛି । ଧଳା ସୂତାକୁ ରଙ୍ଗ କରିବା ପାଇଁ ଆଗରୁ ମାତ୍ର ୧୦୦ ଟଙ୍କା ମଧ୍ୟରେ ଖର୍ଚ୍ଚ ହେଉଥିଲା । ଏବେ ବଢ଼ି ଅଢ଼େଇ ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି । ରଙ୍ଗ କରିବା ପରେ ଅରଖରେ ସାଇଜ୍ କରି, ପାହ୍ନିଆ କରି ପୁଣି ତନ୍ତରେ ବୁଣିଲା ବେଳକୁ ପ୍ରାରିଶ୍ରମିକ ବି ଲାଗୁଛି । ସେହି ତୁଳନାରେ ଶାଢ଼ିର ଦର ବଢ଼ି ପାରୁନାହିଁ । ବଜାର ବ୍ୟବସ୍ଥା ନ ଥିବାରୁ ବିକ୍ରିକୁ ଡରି ଦର ଅଦରରେ ଦଲାଲଙ୍କ ହାତରେ ଟେକି ଦେଉଥିବା ବୁଣାକାର ବେନୁ ଚରଣ ରାଉତ ପ୍ରକାଶ କରିଛନ୍ତି । ବୁଣାକାରଙ୍କ ସୁବିଧା ପାଇଁ ଜିଲ୍ଲାରେ ୫ଟି ତନ୍ତ୍ରବାୟ ସହଯୋଗ ସମିତି ରହିଥିବା ବେଳେ ସେଥିରୁ ୩ଟି କାର୍ଯ୍ୟକ୍ଷମ ରହିଛି । ମାତ୍ର ସମିତିକୁ ସରକାରଙ୍କ ତରଫରୁ ଆର୍ଥିକ ସହଯୋଗ ମିଳୁ ନ ଥିବାରୁ ବୁଣାକାରଙ୍କୁ ଏହା ସହଯୋଗ କରିପାରୁନାହିଁ । ବୁଣିବା ପାଇଁ ଘର, ଇନ୍ଭର୍ଟର ଦିଆଯାଉଥିଲେ ବି ସମସ୍ତଙ୍କୁ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ସେହିଭଳି ୧୯୯୭ରେ ତିଆରି ହୋଇଥିବା ହସ୍ତତନ୍ତ୍ର ବସ୍ତ୍ର ବିକ୍ରୟ କେନ୍ଦ୍ର ବି ବନ୍ଦ ପଡ଼ିଛି । ତେବେ ପ୍ରଶାସନ ପକ୍ଷରୁ ଚଳିତ ବର୍ଷ କିଛି ତନ୍ତ, ଇନ୍ଭର୍ଟର ଆଦି ଯୋଗାଇ ଦିଆଯାଇଛି । ସେହିଭଳି ସରାଗପାଟଣାରେ ଏକ ପ୍ରଶିକ୍ଷଣ ଶିବିର କରାଯାଇଥିଲା ବୋଲି ତନ୍ତବାୟ ସମିତିର ସମ୍ପାଦକ ସୁଦାମ ଚରଣ ରାଉତ କହିଛନ୍ତି । ବୟନଶିଳ୍ପ ସହକାରୀ ନିର୍ଦ୍ଦେଶକ ଶ୍ରୀକାନ୍ତ ନାୟକଙ୍କୁ ଯୋଗାଯୋଗ ଉଦ୍ୟମ କରାଯାଇଥିବା ବେଳେ ସମ୍ଭବ ହୋଇପାରିନାହିଁ ।