ଡାଲିଜାତୀୟ ଫସଲ ପ୍ରକୃତି ଏବଂ ମଣିଷ ସମାଜ ଉଭୟଙ୍କ ପାଇଁ ନିହାତି ଆବଶ୍ୟକ । ଡାଲିଜାତୀୟ ଫସଲର ଚେରରେ ଭାତୁଡ଼ି ଥାଏ ଯେଉଁଥିରେ ରାଇଜୋବିୟମ୍ ନାମକ ଏକ ଅଣୁଜୀବ ଥାଏ । ଏହା ଯବକ୍ଷାରଜାନ ବିବନ୍ଧନରେ ସାହାଯ୍ୟ କରେ ବା ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରି ଗଛକୁ ଯୋଗାଏ । ଏହି ଗଛ ମାଟିରେ ମିଶିଲେ ମାଟିର ସ୍ୱାସ୍ଥ୍ୟ ସୁଦୃଢ ହୋଇଥାଏ । ଆମ ଦେଶରେ ବିଭିନ୍ନ ଡାଲିଜାତୀୟ ଫସଲ ଚାଷ କରାଯାଏ ଯଥା-ହରଡ଼, ମୁଗ, ବିରି,ବୁଟ ଇତ୍ୟାଦି । ଭାରତରେ ପ୍ରାୟ ୨୫୫ ଲକ୍ଷ ହେକ୍ଟର ଏବଂ ଓଡ଼ିଶାରେ ପ୍ରାୟ ୨୫ ଲକ୍ଷ ହେକ୍ଟର ଜମିରେ ଡାଲି ଚାଷ ହୋଇଥାଏ । ତେବେ ଉତ୍ପାଦନ ଅଧିକ ପରିମାଣରେ ହୋଇପାରେ ନାହିଁ । ପୂର୍ବ ଅପେକ୍ଷା ଡାଲିଜାତୀୟ ଫସଲର ଉତ୍ପାଦନ ବଢି଼ଛି କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ।
ଉତ୍ପାଦନ କମିବାର କାରଣ
ଜଳସେଚନର ଅଭାବ । ଫସଲର ରକ୍ଷଣ ବେକ୍ଷଣ କରାଯାଏ ନାହିଁ । ଚାଷରେ ସଠିକ୍ ପଦ୍ଧତି ଅବଲମ୍ବନ କରାଯାଏ ନାହିଁ । ଜଳବାୟୁ ପରିବର୍ତ୍ତନ । ଜଳବାୟୁକୁ ସୁହାଇବା ଭଳି ସଠିକ୍ କିସମ ନାହିଁ । ସଠିକ୍ ସଂରକ୍ଷଣ ପଦ୍ଧତି ଅନୁସରଣ କରାଯାଏ ନାହିଁ । ଫସଲରେ ଖାଦ୍ୟ ସାରର ଅଭାବ ।
ଖାଦ୍ୟସାର ଅଭାବ
ଗଛ ପାଇଁ ୧୭ ପ୍ରକାରର ଖାଦ୍ୟସାର ଅତ୍ୟନ୍ତ ଆବଶ୍ୟକ । କୌଣସି ଏକ ଖାଦ୍ୟ ସାରର ଅଭାବ ଥିଲେ ଗଛଟିର ବୃଦ୍ଧି ହୋଇନଥାଏ ଏବଂ ଫସଲରୁ ସଠିକ୍ ଉତ୍ପାଦନ ମିଳିନଥାଏ । ବିଗତ କିଛି ବର୍ଷ ହେଲା ଦେଖାଯାଉଛି ଡାଲିଜାତୀୟ ଫସଲରେ ଦସ୍ତା, ଗନ୍ଧକ ଏବଂ ବୋରନ୍ର ଅଭାବ ରହୁଛି ଏବଂ ଫସଲର ଅମଳ କମୁଛି ।
ଏହାର ଲକ୍ଷଣ
ଉଭୟ ଜିଙ୍କ ଏବଂ ସଲଫର ଅଭାବର ଲକ୍ଷଣ କଅଁଳ ବା ନୂଆ ପତ୍ରରେ ଦେଖାଯାଏ । ପତ୍ରର ଶିରାପ୍ରଶିରା ସବୁଜ ରହି ବାକି ସବୁ ହଳଦିଆ ହୋଇଥିଲେ ଏହା ଜିଙ୍କର ଅଭାବ । ଜିଙ୍କ ଅଭାବରେ ପତ୍ର ଛୋଟ ଏବଂ ଦା’ ଆକାରର ହୋଇଯାଏ । ଫଳର ଆକାର ମଧ୍ୟ ସଠିକ୍ ହୋଇନଥାଏ । ବୋରନର ଅଭାବ ଗଛର କଅଁଳ ବା ନୂଆ ଭାଗରେ ଦେଖାଯାଏ । ଏହି ସ୍ଥାନ ହଳଦିଆ ହୋଇ ମରିଯାଏ । ଗଛରେ ଫୁଲ ଓ ଫଳ କମ ହୋଇଥାଏ । ଫଳର ଗୁଣମାନ ଅତି ଖରାପ ରୁହେ । ଗଛ ଭଲରେ ବଢେ ନାହିଁ ।