ବାଙ୍ଗିରିପୋଷି,୫/୯(ଆ.ପ୍ର): ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡାକଟା ଗ୍ରାମକୁ ବିଦ୍ୟୁତ ମିଟର ଚେକିଂ କରିବାକୁ ଆସିଥିଲେ ସ୍କ୍ୱାର୍ଡ ଟିମ। ଘରେ କେହି ପୁରୁଷ ଲୋକ ନଥିବା ବେଳେ କୁନି ଛୁଆ ଧରି ଏକୁଟିଆ ଥିବା ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଫଳରେ ଉତ୍ତ୍ୟକ୍ତ ଗ୍ରାମବାସୀ ବିଦ୍ୟୁତ କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଛନ୍ତି।
ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡାକଟା ଗ୍ରାମକୁ ବିଦ୍ୟୁତ ବିଭାଗର ସ୍କ୍ୱାର୍ଡ ଟିମର କିଛି ପୁରୁଷ ଓ ମହିଳା କର୍ମଚାରୀ ଘରକୁ ଘର ଯାଇ ବିଦ୍ୟୁତ ମିଟର ଚେକ କରୁଥିଲେ। କିଛି ହିତାଧିକାରୀ ବିଦ୍ୟୁତ ଟ୍ୟାମ୍ପରି କରିଥିବାରୁ ସେମାନଙ୍କୁ ଫାଇନ କରିଥିଲେ । ତେବେ ଗ୍ରାମର ଜଣେ ମହିଳା ଘରେ ଏକୁଟିଆ ଥିବା ବେଳେ ପୁରୁଷ ବିଦ୍ୟୁତ କର୍ମଚାରୀମାନେ ମିଟର ଚେକିଂ କରିବାକୁ କହିଥିଲେ। ମହିଳା ଜଣକ ଘରେ କେହି ନଥିବା କହିଥିଲେ। ବିଦ୍ୟୁତ କର୍ମଚାରୀମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏଥିସହ ସେମାନେ ଜବରଦସ୍ତି ତାଙ୍କ ଘର ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ମହିଳା ଜଣକ ଭୟରେ ବାହାରକୁ ପଳାଇ ଆସିଥିଲେ। ମହିଳା ଜଣକ ପାଟି କରିବାରୁ ଘର ପାଖ ସମ୍ପର୍କୀୟ ଏବଂ ଗ୍ରାମବାସୀ ପହଞ୍ଚିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଦୁର୍ବ୍ୟବହାର କରିଥିବା କର୍ମଚାରୀ ମାନଙ୍କୁ ବେଶ ଉତ୍ତମ ମଧ୍ୟମ ଦେଇଥିଲେ। ପରେ ପୁଲିସ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଅଟକ ରଖାଯାଇଥିଲା। ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୁଲିସ ସମେତ ଝାରପୋଖରିଆ, କୁଳିଅଣା, ବାରିପଦା ପ୍ରମୁଖ ଥାନାର ଅଧିକାରୀମାନେ ପହଞ୍ଚି ଉପସ୍ଥିତ ଲୋକଙ୍କୁ ବୁଝାସୁଝା କରିଥିଲେ। ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୁଗୁଦା ମୁର୍ମୁଙ୍କ ସହ ବାଙ୍ଗିରିପୋଷି ବିଡିଓ ମାନସ ରଞ୍ଜନ ଦଣ୍ଡପାଟ ଓ ତହସିଲଦାର ସୁଧାଂଶୁ ଶେଖର ଦାସ ମଧ୍ୟ ଉପସ୍ଥିତ ରହି ଆଲୋଚୋନା କରିଥିଲେ। ଦୀର୍ଘ ସମୟ ପରେ ସମସ୍ତ କର୍ମଚାରୀଙ୍କୁ ପୁଲିସ ମୁକୁଲାଇ ଥାନାକୁ ଆଣିଥିବା ବେଳେ ସେମାନଙ୍କ ମଧ୍ୟରୁ ଆହତ ଥିବା ଦୁଇ କର୍ମଚାରୀଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ଉତ୍ତେଜନା ପୂର୍ଣ୍ଣ ରହିଛି।