ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ଅହଂ ଓ ଆତ୍ମା...

ଭୁବନେଶ୍ୱର: ପ୍ରତ୍ୟେକ ବ୍ୟକ୍ତି ନିଜ କଥା କହିବା ବେଳେ ‘ମୁଁ’  ବ୍ୟବହାର କରେ । ହୁଏତ ବ୍ୟାକରଣ ଯୋଗୁଁ  ବ୍ୟକ୍ତିବାଚକ ସର୍ବନାମ ଭାବେ ସବୁ ଭାଷା ଏହା ଗ୍ରହଣ  କରିଛି । କିନ୍ତୁ ‘ମୁଁ’ ଯଦି ସର୍ବନାମ ଏହା ମଣିଷ ବା ବ୍ୟକ୍ତିର  ଏକ ପ୍ରତିନିଧି । ସେହି ଯୁକ୍ତିରେ ବ୍ୟକ୍ତିର ‘ମୁଁ’ ତାର  ବ୍ୟକ୍ତିତ୍ୱର ଭାଷାନ୍ତର । ବୋଧହୁଏ ଏହି କାରଣ ଯୋଗୁଁ ମୁନି,  ଋଷି ତଥା ପଣ୍ଡିତମାନେ ପଚାରିଛନ୍ତି- ମୁଁ କେଉଁଠୁ ଆସେ?  ଅହଂ ନା ଆତ୍ମାରୁ? ଇଂରାଜିରେ ‘ମୁଁ’ ସେଲ୍‌ଫ ଭାବେ  ବ୍ୟବହୃତ ହୁଏ । କିନ୍ତୁ ଭାରତୀୟ ଭାଷାରେ, ବିଶେଷକରି  ଓଡ଼ିଆ ଭାଷାରେ ସେଲ୍‌ଫର ଓଡ଼ିଆ ନାହିଁ । ଯାହା ଅଛି ତାହା  ସମୁଚିତ ନୁହେଁ । ତେଣୁ ମୁଁ ଦେବଦତ୍ତ ପଟ୍ଟନାୟକ (ବମ୍ବେ)  ସେଲ୍‌ଫର ଓଡ଼ିଆ ଅହଂ ବୋଲି କହନ୍ତି ଏବଂ ମୁଁ ତାକୁ ସ୍ୱୀକାର  କରୁଛି । ବର୍ତ୍ତମାନ କଥାଟି ଆଉରି ଜଟିଳ ହେଉଛି । ମୁଁ କ’ଣ  ଅହଂର ପରିପ୍ରକାଶ ନା ଆତ୍ମାର ପରିପ୍ରକାଶ । ମୁଁ’କାର  ଅହଂକାର ଭାବେ ଗୃହୀତ ଓ ଔଦ୍ଧତ୍ୟର ଶବ୍ଦ ଭାବେ ସ୍ୱୀକୃତ ।  ଗୋଟିଏ ଉଦାହରଣ ନିଆଯାଉ- ମୁଁ ତୁମକୁ ଭଲପାଏ । ଏହି  ବାକ୍ୟ ପ୍ରାୟ ସବୁଭାଷାରେ ବ୍ୟବହୃତ ହୁଏ । ତେବେ ଏହି  ମୁଁ ଅହଂ ନା ଆତ୍ମାର? (ସେଲ୍‌ଫ ଏବଂ ସୋଲ୍‌) ଅବଶ୍ୟ  ଆପଣ ପଚାରିପାରନ୍ତି । ଭଲପାଇବା ଅହଂ ଓ ଆତ୍ମା ମଧ୍ୟରେ  ପାର୍ଥକ୍ୟ ଦେଖେନାହିଁ । ଠିକ୍‌ ଅଛି । ଆଉ ଏକ ଉଦାହରଣ  ନିଆଯାଉ- ବିନା ଯୁଦେ୍ଧ ମୁଁ ସୂଚ୍ୟଗ୍ର ମେଦିନୀ ଦେବିନାହିଁ ।  ଦୁର୍ଯ୍ୟୋଧନର ଏହି ବାକ୍ୟ ସହିତ ସବୁ ଭାରତୀୟ ପରିଚିତ ।  ତେଣୁ ସମସ୍ତେ କହିବେ ଏହା ଅହଂର ଭାଷା । ଅହଂକାର,  ଔଦ୍ଧତ୍ୟର ଭାଷା । କାହିଁକି, ଆତ୍ମାର ଭାଷା କାହିଁକି ନୁହେଁ?  ଅହଂ ଓ ଆତ୍ମା ଉଭୟ ବିଶେଷ୍ୟ ପଦ ଓ ଉଭୟ କିଛି  ମୌଳିକ ମାନବୀୟ ଗୁଣର ପରିଭାଷା । କିନ୍ତୁ ଯିଶୁଖ୍ରୀଷ୍ଟଙ୍କ  ଶେଷୋକ୍ତି- ହେ ପ୍ରଭୁ! ଏମାନଙ୍କୁ କ୍ଷମା କରିଦିଅ ସେମାନେ  ଅବୋଧ ଜାଣନ୍ତି ନାହିଁ କ’ଣ କରୁଛନ୍ତି । ଏହା ଶୁଣିବା ମାତ୍ରେ  ସମସ୍ତେ କହିବେ ଏହା ଆତ୍ମାର ଭାଷା, ଦେବାତ୍ମାର ଭାଷା ।  ତେବେ ଗ୍ରହଣ କରିବାକୁ ହେବ ଯେ ଅହଂ ଓ ଆତ୍ମା ଦୁଇଟି  ଅଲଗା ‘ମୁଁ’ ବ୍ୟବହାର କରନ୍ତି । 

ଆମ ଦେହ ଭିତରେ ଅହଂ-ଆତ୍ମା, ସାମାଜିକ ପରିଚୟ ତଥା ବିଶ୍ୱାସ, ପ୍ରତ୍ୟୟ, ସତ୍ୟ-ମିଥ୍ୟା, ହିଂସା-ଘୃଣା ସବୁ  ଥାଏ । ସମାଜ ଭିତରେ ଗୋଟିଏ ଦେଶ ଓ ବିଶ୍ୱର ପରିସୀମା  ମଧ୍ୟରେ ବ୍ୟକ୍ତି ଜୀବାତ୍ମାର ପରିଚୟ ପ୍ରତିଷ୍ଠା କରେ ତାର  କର୍ମ, ଶିକ୍ଷା, ଅଭିଳାଷ ଓ ପରିସ୍ଥିତିର ସୁଯୋଗ ପରିଧିର  ବେଷ୍ଟନୀ ମଧ୍ୟରେ । ବେଷ୍ଟନୀ ଭାଙ୍ଗିଦିଏ ତାର ଅହଂ  ଶକ୍ତି ବଳରେ । ମଣିଷର ‘ମୁଁ’ ଅହଂଶକ୍ତିର ପୂର୍ଣ୍ଣପ୍ରକାଶ  ହୋଇପାରେ । ଭାରତୀୟ ଶାସ୍ତ୍ରୀୟ ପରମ୍ପରାରେ ଆମେ  ଯାହାକୁ ପୁରୁଷାର୍ଥ ବୋଲି ଗ୍ରହଣ କରୁ ତାହା ଅହଂ ନିର୍ମାଣ,  ଅର୍ଥାତ୍‌ ବ୍ୟକ୍ତିର ପାର୍ଥିବ ପରିଚୟ ସୃଷ୍ଟି । ଏ ବିଶ୍ୱରେ କିଏ  କାହା ପରି ନୁହେଁ, ହେବା ମଧ୍ୟ ଅସମ୍ଭବ । ସବୁ ମଣିଷ  ସ୍ୱତନ୍ତ୍ର ପ୍ରାଣଶକ୍ତିର ବ୍ୟକ୍ତିତ୍ୱ ସୃଷ୍ଟି କରନ୍ତି । ଜଣେ ୟୁଲିସିସ୍‌  ପରି ଶ୍ରେଷ୍ଠ ବୀର ହେବାଲାଗି ସାଧନା କରେ । ଅର୍ଜୁନ  ଅନ୍ଧାରରେ ତୀର ମାରିବା ମଧ୍ୟ ଅଭ୍ୟାସ କରେ । ଅର୍ଜୁନକୁ  ଯଦି କୁହାଯାନ୍ତା ଶାସନ ଡୋରି ଧରିବା ପାଇଁ, ସେ ଅସ୍ୱୀକାର  କରନ୍ତା । ଅର୍ଜୁନ ଲକ୍ଷ୍ୟ ସନ୍ଧାନ କରେ, ଯେହେତୁ ସେ ଲକ୍ଷ୍ୟ  ଜାଣିପାରେ ଯାହାର ପ୍ରମାଣ ମିଳେ ଗୀତାର ପ୍ରଶ୍ନମାନଙ୍କରେ ।  

ଅର୍ଥାତ୍‌ ଅର୍ଜୁନ ବୀରପୁରୁଷର ସାମର୍ଥ୍ୟ ପାଇଁ ତାର ବୁଦ୍ଧି,  ଜ୍ଞାନ ବିନିଯୋଗ କରି ନିଜର ‘ମୁଁ’ ସୃଷ୍ଟି କରେ । ଜଣେ  ସାଧାରଣ କର୍ମଚାରୀ ଭାବେ ଯଦି ସେ ନିଜ ପତ୍ନୀ ଓ ସନ୍ତାନଙ୍କ  ପାଇଁ ଘରଖଣ୍ଡେ କରିପାରେ, ପୁତ୍ରକନ୍ୟାଙ୍କୁ ଯଥୋଚିତ ଶିକ୍ଷା  ଦେଇ ବିବାହ ଦେଇ ଦାୟିତ୍ୱ ତୁଲାଇପାରେ, ପିତାମାତାଙ୍କୁ  ଶେଷ ଜୀବନରେ ସେବା କରିପାରେ, ସେଥିରେ ତାର  ପୁରୁଷାର୍ଥର ସାର୍ଥକତା ଦେଖେ । ଅହଂ ପରିଚାଳନା ମଣିଷ  ଜୀବନରେ ସର୍ବଶ୍ରେଷ୍ଠ ଓ ସବୁଠାରୁ କଠିନ ଆହ୍ୱାନ । ନିଜର  ଶକ୍ତି, ସାମର୍ଥ୍ୟ, ଜ୍ଞାନ-ଶିକ୍ଷା ଓ ଅଭିଳାଷକୁ ଜଣେ ଯେଉଁ  ଭାବେ ପରିଚାଳନା କରି ତାର ‘ମୁଁ’ ପ୍ରତିଷ୍ଠା କରେ ସେହି  ଅନୁପାତରେ ଆମେ ତାର ସଫଳତା ମାପୁ । ଅହଂଶକ୍ତି କର୍ମ  ଓ କୁଶଳତା ଉପରେ ନିର୍ଭର କରେ । ଏହାର ଅର୍ଥ ନୁହେଁ  ଜଣେ ନୈତିକ ପବିତ୍ରତାରେ ବିଶ୍ୱାସ କରି ଅଟକିଯିବ ।  ଅନେକ ବ୍ୟକ୍ତି ସଫଳ ହେବାଲାଗି ଅନୈତିକ କର୍ମ କରନ୍ତି ଲାଞ୍ଚ ଦେଇ ଉପରକୁ ଉଠିବା ଇତ୍ୟାଦି । ସେଠି ଅବଶ୍ୟ  ଆମେ ଅହଂଶକ୍ତିର ବ୍ୟର୍ଥତା ଦେଖିପାରୁ । ଅହଂଶକ୍ତିର  ପରିଚୟ କେବଳ ଲକ୍ଷ୍ୟ ସାଧନରେ ନୁହେଁ, କେଉଁ  ମାର୍ଗରେ ଜଣେ ଲକ୍ଷ୍ୟ ସାଧନ କରେ ତାର ମଧ୍ୟ ବିବେଚନା  ଆବଶ୍ୟକ । ଜଣେ ଚାଷୀ, ପିଅନ କିମ୍ବା ଛୋଟ ଦୋକାନଟିଏ  କରି ମଧ୍ୟ ନିଜର ପୁରୁଷାର୍ଥ ପ୍ରମାଣ କରିପାରେ ଯଦି ସେ  ତାର କର୍ମ, ଉଦ୍ୟୋଗ, ଉଦ୍‌ଯୋଗ ଦ୍ୱାରା ନିଜକୁ ସମାଜରେ  ସ୍ଥିତିର ଦୃଢ଼ତା ଦିଏ । ମଣିଷ ଯେହେତୁ ସମାଜ ହିତରେ ହିଁ  ପ୍ରତିଷ୍ଠା ପାଏ, ତାର ଅହଂଶକ୍ତିର ପ୍ରତିଷ୍ଠା ସେହି ସାମାଜିକ  ପବିତ୍ରତା ଭିତରେ ହିଁ ପୂର୍ଣ୍ଣତା ପାଏ । 

ଅପରପକ୍ଷରେ ଯଦି ଜଣେ ନିଜ ଅହଂଶକ୍ତିକୁ ଅନ୍ୟ  ମଣିଷ ପାଇଁ ବିନିଯୋଗ କରେ, ମଣିଷର ସେବା କରେ,  ଲୋକଙ୍କ ବିପଦ ବେଳେ, ବନ୍ୟା ମହାମାରୀ ବେଳେ ନିଜ  ସୁରକ୍ଷା କଥା ନଭାବି ଲୋକଙ୍କ ପାଇଁ ଉତ୍ସର୍ଗୀତ ଜୀବନ  କାଟେ ସେ ମଧ୍ୟ ସମାଜ ଭିତରେ ହିଁ ପ୍ରତିଷ୍ଠା ପାଏ । କିନ୍ତୁ  ଆମେ ତାକୁ ସଫଳ ମଣିଷ ନକହି ଶ୍ରେଷ୍ଠପୁରୁଷ, ନାୟକ,  ବଡ଼ମଣିଷ କହୁ । ଯେମିତି ଗାନ୍ଧୀ, ଗୋପବନ୍ଧୁ, ମଧୁସୂଦନ  ପ୍ରଭୃତି । ତେବେ ଏହି ପୁରୁଷମାନେ କ’ଣ ଅହଂବାଦୀ  ପୁରୁଷାର୍ଥ ବାହାରେ? ହଁ, କାରଣ ଆମେ ତାଙ୍କୁ ପୂଜାକରୁ ।  ସେମାନଙ୍କୁ ଆଦର୍ଶ କରି ଭବିଷ୍ୟତ ପିଢ଼ି ଗଢ଼ିବାଲାଗି କହୁ ।  ମହାତ୍ମା, ପୁଣ୍ୟାତ୍ମା, ମହାପୁରୁଷ କହୁ । କାରଣ ସେମାନେ  ନିଜର ଅହଂ ପରିତ୍ୟାଗ କରି ମଣିଷର, ଜାତିର ପ୍ରାଣରକ୍ଷା,  ମାନରକ୍ଷା କିମ୍ବା ମାନବୃଦ୍ଧି ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି ।  ସେମାନେ ଆତ୍ମାପୁରୁଷ, ଆତ୍ମାଗୁଣ ଦ୍ୱାରା ପରିଚାଳିତ ହୋଇ  ସେମାନେ ଅହଂରୁ ଆତ୍ମାରେ ପରିବର୍ତ୍ତିତ ହୁଅନ୍ତି । 

ତେବେ ଅହଂ ଓ ଆତ୍ମା ମଧ୍ୟରେ ପୁରୁଷାର୍ଥର ମାର୍ଗ  ଚୟନ କିପରି ହୁଏ ଦେଖିବାକୁ ହେବ । ଆଗରୁ କହିଛି ଅହଂ  ବା ସ୍ୱାର୍ଥଗୁଣ ହେଲା ନିଜ ବ୍ୟକ୍ତିତ୍ୱର ବିକାଶ, ସଂସାରଧର୍ମ  ପାଳନ, ଅଭିଳାଷ ଚରିତାର୍ଥ କରିବା ଲାଗି ପରିଶ୍ରମ,  ବିଦ୍ୟା ସଂଗ୍ରହ ଇତ୍ୟାଦି । ସମାଜରେ ପ୍ରତିଷ୍ଠା ପାଇବା ଲାଗି  ଆପ୍ରାଣ ପ୍ରଚେଷ୍ଟା । ତେଣୁ ବେଳେବେଳେ ନୈତିକ ପରିଧିର  ଉଲ୍ଳଙ୍ଘନ ମଧ୍ୟ ସ୍ୱୀକାର୍ଯ୍ୟ ହେଇଯାଏ, କିନ୍ତୁ ତାହା ବିରଳ ।  ଆତ୍ମାଗୁଣ କହିଲେ ଆମେ ବୁଝୁ ‘ମୋ ଜୀବନ ପଛେ ନର୍କେ  ପଡ଼ିଥାଉ, ଜଗତ ଉଦ୍ଧାର ପାଉ’ ପରି ମହାନ ଗୁଣ । ଦେଶ,  ଜାତିର ମାନବୃଦ୍ଧି ପାଇଁ ଆତ୍ମତ୍ୟାଗ । ସ୍ୱାର୍ଥ ଓ ଅହଂ ତ୍ୟାଗ  କରି ଏକ ଉତ୍ତରିତ ପ୍ରାଣସତ୍ତାର ସନ୍ଧାନ । ଦୟା, କ୍ଷମା,  ତ୍ୟାଗ ଇତ୍ୟାଦି ଗୁଣ ଆପେ ଆପେ ଆତ୍ମାଗୁଣକୁ ଉତ୍କର୍ଷ ଓ  ପାରମାର୍ଥିକ ଦିବ୍ୟଭାବ ଦିଏ । ଗୋଟିଏ ଉଦାହରଣ ଦେଇ  ବୁଝାଇବା ଲାଗି ଚେଷ୍ଟା କରିବି । ସମସ୍ତେ ଜାଣନ୍ତି ବିଶ୍ୱାମିତ୍ର  ଓ ବଶିଷ୍ଠ ସମସାମୟିକ ଥିଲେ ଏବଂ ଜ୍ଞାନୀ, ପଣ୍ଡିତ,  ଦିବ୍ୟଗୁଣର ଅଧିକାରୀ ଥିଲେ । 

ବିଶ୍ୱାମିତ୍ର ରାଜା ଥିଲେ  ଏବଂ ତ୍ୟାଗକରି ସନ୍ନ୍ୟାସ ମାର୍ଗରେ ଦିବ୍ୟଜ୍ଞାନର ପ୍ରବକ୍ତା  ଥିଲେ । କିନ୍ତୁ ତାଙ୍କ ମନରେ ଦୁଃଖ ହୁଏ ଯେତେବେଳେ  ବଶିଷ୍ଠ ତାଙ୍କୁ ‘ପ୍ରଣାମ ରାଜର୍ଷୀ’ କହନ୍ତି । ଦେବଶ୍ରୀ କୁହନ୍ତି  ନାହିଁ । ତେଣୁ ସେ ଦୀର୍ଘଦିନ ତପସ୍ୟା କରି ଜ୍ଞାନଲାଭ କଲେ  ଏବଂ ବରପ୍ରାପ୍ତ ହେଲେ ଯେ, ସେ ଯଦି କ୍ରୋଧରେ ତିନିପାଦ  ଆଗେଇ ଯାଆନ୍ତି ତାଙ୍କ ସମ୍ମୁଖରେ ଥିବା ବ୍ୟକ୍ତି, ଜୀବ  ସମସ୍ତେ ଧ୍ୱଂସ ହେବେ । ବିଶ୍ୱାମିତ୍ର ଏହି ବରଲାଭ ପାଇଥିବା  କଥା ବଶିଷ୍ଠ ଜାଣିପାରିଲେ । ପୁଣିଥରେ ଦେଖାହେଲାବେଳେ  ବିଶ୍ୱାମିତ୍ରଙ୍କୁ ସେଇ ‘ପ୍ରଣାମ ରାଜର୍ଷୀ’ କହିଲେ । ବିଶ୍ୱାମିତ୍ର  ରାଗିଲେ, କିନ୍ତୁ ତିନିପାଦ ଆଗକୁ ନଯାଇ ସେ ତିନିପାଦ  ପଛକୁ ଗଲେ । ସଙ୍ଗେ ସଙ୍ଗେ ବଶିଷ୍ଠ ପ୍ରଣିପାତ କରି ପ୍ରଣାମ  ଦେବର୍ଷୀ କହିଲେ । ଏଥିରୁ ସ୍ପଷ୍ଟ ହୁଏ ଯେ, ଅହଂର ଉତ୍ତରଣ  ହିଁ ଆତ୍ମାର ଉଦୟରାଗ । ଜଗନ୍ନାଥ ଦାସଙ୍କର ‘ଦଣ୍ଡିବା ଗୁଣ  ଯା’ର ଥାଇ/ ସେ ପୁଣ କ୍ଷମା ଆଚରଇ’ ମନେପକାନ୍ତୁ । ଯିଏ  ଦଣ୍ଡ ଦେବାର ଶକ୍ତି ଧାରଣ କରେ ସେ ଯଦି କ୍ଷମା ଦିଏ,  ତାହାହିଁ ଆତ୍ମାଗୁଣ । 

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଏହି ଉତ୍ତରଣ  ଆସିପାରେ । ପୂର୍ଣ୍ଣସଂସାରୀ, ଜୀବନବ୍ୟାପୀ ସନ୍ନ୍ୟାସୀ  ହେଇପାର । ଶୃଙ୍ଗାର-ଶତକ ବୈରାଗ ଶତକର କର୍ତ୍ତା  ଭ୍ରୂଣହାରୀ ଏହାର ଅନ୍ୟ ଏକ ଉଦାହରଣ । କିନ୍ତୁ ଅତି  ସାଧାରଣ ମଣିଷ ଜୀବନରେ ମଧ୍ୟ ଆମେ ଏହି ଅହଂରୁ  ଆତ୍ମାର ଯାତ୍ରା ଦେଖିପାରୁ । ଜଣେ ଚା ବିକି ପିଲାଙ୍କୁ ପାଠ  ପଢ଼ାଏ (ପଦ୍ମଶ୍ରୀ ପାଏ) । କେଉଁ ରିକ୍ସାବାଲା ନୋଟ୍‌ଭରା  ବ୍ୟାଗ ତାର ମାଲିକକୁ ଖୋଜି ଖୋଜି ଫେରାଏ । ଅବଶ୍ୟ  ଏହାର ଅର୍ଥ ହେଲା ମଣିଷ ପାଖରେ ଜନ୍ମରୁ ସ୍ୱାର୍ଥସର୍ବସ୍ୱତା  ନଥାଏ । ଅବସ୍ଥାଚକ୍ରରେ ପଡ଼ି କେତେଜଣ ଅହଂଗୁଣର  ଦାସ ପାଲଟି ଯାଆନ୍ତି । କିନ୍ତୁ ମୋ ମତରେ, ଏହା ମଧ୍ୟ  ଠିକ୍‌ ମୂଲ୍ୟାୟନ ନୁହେଁ ଜୀବନର । ଯଦି ଜଣେ କେବଳ  ସ୍ୱାର୍ଥକୁ ନେଇ ତାର ପରିବାର, ଆତ୍ମୀୟ ସ୍ୱଜନଙ୍କ କଥା  ଚିନ୍ତାକରି ଘର ଗାଡ଼ି ଇତ୍ୟାଦି କରି ସନ୍ତୋଷ ପାଏ ସେଥିରେ  କାହାର କ୍ଷତି ହୁଏନାହିଁ । ଯେଉଁ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ତାର  ଅଭିଳାଷ ଲାଗି ଜୀବନ ସାଧନା କରି ସଫଳତା ପାଏ, ତାହା  ମଧ୍ୟ ଆତ୍ମାଗୁଣରେ ପରିଣତ ହୁଏ । ଯେମିତି ଅଭିନବ  ବିନ୍ଦ୍ରା ଚେଷ୍ଟା, ପରିଶ୍ରମ କରି ଅଲମ୍ପିକ ଗୋଲ୍‌ଡ ମେଡାଲ  ପାଇଲେ ଏବଂ ନିଜର ଅହଂ ପରିଧି ଭିତରେ ଥାଇ ମଧ୍ୟ  ଆତ୍ମପ୍ରତିଷ୍ଠା ପାଇଲେ । ତାହା କ’ଣ ଆତ୍ମାଗୁଣ ନୁହେଁ? ବିଲ୍‌  ଗେଟ୍ସ, ନାରାୟଣ ସ୍ୱାମୀ, ଅମ୍ବାନୀ, ରତନ ଟାଟା, ଆଦାନୀ  ସମସ୍ତେ ଅହଂଗୁଣର ବିକାଶ କରି ବିଶ୍ୱପ୍ରତିଷ୍ଠା ପାଇଛନ୍ତି ।  ସେମାନେ ବି ନୀତିବାନ, ସାଂସ୍କୃତିକ-ସାଭ୍ୟତିକ ଗୁଣବିଶିଷ୍ଟ  ବ୍ୟକ୍ତି ଉତ୍କର୍ଷ ସାଧନା ତାଙ୍କର ତପସ୍ୟା ଓ ସେମାନେ  ମହାମନୀଷୀ । ଏମାନେ କିଛି ତ୍ୟାଗ କରିନାହାଁନ୍ତି ବୋଲି  ଯେଉଁମାନେ କହନ୍ତି ସେମାନେ ଭୁଲ୍‌ କହନ୍ତି । ଏଲନ ମସ୍କ  ଓ ସ୍ୱାମୀ ରାମଦେବ ମଧ୍ୟରେ କ’ଣ ପାର୍ଥକ୍ୟ? ଉଭୟ ନିଜ  ନିଜ କ୍ଷେତ୍ରରେ ଉତ୍କର୍ଷ ସାଧନା କରି ବିଶ୍ୱପ୍ରତିଷ୍ଠା ପାଇଛନ୍ତି ।  

ଖାଦ୍ୟ-ବସ୍ତ୍ର-ବାସ ତ୍ୟାଗକରି କୁଟୀର ଜୀବନ ପାଳନ କଲେ  ଜଣେ ତ୍ୟାଗୀ ହୁଏନାହିଁ । ବିବେକାନନ୍ଦ କହନ୍ତି ଯେ, ତ୍ୟାଗ  ଭାରତୀୟ ଉତ୍କର୍ଷର ଏକ ମହାନ ବିଭବ³ କିନ୍ତୁ ତ୍ୟାଗର ଅର୍ଥ  ଅହଂ ତ୍ୟାଗ ନୁହେଁ ବରଂ ଅହଂର ଉତ୍ତରଣ । ତ୍ୟାଗ ପରି  ମହାନ ଗୁଣର ସର୍ବଶ୍ରେଷ୍ଠ ଉଦାହରଣ ହେଲେ ଗାନ୍ଧିଜୀ ।  ସେ ପରିବାର ସହିତ ଥିଲେ ମଧ୍ୟ ମୋହ ତ୍ୟାଗ କରିଥିଲେ ।  ଦେଶ ପାଇଁ ମହତ୍ତର ସାଧନା କରିଥିଲେ ଜ୍ଞାନମାର୍ଗରେ  ସତ୍ୟ-ଅହିଂସା ପରି ଦିବ୍ୟଗୁଣ ବଳରେ । ସେ ଘରସଂସାରର  ସାମାନ୍ୟ ପରିସର ଡେଇଁ ବିରାଟ ଦେଶ ଓ ମାନବ ବିଶ୍ୱର  ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ସାଧାରଣ ଅର୍ଥରେ ତ୍ୟାଗ  ହେଇପାରେ, କିନ୍ତୁ ଗାନ୍ଧିଜୀଙ୍କର ତ୍ୟାଗ ଥିଲା ଛୋଟିଆ  ଅହଂର ତ୍ୟାଗ । ଭାରତ ଥିଲା ତାଙ୍କର ପରିବାର, ଯାହାଲାଗି  ସେ ବିଶ୍ୱମଞ୍ଚରେ ଆତ୍ମାଶକ୍ତିର ପ୍ରଦର୍ଶନ କରିଥିଲେ । 

ଯେଉଁମାନେ ସାମାଜିକ ପ୍ରତିଷ୍ଠା ଓ ସଫଳତାକୁ ନେଇ  ସନ୍ତୋଷ ପାଆନ୍ତି ସେମାନେ ସଫଳ ଅହଂଗୁଣର ଅଧିକାରୀ ।  ଜଣେ ଡାକ୍ତର, ଶିକ୍ଷକ, ଓକିଲ, ଅଟୋଚାଳକ ଯଦି ନିଷ୍ଠାର  ସହିତ କାମ କରି ପରିବାରକୁ ଉଠାଏ, ସନ୍ତାନମାନଙ୍କୁ  ଯୋଗ୍ୟ କରେ ତାହା ମଧ୍ୟ ଆତ୍ମାଗୁଣ ହେଇପଡ଼େ । ଜଣେ  ଅବସରପ୍ରାପ୍ତ ଆଇଏଏସ୍‌ଙ୍କୁ ପଚାରିଲେ ସେ କହିବେହଁ, ମୁଁ ଦେଶ ପାଇଁ କାମ କରି (ଅବଶ୍ୟ ଦରମା ନେଇ),  ନିଷ୍ଠାରେ ଦାୟିତ୍ୱ ନିର୍ବାହ କରି ପିଲାଙ୍କୁ ମଣିଷ କରି ଘର  ଗାଡ଼ି ଇତ୍ୟାଦି କଲି, ଆଉ କ’ଣ କରିଥାନ୍ତି? ଏହା ମଧ୍ୟ  ଅହଂବିକାଶର ନୈତିକ ସଫଳତାର ଦୃଷ୍ଟାନ୍ତ। ଏହାର  ମଧ୍ୟ ଉତ୍ତରଣ ହୁଏ । କାରଣ ସନ୍ତୋଷ ଆସେ ଯେ ସେ  ପୁରୁଷାକାରର ଅମର୍ଯ୍ୟାଦା କରିନାହାଁନ୍ତି । ଯେଉଁ ମଣିଷ ଅହଂ  ବା ଆତ୍ମାରେ ସନ୍ତୋଷ ପାଏନାହିଁ ସେହି ମଣିଷ ହିଁ ଅସଫଳ ।  ପୂର୍ଣ୍ଣତା କେହି ପାଏନାହିଁ, ଯେହେତୁ ପୂର୍ଣ୍ଣତା ବୋଲି କିଛି  ନାହିଁ। ସେଥିପାଇଁ ଆମର ପ୍ରାଜ୍ଞ ମନୀଷୀମାନେ ଶୂନ୍ୟ ହିଁ  ପୂର୍ଣ୍ଣ ବୋଲି କହିଛନ୍ତି । କିନ୍ତୁ ଯଦି କିଏ କହେ ମୁଁ ପୂର୍ଣ୍ଣ, ତାକୁ  ଆମେ ମୂର୍ଖ କହୁ । 

ତେବେ ଶେଷ ସିଦ୍ଧାନ୍ତ କ’ଣ? ଜଣେ ଦୁର୍ଯ୍ୟୋଧନ  ପରି ଅହଂସର୍ବସ୍ୱ ହୋଇ ବଞ୍ଚିପାରେ । ଆଉ ଜଣେ ଗାନ୍ଧୀଙ୍କ  ପରି ଆତ୍ମସର୍ବସ୍ୱ ହୋଇ ବଞ୍ଚିପାରେ । କିନ୍ତୁ ଉଭୟ ଅସନ୍ତୁଷ୍ଟ ।  ଦୁର୍ଯ୍ୟୋଧନର ‘ମୁ’ଁ ଅତି ସଂକୀର୍ଣ୍ଣ, ସ୍ୱାର୍ଥସର୍ବସ୍ୱ ‘ମୁଁ’ ।  ଗାନ୍ଧୀଙ୍କର ‘ମୁଁ’ ଏକ ବିଶାଳ ଆତ୍ମର ଆଦ୍ୟ ଓଁକାରର ।  କିନ୍ତୁ ଗାନ୍ଧୀ ସନ୍ତୁଷ୍ଟ ନଥିଲେ । ଅବଶ୍ୟ ପ୍ରଶ୍ନ ହୋଇପାରେ  ସନ୍ତୋଷ ହେବା କ’ଣ ଏକ ମାନବିକ ଆବଶ୍ୟକତା? ତୁମେ  ଘୁଷୁରୀ ପରି ସନ୍ତୁଷ୍ଟ ହେବାକୁ ଚାହଁ ନା ଆରିଷ୍ଟଟଲଙ୍କ ପରି  ଅସନ୍ତୁଷ୍ଟ ରହିବାକୁ ଚାହଁ? ଏ ପ୍ରଶ୍ନର ଉତ୍ତର ବିଜ୍ଞ ପାଠକେ  ନିଜ ଜୀବନ ବିସ୍ତାର ମଧ୍ୟରେ ବାଛିନେବେ । ଘୁଷୁରୀ ଖାଦ୍ୟ  ପାଇଗଲେ ସନ୍ତୁଷ୍ଟ । କିନ୍ତୁ ଆରିଷ୍ଟଟଲ ବିଶ୍ୱର ପ୍ରସ୍ଥ ବିଦାରଣ  କରି ମଧ୍ୟ ଅସନ୍ତୁଷ୍ଟ । ଆଇନଷ୍ଟାଇନ କିମ୍ବା ରବୀନ୍ଦ୍ରନାଥ କେହି  ସନ୍ତୁଷ୍ଟ ନଥିଲେ । ଅସନ୍ତୋଷ ହିଁ ଆତ୍ମାଗୁଣ । ରାମ, କୃଷ୍ଣ,  ବ୍ୟାସ-ବାଲ୍ମୀକି କେହି ସନ୍ତୁଷ୍ଟ ନଥିଲେ । ଯେଉଁମାନେ ଧନ,  ଯୌବନଶକ୍ତି ଓ ପ୍ରାସାଦ ଅଟ୍ଟାଳିକାରେ ମୁଗ୍ଧ ସେମାନେ  ଅହଂହୀନ ସଫଳତାରେ ସନ୍ତୁଷ୍ଟ । କିନ୍ତୁ ଯେଉଁମାନେ  ଧ୍ରୁବତାରାର ବ୍ୟାସ ମାପି ମଧ୍ୟ ସନ୍ତୁଷ୍ଟ ନୁହଁନ୍ତି ସେମାନେ  ଦେବାତ୍ମାର ପ୍ରତିରୂପ । ତେଣୁ ଆପଣ ବାଛିନିଅନ୍ତୁ ନିଜ  ନିଜର ଅହଂ-ଆତ୍ମାର ପରିସର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.