ନୂଆଦିଲ୍ଲୀ,୬।୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ସଜେଇ ହୋଇସାରିଛି ଭାରତର ମଞ୍ଚ। ୯ ଓ ୧୦ ସେପ୍ଟେମ୍ବରରେ ଦିଲ୍ଲୀର ପ୍ରଗତି ମୈଦାନରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ଆୟୋଜକ ଭାରତର ସମ୍ପୂର୍ଣ୍ଣ ଭାବରେ ଚେଷ୍ଟା କରୁଛି। ଜି-୨୦ ସମ୍ମିଳନୀରେ ବହୁ ଦେଶର ଶୀର୍ଷ ନେତା ଆସୁଛନ୍ତି। ତାଙ୍କ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ରହିଛନ୍ତି। ସେଭଳି ଏହା ମଧ୍ୟ ସ୍ପଷ୍ଟ ହୋଇସାରିଛି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ ପ୍ରେସିଡେଣ୍ଟ ବ୍ଲାଦିମିର ପୁଟିନ୍ ବୈଠକରେ ଯୋଗ ଦେବେ ନାହିଁ। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଦୁଇ ନେତାଙ୍କୁ ନେଇ ଦେଇଛନ୍ତି ବଡ ବୟାନ। ସେ କହିଛନ୍ତି, ଜିନପିଙ୍ଗ ନ ଆସିବା କୌଣସି ଅସମାନ୍ୟ କଥା ନୁହେଁ, ପୂର୍ବରୁ ମଧ୍ୟ ବହୁ ନେତା ଶିଖର ସମ୍ମିଳନୀରେ ଏଭଳି କରିସାରିଛନ୍ତି। ଅନ୍ୟପକ୍ଷେ ପୁଟିନ୍ଙ୍କ ପକ୍ଷରୁ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଭାରତ ଆସୁଛନ୍ତି। ଜୟଶଙ୍କର କହିଛନ୍ତି, ଏଥିରେ କୌଣସି ଫରକ ପଡେନି ଯେ, ସମ୍ମିଳନୀକୁ କିଏ କିଏ ଆସୁଛନ୍ତି, ଗୁରୁତ୍ବପୂର୍ଣ୍ଣ କଥା ହେଲା ସେ ନିଜ ଦେଶର ସ୍ଥିତିକୁ ଠିକ ଢଙ୍ଗରେ ଯେପରି ଉପସ୍ଥାପନ କରିପାରିବେ।
ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବୁଧବାର ଏଏନ୍ଆଇକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଜି-୨୦ ସଦସ୍ୟ ଦେଶର ପ୍ରତିନିଧି ସହମତି ପ୍ରକାଶ କରି ନୂଆଦିଲ୍ଲୀରେ ଶିଖର ସମ୍ମିଳନୀର କିଛି ଘୋଷଣା କରିବା ନେଇ ଆଲୋଚନା କରୁଛନ୍ତି। ଜୟଶଙ୍କର ନିଜ ଋଷ ସମକକ୍ଷ ସର୍ଗେଇ ଲାଭରୋଭ-ଯିଏକି ପୁଟିନଙ୍କ ସ୍ଥାନରେ ଜି-୨୦ରେ ମସ୍କୋର ପ୍ରତିନିଧିତ୍ବ କରିବେ। ସମ୍ମିଳନୀକୁ ଆସୁଥିବା କୌଣସି ଦେଶର ପ୍ରତିନିଧି ଆଲୋଚନା ଅଧିକ କରିବାର ଚେଷ୍ଟା କରୁଛନ୍ତି ଓ ଫଳାଫଳ ବିଷୟରେ ପୂର୍ବରୁ ଅନୁମାନ ନକରିବା ଦରକାର।
ଜୟଶଙ୍କର କହିଛନ୍ତି, ଜି-୨୦ ଏକ ସହଯୋଗୀ ମଞ୍ଚ। ଏହା କ୍ଷମତାର ରାଜନୀତିର ଆଖାଡା ନୁହେଁ। ଆଜି ଜି-୨୦ର କ’ଣ କ୍ଷମତା ରହିଛି ଓ ବିଶ୍ବର ସାମନା କରୁଥିବା ଚ୍ୟାଲେଞ୍ଜର କିଭଳି ସମାଧାନ କରିବେ। ଏନେଇ ସାରା ବିଶ୍ବର ଆଶା ଅଧିକ ରହିଛି। ଉଲ୍ଲେଖନୀୟ ଯେ, ଜି-୨୦ ଦୁନିଆର ପ୍ରମୁଖ ଦେଶର ଏକ ସମୁହ। ତେବେ ଋଷ-ୟୁକ୍ରେନ ଯୁଦ୍ଦ ପରେ ମତଭେଦ କାରଣରୁ ଏହା ବିଭାଜିତ ହୋଇଯାଇଛି।