ବୌଦ୍ଧ,୨୬/୦୮(ପ୍ରମୋଦ କୁମାର ବାଘ): ଖରାଦିନେ ଜମି ପ୍ରସ୍ତୁତି । ବର୍ଷାରେ ରୁଆ । ଶୀତଦିନେ ଅମଳ । ପାରମ୍ପରିକ ଧାନ, ମୁଗ ଭଳି ଶସ୍ୟ ଚାଷଠାରୁ ଅଧିକ ଯତ୍ନ ନିଆଯାଉଛି । ଅତ୍ୟାଧୁନିକ କୃଷି ପ୍ରଣାଳୀ କୁ କରାଯାଉଛି କୀଟନାଶକ ପ୍ରୟୋଗ । ଫସଲକୁ ସୁରକ୍ଷା ଦେବାକୁ ୪ ମାସମୋଯା ଅଙ୍କର ମଜୁରିରେ ମଞ୍ଚାବାନ୍ଧି ଜଗୁଛନ୍ତି ଜଗାଳି । ଉତ୍ପାଦନରୁ ଚାଲାଣ ସବୁକିଛି ବ୍ୟବସ୍ଥିତ ଢଙ୍ଗରେ । ବୌଦ୍ଧ ଜିଲ୍ଲାର ବିସ୍ତୀର୍ଣ୍ଣ ନଦୀ ପଠା, ସଂରକ୍ଷିତ ଜଙ୍ଗଲ, ଦୁର୍ଗମ ଇଲାକାରେ ଏଭଳି ଉପାୟରେ ଚାଲିଛି ସବୁଜ ଜହର ଗଞ୍ଜେଇ ଚାଷ ।
ଗଞ୍ଜେଇ ଚାଷ ପାଇଁ ଜିଲ୍ଲାର ସଂରକ୍ଷିତ ଜଙ୍ଗଲକୁ ଯୋଜନାବଦ୍ଧ ଭାବେ ପଦା କରି ଦିଆଯାଉଛି । ଖରାଦିନେ ବନାଗ୍ନି ଆଳରେ ନିଆଁ ଲଗାଇ ଦିଆଯାଉଛି । ଏହାପରେ ଆରମ୍ଭ ଆଦ୍ୟପର୍ବ । ଜମି ପ୍ରସ୍ତୁତି, ମଞ୍ଜି ବୁଣା, ତଳି ରୁଆ, ସାର ପକା, ଜଳସେଚନ ସବୁ ଠିକ୍ଠାକ୍ ଚାଲେ । ଜଙ୍ଗଲରେ ମଞ୍ଚା କରି ପ୍ରାୟ ୪ ମାସ ଧରି ଦିନରାତି ଜଗିବାକୁ ପଡ଼େ । ବେକାର ଯୁବକଯୁବତୀଙ୍କୁ କମ୍ ପାରିଶ୍ରମିକ ଦେଇ ଏଭଳି କାମ ଦିଆଯାଉଛି । ଅକ୍ଟୋବର ଓ ନଭେମ୍ବରରେ ଆରମ୍ଭ ହୋଇଯାଏ ଅମଳ । ଗୋଟିଏ ମନ୍ଦାରୁ ପ୍ରାୟ ୫ କେଜି ଗଞ୍ଜେଇ ବାହାରେ । ଗୋଟିଏ ଏକର ଜମିରେ ଚାଷ ପାଇଁ ୫୦ରୁ ୬୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ କାହିଁ କେତେଗୁଣା ଲାଭ । ଚାଲାଣକାରୀଙ୍କୁ କିଲୋ ପିଛା ୨୦୦ ଟଙ୍କା ଓ ରାସ୍ତା ଅଧିକ ହୋଇଥିଲେ ଅଧିକ ଟଙ୍କା ଦିଆଯାଇଥାଏ । ଅମଳ ସମୟରେ ଜିଲ୍ଲାରେ ଗଞ୍ଜେଇ କିଲୋ ପିଛା ୧୫୦୦ରୁ ୨୦୦୦ ଟଙ୍କାରେ ବକ୍ରି ହେଉଛି ।
ବୌଦ୍ଧ ଜିଲ୍ଲାର ୭ ଥାନାରୁ ୫ଟି ଥାନା ଇଲାକାରେ ବିପୁଳ ଗଞ୍ଜେଇ ଚାଷ ହେଉଛି । କଣ୍ଟାମାଳ ବ୍ଲକର ଉମା, ବରଗାଁ, ନାରାୟଣପ୍ରସାଦ, ଲମ୍ବସରୀ, ଖୁଣ୍ଟିଗୋରା, ବୋରଗୁଚ୍ଛା, ସୁଣ୍ଡିପଦର, ବରଗାଁ, ଦପଲା, ବୌଦ୍ଧ ବ୍ଲକର ଟିକରପଡ଼ା, ବଘିଆପଡ଼ା, ବ୍ରାହ୍ମଣୀପାଲି, ଆମ୍ବଝରୀ, ଗୋଚ୍ଛାପଡ଼ା, ଶଗଡ଼ା, ଗୁନ୍ଦୁଳିଆ, ମନୁପାଲି ନିକଟ ଜଙ୍ଗଲରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଚାଷ କରାଯାଉଛି । ହରଭଙ୍ଗା ବ୍ଲକର ବୀରନରସିଂହପୁର ପଞ୍ଚାୟତର ନନ୍ଦନବନର ବୌଦ୍ଧ-କନ୍ଧମାଳ ସୀମା ଜଙ୍ଗଲ ଜମି ଗଞ୍ଜେଇ ଗଛରେ ଭର୍ତ୍ତି ହୋଇଛି ।
ଜଳପଥରେ ସୁରକ୍ଷିତ ଚାଲାଣ
ଜିଲ୍ଲାର ଗୋଟିଏ ପାଶ୍ୱର୍ରେ ମହାନଦୀ ଏବଂ ଅନ୍ୟ ପାଶ୍ୱର୍ରେ ତେଲ ନଦୀ ପ୍ରବାହିତ । ସଡ଼କ ପଥ ଅପେକ୍ଷା ଜଳପଥରେ ଗଞ୍ଜେଇ ଚାଲାଣ ଅଧିକ ସୁରକ୍ଷିତ ଥିବାରୁ ମାଫିଆମାନେ ନଦୀପଥକୁ ବେଶି ବ୍ୟବହାର କରୁଛନ୍ତି । ତେଲ୍ନଦୀର ଘଣ୍ଟାପଡ଼ା ଓ କମଘାଟ, ଲୁକାପଡ଼ା ଘାଟ, ମହାଦୀର ତେନ୍ତୁଳି, କଙ୍କଳା, ବାଉଁଶୁଣି ଗୁଦଗୁଦା ଘାଟ ଦେଇ ଡଙ୍ଗାରେ ଚାଲାଣ ହେଉଛି । ତେଲ୍ ନଦୀର ମନମୁଣ୍ଡା-ସୋନପୁର ସେତୁ, ଖୁଣ୍ଟିଗୋରା-ଖଡ଼ଙ୍ଗ ସେତୁ, କଣ୍ଟାମାଳ-ଗୁଞ୍ଜିମୁଣ୍ଡା ସେତୁ, ମହାନଦୀର ବୌଦ୍ଧ-କିଆକଟା ସେତୁ, ଧଳପୁର-ଆଠମଲ୍ଲିକ ସେତୁ ଗଞ୍ଜେଇ ଚାଲାଣର ମୁଖ୍ୟ କରିଡର ପାଲଟିଛି । ଏହାକୁ ବାଦ୍ ଦେଲେ ଜିଲ୍ଲା ଦେଇ ଯାଇଥିବା ୧୧୦ କିମି ଦୀର୍ଘ ୫୭ନଂ. ଜାତୀୟ ରାଜପଥ, ଖୁଣ୍ଟିଗୋରା-ମନମୁଣ୍ଡା ୪୧ନଂ. ରାଜ୍ୟ ରାଜପଥରେ ମଧ୍ୟ ଚାଲାଣ ହେଉଛି ।
ଗଛ ନଷ୍ଟରେ ସୀମିତ କାର୍ଯ୍ୟାନୁଷ୍ଠାନ
ସରକାରୀ ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୨୦୨୦-୨୧ ବର୍ଷରେ ଚଢ଼ଉ କରାଯାଇ ୧୦୦୭ ଏକରରେ ପ୍ରାୟ ସାଢ଼େ ୩୦ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା । ଏହାର ଆନୁମାନିକ ବଜାର ମୂଲ୍ୟ ୩୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଥିଲା । ଅନୁରୂପ ଭାବେ ୨୦୨୧-୨୨ରେ ୧୦୦୩ ଏକର ଜଙ୍ଗଲ ଜମିରେ ପ୍ରାୟ ୧୦ ଲକ୍ଷ ଗଛ (ଆନୁମାନିକ ବଜାର ମୂଲ୍ୟ ୧୦୦ କୋଟି) ନଷ୍ଟ କରାଯାଇଥିଲା । ୨୦୨୨-୨୩ରେ ଜିଲ୍ଲା ପୁଲିସ୍ ପକ୍ଷରୁ ୬୬୩୨ ଏକର ଜମିରୁ ଗଞ୍ଜେଇ ଗଛ କଟାଯିବା ସହ ମୋଟ ୧୫୩ଟି ମାମଲା ରୁଜୁ କରାଯାଇଥିଲା । ସେହିପରି ଅବକାରୀ ବିଭାଗ ପକ୍ଷରୁ ୧୧୫୬ ଏକର ଜାଗାରେ ପ୍ରାୟ ୧୩ ଲକ୍ଷ ଗଛ ନଷ୍ଟ କରାଯାଇଥିଲା ।