ପ୍ରମୂଖ ଖବର

ନିର୍ବାଚନ ପ୍ରଚାର ଗୀତ ପାଇଁ ନେତା ତତ୍ପର: ଟିକଟ୍‌ ମିଳିନି, କିନ୍ତୁ ବଇନା ସରିଲାଣି...

ସମ୍ବଲପୁର,୦୨/୦୪: ରସ  ଜାମୁଡାଲିରେ... ହାଏ ତୋର୍‌ ମୁଲକି ହସି,  ମାର୍‌ ଡାଲା ମାର୍‌ ଡାଲା...କୁଲ୍‌ଫି ରାନୀ  ଚକୋବାର୍‌... ତୁଇ ଗୁଡ୍‌ନୁ ମୁନ୍‌ଡକେ ଏକ  ନମ୍ବର... ସଜନୀ ଗୋ ଆମର୍‌ ଲାଗି ସମିୟାଁ  ଦେବ ଟିକେ... ମୋ କ୍ୟୁଟ୍‌ ଗେଲି... ଏଭଳି  ସମ୍ବଲପୁରୀ ଗୀତ ଏବେ ଟ୍ରେଣ୍ଡରେ । ତେଣୁ ଏହି  ଗୀତଗୁଡ଼ିକରେ ନିର୍ବାଚନ ପ୍ରଚାର ପାଇଁ ଆଗୁଆ  ବୁକିଂ ଆରମ୍ଭ ହୋଇଯାଇଛି । ଗୀତର କ୍ରେଜ୍‌କୁ  ଦେଖି ସାରା ଓଡିଶାର ନେତା ଏବେ ସଙ୍ଗୀତ  ନିର୍ଦ୍ଦେଶକ, ଷ୍ଟୁଡିଓ ମାଲିକ ଏବଂ ଗୀତିକାରଙ୍କ ପାଖକୁ ଧାଉଁଛନ୍ତି । ଟିକଟ୍‌ ମିଳିନଥିଲେ ସୁଦ୍ଧା  ବଇନା ଦେଇସାରିଛନ୍ତି । ନେତା ଓ ତାଙ୍କ ସମର୍ଥକ  ଆଗୁଆ ସ୍ଲଟ୍‌ ବୁକିଂ କରି ଗୀତ ଠିକ୍‌ ସମୟରେ  ଦେବାକୁ ଅଗ୍ରୀମ ପଠାଇ ସାରିଛନ୍ତି ।

ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ରତନ ପୂଜାରୀ କହିଛନ୍ତି, କିଛି ନେତା ଗୀତ ଲେଖିବାକୁ କହିଛନ୍ତି । ଯେଉଁମାନଙ୍କ ଟିକଟ ପକ୍କା ହୋଇଛି, ସେନେଇ କାମ ଆରମ୍ଭ ହୋଇଛି । କିଛି ଅଗ୍ରୀମ ମଧ୍ୟ ଦେଇଛନ୍ତି । କେବଳ ସମ୍ବଲପୁର, ବରଗଡ଼,  ଝାରସୁଗୁଡ଼ା ନୁହେଁ, କଟକ, କେନ୍ଦ୍ରାପଡା, ବାଲେଶ୍ୱର ପଟରୁ ନେତା ମଧ୍ୟ ଗୀତ ପ୍ରସ୍ତୁତ କରିବାକୁ କହିଛନ୍ତି । କିନ୍ତୁ ଟିକଟ୍‌ ମିଳିନଥିବାରୁ  ଏଯାଏ ଗୀତ ସମ୍ପୂର୍ଣ୍ଣ ହୋଇପାରିନି । ହେଲେ ଏବେ ପଶ୍ଚିମ ଓଡ଼ିଶାର କିଛି ଷ୍ଟୁଡିଓରେ  ଅଧିକ ଭିଡ଼ ରହିବ । ପୂର୍ବରୁ ଆମେ ଅନେକ  ରାଜନେତାଙ୍କ ପାଇଁ ଗୀତ ପ୍ରସ୍ତୁତ କରିଛୁ ।  ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଜଣେ ବରିଷ୍ଠ  ନେତାଙ୍କ ସମର୍ଥକ କହିଛନ୍ତି, ଆମ ନେତାଙ୍କୁ  ନିଶ୍ଚିତ ଟିକଟ୍‌ ମିଳିବ । ତେଣୁ ଆଗୁଆ ଗୀତ  ରେକର୍ଡ ପାଇଁ ଅଗ୍ରୀମ ଦେଇସାରିଛୁ । ରସ  ଜାମୁଡାଲିରେ... ଓ କୁଲଫି ରାନୀ ଚକୋବାର...  ଗୀତକୁ ଆମ ନେତାଙ୍କ ପ୍ରଚାର ପାଇଁ ରେକର୍ଡିଂ  କରିବାକୁ କହିଛୁ । ଟିକଟ୍‌ ମିଳିବା ମାତ୍ରେ ପ୍ରଚାର  ଗାଡ଼ିରେ ଏହି ଗୀତ ସବୁ ବାଜିବ । 

ବିଜେଡି ମାତ୍ର ୭୨ ବିଧାନସଭା ଆସନ  ପାଇଁ ପ୍ରାର୍ଥୀଙ୍କ ଟିକଟ ଘୋଷଣା କରିଛି । ହେଲେ  ବିଜେପି ୧୧୨ ବିଧାନସଭା ଆସନ  ପାଇଁ ପ୍ରାର୍ଥୀଙ୍କ ଟିକଟ ଘୋଷଣା କରିଛି।ହେଲେ କଂଗ୍ରେସ ଗୋଟିଏ ହେଲେ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ସେମିତି  ଲୋକସଭା ପାଇଁ ବିଜେପି ସମ୍ପୂର୍ଣ୍ଣ ୨୧ ଆସନ  ଓ ବିଜେଡି ୧୫ ଆସନର ପ୍ରାର୍ଥୀ ଘୋଷଣା  କରିଛି । ତଥାପି ନିଜର ପ୍ରଚାର ପାଇଁ ନେତା ଓ  ତାଙ୍କ ସମର୍ଥକ ଆଗୁଆ ବଇନା ଦେଇସାରିଛନ୍ତି ।  ଅଧାରୁ ଅଧିକ ଆସନ ପାଇଁ ନେତାଙ୍କୁ ଟିକଟ  ମିଳିନଥିଲେ ବି ସବୁ ଗୀତ ଲାଗି ଅଗ୍ରୀମ ଦେଇସାରିଛନ୍ତି । କଣ୍ଠଶିଳ୍ପୀ ଶାନ୍ତନୁ ସାହୁ  କହିଛନ୍ତି, ମତେ ପଶ୍ଚିମ ଓଡ଼ିଶାର ବହୁ ନେତା  ଯୋଗାଯୋଗ କରିଛନ୍ତି । ଆଗୁଆ ଗୀତ ପ୍ରସ୍ତୁତ କରିବାକୁ ବରାଦ ଦେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ  ଟିକଟ୍‌ ଫାଇନାଲ୍‌ ହୋଇସାରିଥିବାରୁ ତାଙ୍କ ଗୀତ  ସରିଯାଇଛି । ହେଲେ ଅନ୍ୟମାନଙ୍କର ଟିକଟ୍‌କୁ  ଅପେକ୍ଷା କରାଯାଇଛି । 

ପ୍ରଚାର ଗୀତ ପ୍ରସ୍ତୁତ ପାଇଁ ପୂର୍ବରୁ ଟ୍ରାକ୍‌  ମହଜୁଦ ରହୁଛି । ତେଣୁ ବିଶେଷ ସମୟ ଲାଗି  ନଥାଏ । ହେଲେ ଏହି ସଙ୍ଗୀତର ତାଳେ ତାଳେ ଗୀତ ଲେଖିବା (ସେ ବି ପ୍ରାର୍ଥୀଙ୍କୁ ନେଇ)  ଟିକେ ସମୟ ସାପେକ୍ଷ । ତେଣୁ କିଛି ସଙ୍ଗୀତକୁ  ଆଗୁଆ ନିର୍ବାଚନ ଶୈଳୀରେ ଲେଖା ସରିଥାଏ। କେବଳ ପ୍ରାର୍ଥୀଙ୍କ ନାଁ, ତାଙ୍କ ବିକାଶମୂଳକ କାମ ଓ  ନିର୍ବାଚନମଣ୍ଡଳୀର ନାଁ ଭର୍ତ୍ତି କରାଯାଏ । ଫଳରେ  ଦିନେ, ୨ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଗୀତଟି ଶେଷ  ହୋଇଯାଏ ବୋଲି ଷ୍ଟୁଡିଓ ମାଲିକ କହିଛନ୍ତି।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.