ନୂଆଦିଲ୍ଲୀ,୧୩/୦୨: ପଞ୍ଜାବ ଓ ହରିଆଣାର ୨୬ ଚାଷୀ ସଂଗଠନ ମଙ୍ଗଳବାର ‘ଦିଲ୍ଲୀ ଚଲୋ’ ଡାକରା ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ଏହାସହ ପଞ୍ଜାବ-ହରିଆଣା ଏବଂ ଦିଲ୍ଲୀ ସୀମା ସିଲ୍ କରି ଦିଆଯାଇଛି । ଚାଷୀଙ୍କ ବିଶାଳ ପଦଯାତ୍ରା ପାଇଁ ରାଜଧାନୀରେ ମାସକ ଲାଗି ଧାରା ୧୪୪ ଲାଗୁ ହୋଇଛି । ଦିଲ୍ଲୀରେ ଭିଡ଼ ଜମାଇବା, ଲାଉଡସ୍ପିକର୍ ବଜାଇବା ଏବଂ ଟ୍ରାକ୍ଟରର ପ୍ରବେଶ ଉପରେ କଟକଣା ଲଗାଯାଇଛି । ଏଥିସହ ଅସ୍ତ୍ରଶସ୍ତ୍ର ଏବଂ ଲାଠି ଓ ପଥର ଦିଲ୍ଲୀକୁ ନିଆଯାଇ ପାରିବ ନାହିଁ ବୋଲି କୁହାଯାଇଛି । ଏହା ପୂର୍ବରୁ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପଞ୍ଜାବ ଓ ହରିଆଣାର ଶମ୍ଭୁ, ଖନୌରୀ ବ୍ୟତୀତ ହରିଆଣା ଓ ଦିଲ୍ଲୀର ସିଂଘୁ, ଟିକ୍ରି ସହ ସମସ୍ତ ସୀମାକୁ ସିଲ୍ କରିଦିଆଯାଇଛି ।
ମଙ୍ଗଳବାର ପଞ୍ଜାବର ଚାଷୀମାନେ ୧୦ ହଜାର ଟ୍ରାକ୍ଟର ନେଇ ଦିଲ୍ଲୀ ଯିବା ପାଇଁ ହରିଆଣାରେ ପ୍ରବେଶ କରିବେ । ଏଭଳି ସ୍ଥିତିରେ ଚଣ୍ଡିଗଡ଼ର ସେକ୍ଟର ୨୬ସ୍ଥିତ ‘ମଗସିପା’ କାର୍ଯ୍ୟାଳୟରେ ଚାଷୀ ନେତା ଏବଂ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ ବସିଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ଉପସ୍ଥିତ ଥିଲେ । ସୂତ୍ର ମୁତାବକ ପୂର୍ବରୁ ୨୦୨୦- ୨୧ କୃଷି ଆଇନ ଆନ୍ଦୋଳନ ବେଳେ ଚାଷୀଙ୍କ ବିରୋଧରେ ଯେଉଁ ମାମଲା ହୋଇଥିଲା ତାହାକୁ ପ୍ରତ୍ୟାହାର କରିବା ଏବଂ ଲକ୍ଷ୍ମୀପୁର ଖେରି ଘଟଣାରେ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବା ନେଇ ସହମତି ହୋଇଛି ।
ଏହାସହ ବିଦ୍ୟୁତ୍ ଆଇନ ୨୦୨୦କୁ ରଦ୍ଦ ପାଇଁ ସହମତି ହେବା ଆଶା କରାଯାଉଛି । ଅନ୍ୟପକ୍ଷରେ କୃଷି ଋଣ ଛାଡ଼ ଦାବିରେ କେନ୍ଦ୍ରମନ୍ତ୍ରୀ ଚୁପ୍ ରହିଛନ୍ତି । ଉଲ୍ଲେଖଯୋଗ୍ୟ, ସବୁ ଫସଲକୁ ଏମ୍ଏସ୍ପିରେ କ୍ରୟ ପାଇଁ ଆଇନ ଆଣିବା, ଡ. ସ୍ୱାମୀନାଥନ ଆୟୋଗଙ୍କ ରିପୋର୍ଟ ହିସାବରେ ଦର ଧାର୍ଯ୍ୟ କରିବା, ଚାଷୀଙ୍କ ଋଣ ଛାଡ଼ ଓ ପେନ୍ସନ, ଜମି ଅଧିଗ୍ରହଣ ଆଇନ ୨୦୧୩କୁ ପୁନଃ ଲାଗୁ ଆଦି ଦାବି ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।