ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନିଦବ୍ୟାକୁଳ ନୀଳଗ୍ରହର ମଣିଷ

ଭୁବନେଶ୍ୱର: ମହାଭାରତ ଯୁଦ୍ଧର ଦଶମ ଦିନରେ ଭୀଷ୍ମ ପିତାମହଙ୍କୁ ଶରଶଯ୍ୟାରେ ଶୋଇବାକୁ ପଡ଼ିଲା । ଏକାବନ ରାତି କଟେଇବା ପରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଦିନ ମହାପ୍ରୟାଣ ହେଲା । ଏଠାରେ କହିବା କଥା ହେଲା, ଇଚ୍ଛାମୃତ୍ୟୁ ବା ଅମରତ୍ୱ ପାଇବା ସତ୍ତେ୍ୱ ବି ଜଣେ ଚିରନିଦ୍ରାକୁ ଆପଣାଇପାରେ । ନିଜ ଭିତରେ ବ୍ରହ୍ମାଣ୍ଡ ଥିବା ପ୍ରମାଣ କରିସାରିଥିବା ଯଦୁ ସମ୍ରାଟଙ୍କୁ ଯେ ଅନ୍ତିମ ନିଦ୍ରାପାଇଁ ଶିଆଳିଲଟାରେ ବାଛିବାକୁ ପଡ଼ିବ, ଏକଥା କିଏବା ଭାବିବ । ଭଦୱା, ରାଜସ୍ଥାନର ୪୨ବର୍ଷୀୟ ପୁରଖାରାମଙ୍କୁ ବାର୍ଷିକ ୩୦୦ଦିନ ଶୋଇବାକୁ ପଡ଼େ । ତେଇଶି ବର୍ଷତଳେ ଆକ୍ସିସ ହାଇପର ସୋମିଆ ଜଣାପଡ଼ିବା ପରେ ସେ ଥରକେ ତେଇଶ-ପଚିଶ ଦିନ ଶୋଇବାକୁ ଲାଗିଲେ । ଥରେ ନିଦ ଆସିଲେ ଉଠେଇବା କଷ୍ଟ । ଲୋକମାନେ କଥା ହେଲେ ପୁରଖାରାମ ହେଉଛନ୍ତି ବାସ୍ତବ ଜୀବନର କୁମ୍ଭକର୍ଣ୍ଣ । କୁମ୍ଭକର୍ଣ୍ଣ ଗୋଟିଏ ଥରକେ ଛଅ ମାସ ନିଦ ଯାଆନ୍ତି । ଉଠେଇଲା ବେଳକୁ ନାକେଦମ ।

ଟିକେ ଭଲ ନିଦ ପାଇଁ ଏ ନୀଳଗ୍ରହର ମଣିଷ ଆଜି ବ୍ୟାକୁଳ । ପହଞ୍ଚି ଯାଉଛି ଡାକ୍ତରଙ୍କ ପାଖରେ ତ କେତେବେଳେ ଯୋଗଗୁରୁଙ୍କ ପାଖରେ । କେହି ଶରୀରକୁ ନିୟନ୍ତ୍ରଣରେ ଆଣିବାକୁ ବ୍ୟାୟାମଶାଳାରେ ଲୁହା ସାଙ୍ଗେ ଲୁହା ହେଉଛି ତ ଆଉ କାହାରିକୁ ପାର୍କରେ ଝାଳବୁହା ଚାଲି ଚାଲିବା ପାଇଁ ଡାକ୍ତରଙ୍କ ପରାମର୍ଶ ଅଛି । ରୋଗ ବଢୁଛି ଆଉ ସେଇ ଅନୁପାତରେ ରୋଗୀସଂଖ୍ୟା । ଶାରୀରିକ ଶ୍ରମ କମିବା ଆଉ ମାନସିକ ଚାପଜନିତ ସ୍ନାୟୁବିକ ଦୁର୍ବଳତା ନିଦ୍ରାହୀନତାର କାରଣ । ପୁଣି କେହି ମତ ରଖନ୍ତି ଯେ ଜୀବନ ଜିଇଁବାର ଧାରା ପରିବର୍ତ୍ତିତ ହେବା ଆଉ ବୈଦ୍ୟୁତିକ ଉତ୍ପାଦ ସହ ସମୟ ଦେବାରୁ ବଢିଛି ମଣିଷର ଅବସାଦ ପୁଣି ଏକବିଂଶ ଶତାବ୍ଦୀର ନିଦ୍ରାହୀନତା (ଇନସୋମନିଆ)ଭଳି ରୋଗ । ଡାକ୍ତରଙ୍କ ପରାମର୍ଶ ବିନା ଜଲପିଡ଼ମ, ମେଲାଟୋନିନ, ଟେମାଜେପାମ କି ଜଲେପ୍ଲୋନ ନେଇ ସୁଖନିଦ୍ରାର ଭାଗିଦାର ହେବାକୁ ଚାହୁଁଥିବା ମଣିଷ ପାଇଁ ସତର୍କବାଣୀ, ଏହା ହୁଏତ ଅକାଳ ନିଦ୍ରାର କାରଣ ହୋଇପାରେ । କୁଅଭ୍ୟାସରୁ ନିଦ ନହେବା ଆଉ ବଜାରରେ ମିଳୁଥିବା ନିଦବଟିକା ଖାଇ ଶରୀରର ଅଙ୍ଗଗୁଡ଼ିକ ନିଷ୍କ୍ରିୟ କରିବା ଅପେକ୍ଷା ଆଞ୍ଜୁଳାଏ ନିଦପାଇଁ ମା' ନିଦ୍ରାଦେବୀଙ୍କୁ ସ୍ମରଣ କରି ଅସଫଳ ହେବା ଶହେଗୁଣ ଭଲ ।

ଦେବଶୟନୀ ଏକାଦଶୀ ବା ଆଷାଢ଼ ଏକାଦଶୀ ଠାରୁ ଦେବ ଉତ୍‌ଥାପନୀ ଏକାଦଶୀ ବା ପ୍ରବୋଧିନୀ ଏକାଦଶୀ, ଏହି ଚତୁଃମାସ ବିଷ୍ଣୁଙ୍କର କ୍ଷୀରସାଗରରେ ଶେଷନାଗଙ୍କ ଉପରେ ଶୟନ । ନିଜେ ସୃଷ୍ଟିର ପ୍ରାଣକର୍ତ୍ତା ତ୍ରାଣକର୍ତ୍ତା ଶୟନ ଯିବେ ସୃଷ୍ଟି ରହିବ କେମିତି! ହେଲେ ହରିଶୟନ ଅବସ୍ଥା ଯୋଗନିଦ୍ରା (ଇଂରାଜୀରେ କସ୍‌ମିକ ସ୍ଲିପ) ହୋଇଥିବାରୁ ହରିଙ୍କର ସମସ୍ତ ଶକ୍ତି ବ୍ରହ୍ମାଣ୍ଡକୁ ଅଧିକ ଆକର୍ଷଣ କରିଥାଏ, ଯେମିତି କୃଷ୍ଣଗର୍ତ୍ତ ସବୁ ସତ୍ତାକୁ ନିଜ ଭିତରକୁ ଟାଣିନେଇପାରେ । ଗୋଟିଏ କଳ୍ପ (ଯାହା ମଣିଷ ପାଇଁ ୪.୩୨ ବିଲିୟନ ବର୍ଷ ଆଉ ବ୍ରହ୍ମାଙ୍କର ଗୋଟିଏ ଦିନ) ଭାଗ ହେବାପରେ ବ୍ରହ୍ମା ଶୋଇବାକୁ ଯାଆନ୍ତି । ଏହି ସନ୍ଧିକ୍ଷଣ ସମୟରେ ପ୍ରଳୟଙ୍କରୀ ଅନ୍ଧାର ମାଡ଼ିଆସେ ବୋଲି ହିନ୍ଦୁ ଶାସ୍ତ୍ର ବର୍ଣ୍ଣନା ଏକ ଦୁର୍ଲଭ ଅବତାରଣା । ହେଲେ ସୃଷ୍ଟି ପାଳକଙ୍କ ନିଦ୍ରାବସ୍ଥାକୁ ନେଇ କେହି ଆତଙ୍କିତ ହେବାକଥା ନୁହେଁ । ଖ୍ରୀଷ୍ଟ ବିଶ୍ୱାସରେ ପରମପିତାଙ୍କ ନିଦ୍ରାବସ୍ଥା ବର୍ଣ୍ଣିତ ଅଛି । ନିଦକୁ ନେଇ ପବିତ୍ର କୋରାନ କହେ ଏହା ଆହ୍ଲାଙ୍କ ବରଦାନ । ଜୀବଜଗତର ମଙ୍ଗଳ ନିମିତ୍ତ ଆହ୍ଲା ଶୟନ ସୃଷ୍ଟି କରିବା ସହ ଶୟନର ସମୟ ନିର୍ଘଣ୍ଟ କରିଛନ୍ତି । ପୁଣ୍ୟବ୍ରତା ଶ୍ରୀମା ଓ ପୁଣ୍ୟପାଦ ଅରବିନ୍ଦ ଜୀବନର ଶେଷଭାଗ ଶୋଇନଥିବା କଥା ଆଧ୍ୟାତ୍ମିକ ଜାଗରଣର କଥା ହୋଇପାରେ । ଚଉଦ ବର୍ଷ ବନବାସ କାଳରେ ପ୍ରଭୁ ଲକ୍ଷ୍ମଣ ପଲକ ପକେଇନଥିବା କଥା ଭକ୍ତିଯୋଗର ଉଚ୍ଚତ୍ତର ସୋପାନ କଥା ହୋଇପାରେ । ହେଲେ ଆମେ ସାଧାରଣ ମଣିଷ ପାଇଁ ଦୈନିକ ଅନ୍ୟୁନ ଆଠଘଣ୍ଟାର ନିଦ ଏକାନ୍ତ ଜରୁରି । ସୀମିତ ଆୟୁର ସଂସ୍କରଣ ହେତୁ ମଣିଷ ଲାଗି ନିଦ ଏକ ଅମୂଲ୍ୟ ସମ୍ପତ୍ତି । ଭାରତୀୟମାନେ କ୍ରମଶଃ ନିଦବିଲୁପ୍ତ ପ୍ରାଣୀ ହେଉଥିବାବେଳେ ଫୁଟ୍‌ପାଥରେ ଶୋଉଥିବା ବେଘର ୧୭ଲକ୍ଷ ଲୋକ, ଆଉ ସାଧାରଣ ସଭାରେ ଶୋଇପଡୁଥିବା ନେତାଙ୍କୁ ଦେଖିଲେ କେହି କହିବନି ଯେ ଏ ଦେଶରୁ ନିଦ୍ରାଦେବୀ ପଳାତକ ହୋଇଛନ୍ତି ବୋଲି ।

ଜୀବନ ଯେଉଁଠି, ମୃତ୍ୟୁ ବା ଚିରନିଦ୍ରାର ଅବକାଶ ସେଇଠି । ସୁସ୍ଥ ଶରୀର ପାଇଁ ଦୈନିକ ନିଦ୍ରାର ଆବଶ୍ୟକତା ରହିଛି । ସେହିପରି ନିଦ୍ରାଯିବାର ସ୍ଥାନ, କାଳ ଆଉ ପାତ୍ର ମଧ୍ୟ ସ୍ଥିରୀକୃତ ହୋଇଛି । ଜାହାଜ ଆକାଶରେ ଥାଇ କକ୍‌ପିଟ୍‌ରେ ଶୋଇପଡୁଥିବା ବୈମାନିକମାନେ (ଛପନ ପ୍ରତିଶତ ସ୍ୱୀକାର କରିଛନ୍ତି) ଜାଣିବା ଉଚିତ ଯେ, କେତେ ଅମୂଲ୍ୟ ଜୀବନଙ୍କ ସୁରକ୍ଷା ପାଇଁ ସେମାନେ ହିଁ ଉତ୍ତରଦାୟୀ । ଏବେତ ବାସ୍ତୁବିଦମାନଙ୍କ ପ୍ରତ୍ୟକ୍ଷ ପରାମର୍ଶରେ ଶୟନକକ୍ଷ ତିଆରି ହେଉଛି । ଶୟନକକ୍ଷର ରଙ୍ଗ, ମୁଣ୍ଡ ଦବାର ଦିଗ, ପଲଙ୍କ, ତୂଳୀ-ତଳ୍ପ, ଆଲୋକୀକରଣ ଆଉ ବାୟୁ ପ୍ରଚଳନ କଥା ବିଚାରକୁ ନିଆଯାଉଛି । ସୁଖନିଦ୍ରା ଟିକିଏ ପାଇଁ ମଣିଷର ବ୍ୟାକୁଳତା ବଢିଛି । ତାଳ, ଖଜୁରି ବିଞ୍ଚଣା ଉପରେ ଭାରୀ ପଡୁଥିବା ପଙ୍ଖା ଆଉ ବାତାନୁକୂଳ ବ୍ୟବସ୍ଥା ସତ୍ତେ୍ୱ ମଣିଷର ଶୋଇବା ସମୟ କମିଯାଉଛି । ଆକଳନ ମୁତାବକ କେବଳ ଫିନଲାଣ୍ଡ ଓ ନରୱେ ଦେଶର ଅଧିବାସୀଗଣ ଆବଶ୍ୟକ ହାରାହାରି ଉତ୍ତମ ନିଦ୍ରାର ହକ୍‌ଦାର ହାଇଛନ୍ତି । ନେଦରଲାଣ୍ଡ, ଡେନମାର୍କ ଓ ସୁଇଡେନ ଆଦି ଦେଶ ସୁନିଦ୍ରା ଯାଉଥିବା ଦେଶ ସାରଣୀ ଶୀର୍ଷ ୩ ସ୍ଥାନରେ, ଦୈନିକ ହାରାହାରି ୯ଘଣ୍ଟା ଶୋଉଥିବା ଉକ୍ତ ଦେଶର ଲୋକମାନେ କର୍ମଠ ତଥା ଦୀର୍ଘାୟୁ ।

ଗତବର୍ଷ ନଭେମ୍ବର ୮ ମଧ୍ୟରାତ୍ରିରେ ଚାଇନାର ପେସାଦାର ଚୋର ୟାଙ୍ଗ ଘରେ ପ୍ରବେଶ କରି ଚୋରି କରୁକରୁ ଶୋଇପଡ଼ିଲା । ଘୁଙ୍ଗୁଡ଼ି ମାରୁଥିବା ୟାଙ୍ଗକୁ ଦେଖି ଘରମାଲିକାଣୀ ତାଜୁବ ହୋଇଗଲେ । ପୋଲିସକୁ ଖବର ଦେବାରେ ସେ ଗିରଫ ହେଲା । ଧନ ଦଉଲତ ଚୁଲିକୁ, ନିଦପ୍ରତି ମଣିଷର କେତେ ଆଗ୍ରହ ସତେ! ହୁଏତ ୟାଙ୍ଗର କୌଣସି ନିଶାସେବନ ଆଉ ସୁଯୋଗକୁ ଅପେକ୍ଷା ତା’ ନିଦର କାରଣ ହୋଇପାରେ । ହେଲେ ନିଦ ଟିକିଏ ପାଇଁ ଡହଳ ବିକଳ ହେଉଥିବା ମଣିଷ ୟାଙ୍ଗର ଫଟଟିଏ ମାରି ଶୋଇଲେ ହୁଏତ ନିଦ୍ରାଦେବୀଙ୍କ ଆଶୀର୍ବାଦ ପାଇପାରନ୍ତେ । ବାର ଘରେ ପାଇଟି କରୁଥିବା ଯଦୁଆ ଭାଇ ପୁଅ ସହରରେ ସମବାୟ ନିରୀକ୍ଷକ ଚାକିରିଟିଏ ପାଇଲା ପରେ ପାଞ୍ଚପଡ଼ାରେ ମୁଣ୍ଡବିନ୍ଧା । କୋଉ ବଇଦର ପଥି କାମ କରିବ ଯେ! ବହୁଦିନ ପରେ କଲେଜ ଦିନର ସାଙ୍ଗ ଦେଖାହେଲା । ଭଲମନ୍ଦ କଥା ହଉ ହଉ କହିଲା, ରକ୍ତଚାପ ଆଉ ସୁଗାର ବେମାରୀ, ନିଦ ହଉନି । ଦରମା ଲକ୍ଷେ ହେଲାଣି ହେଲେ ନିଦ ହଉନି କଥାଟିର କାରଣ ବୁଝି ଜାଣିଲି ଯେ ସାଙ୍ଗର ପୁଅ, ଝିଅ ଦୁହେଁ ଦୁଇବର୍ଷ ହେବ ପଢ଼ା ସାରି ଘରେ ବସିଛନ୍ତି । ତିନିଜଣ ଅଧସ୍ଥନ କର୍ମୀଙ୍କ ପିଲା ଚାକିରି ପାଇଗଲେଣି ନିଦ ନହେବାର କାରଣ ଜାଣିପାରିଲି । ଦଶମ ଫେଲ୍‌ରୁ ପାଠକୁ ପୋଥିବନ୍ଧା କରିଥିବା ସ୍କୁଲସାଥୀ ଚକରା ପରିବା ବେପାର କରି ମୁସ୍କିଲ ଘରଟେ କରିଛି ଗାଁରେ! ସାହି ଲୋକଙ୍କ ଭଲମନ୍ଦରେ ଆଗ ଚକରାକୁ ଖୋଜା । ମୁଁ ଜାଣିଲି ନିଦ ହଜିବାର କାରଣ ହେଲା ସାଙ୍ଗର ମଗଜକୁ କଥାଟା ବାଧିଛି । ଭାବୁଥିଲି, ସେ ହୃଦୟଟାକୁ ଚକରା କିମ୍ବା ଯଦୁଆ ଭାଇ ପୁଅ ହୃଦୟ ସହ କିଣାବିକା ବିନିମୟ ହୋଇପାରୁଥାନ୍ତା ଯଦି କେମିତି ହୁଅନ୍ତା । ମଣିଷ ପରି ପଶୁପକ୍ଷୀମାନେ ବୟସ୍କ ହୁଅନ୍ତି, ହେଲେ ମଣିଷ ଯେମିତି ଠିକା ନେଇଛି ଆଲଝେମର ବେମାରୀ ମୁଣ୍ଡେଇବା ପାଇଁ । ମୋର ଯାହା ମନେହୁଏ, ସୁନିଦ୍ରା ସନ୍ଧାନୀ ମଣିଷକୁ ସରକାର ମାଗଣା ରାସନ ନଦେଇ ଯଦି କିଛି ସୁଖନିଦ୍ରା ଦେଇପାରନ୍ତି, ତେବେ ରାଜକୋଷ ଖାଲିହେବା ପରିବର୍ତ୍ତେ ଭରିଯାଆନ୍ତା ଆଉ ମାନସିକ ଅସୁସ୍ଥ ରୋଗୀଙ୍କ ସଂଖ୍ୟା କମିଯାଆନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.