ଭୁବନେଶ୍ୱର,୧୫/୦୯: ବଢ଼ିଚାଲିଛି ସୁନାର ଚମକ । ଆମେରିକା ବଜାରରେ ମାନ୍ଦାବସ୍ଥା, ଫେଡେରାଲ ରିଜର୍ଭର ସୁଧ ହାର ହ୍ରାସ ସମ୍ଭାବନା ଏବଂ ଅନ୍ୟାନ୍ୟ ଭୁ-ରାଜନୈତିକ ଅସ୍ଥିରତା ମଧ୍ୟରେ ଏହି ହଳଦିଆ ଧାତୁ ଏବେ ରେକର୍ଡ ସ୍ତରରେ । ସାଧାରଣତଃ ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ମଣିଥାନ୍ତି ନିବେଶକ । ଚାହିଦା ବଢ଼ିବା ସହିତ ଏହାର ଦର ବଢ଼ିଥାଏ । ୧୦ ଗ୍ରାମ ପିଛା ଖାଣ୍ଟି ସୁନା ଦର ୭୫,୦୦୦ ଟଙ୍କା ନିକଟତର ହୋଇଥିବା ଜଣାପଡ଼ିଛି । ତେବେ ୨୦୨୫ ପ୍ରଥମ ଭାଗରେ ଭାରତରେ ୧୦ ଗ୍ରାମ ପିଛା ସୁନା ଦର ୯୦,୦୦୦ ଟଙ୍କା ଛୁଇଁପାରେ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ ।
ଶନିବାର ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୪୪୦ ଟଙ୍କା ବଢ଼ି ୭୪,୮୯୦ ଟଙ୍କା ହୋଇଛି। ସେହିଭଳି ୨୨ କ୍ୟାରେଟ୍ ସୁନା ୪୦୦ ଟଙ୍କା ମହଙ୍ଗା ହୋଇଛି । ୧୦ ଗ୍ରାମ ପିଛା ଏହା ୬୮,୬୫୦ ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ଦରରେ ୨୦୦୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଏହା ୯୭,୦୦୦ ଟଙ୍କାରେ ପହଞ୍ଚିଛି। ଖୁବ୍ଶୀଘ୍ର ରୁପା ଲକ୍ଷେ ଛୁଇଁବା ଅନୁମାନ ରହିଛି ।
ଚଳିତ ଆର୍ଥିକବର୍ଷ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁନା ଆମଦାନି ଶୁଳ୍କକୁ ୧୫% ରୁ ୬%କୁ ଖସାଇଛନ୍ତି । ଏହା ସତ୍ତେ୍ୱ ସୁନା ଦର ବଢ଼ିଚାଲିଛି । ବିଶ୍ୱବ୍ୟାପୀ ହେଉଥିବା ମାକ୍ରୋ-ଅର୍ଥନୈତିକ ପରିବର୍ତ୍ତନ ଏବଂ ଭୁ-ରାଜନୈତିକ ଅସ୍ଥିରତା ମଧ୍ୟରେ ସୁନା ଦରରେ ଲଗାତର ବୃଦ୍ଧି ଦେଖିବାକୁ ମିଳୁଛି । ଆଗାମୀ ଦିନରେ ଏହା ନୂଆ ରେକର୍ଡ ଛୁଇଁବ ବୋଲି ଅନେକ ବ୍ରୋକରେଜ୍ ହାଉସ୍ ଅନୁମାନ କରିଛନ୍ତି। ସେୟାର ବଜାର ଫେଡେରାଲ ରିଜର୍ଭର ସେପ୍ଟେମ୍ବର ୧୭-୧୮ ବୈଠକରେ ସୁଧ ହାରରେ ୨୫ ବେସିସ୍ ପଏଣ୍ଟ ହ୍ରାସ ଅନୁମାନ କରୁଛି । ସୁଧ ହାର କମ୍ ରହିବା ସ୍ଥିତିରେ ସୁନାରେ ନିବେଶ ବଢ଼ିଥାଏ । ଏଭଳି କ୍ଷେତ୍ରରେ ଆଗକୁ ନୂଆ ରେକର୍ଡ ଛୁଇଁପାରେ ଏହି ହଳଦିଆ ଧାତୁ ।