ଲକ୍ଷ୍ନୌ, ୨୮/୮ : ଉତ୍ତରପ୍ରଦେଶର ଯୋଗୀ ସରକାର ସୋସିଆଲ ମିଡ଼ିଆ ଇନଫ୍ଲ୍ୟୁଏନ୍ସରଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି । ଏବେ ୟୁଟ୍ୟୁବର ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରତି ମାସ ଆୟ କରିପାରିବେ । ଉତ୍ତରପ୍ରଦେଶ ସରକାର ନୂଆ ସୋସିଆଲ ମିଡ଼ିଆ ପଲିସିକୁ ମଞ୍ଜୁରି ଦେଇଛନ୍ତି । ଏହି ସମ୍ବନ୍ଧରେ ନୀତି ଆଣିବାକୁ ବିଭାଗ ଲମ୍ବା ସମୟରୁ ପ୍ରୟାସ କରୁଥିଲା ।
ସେହିଭଳି ଏକ୍ସ, ଫେସବୁକ ଏବଂ ଇଷ୍ଟାଗ୍ରାମ ଆକାଉଣ୍ଟ ହୋଲ୍ଡର, ସଞ୍ଚାଳକ, ଇନଫଲ୍ୟୁଏନ୍ସରଙ୍କୁ ଦେବା ଲାଗି ଶ୍ରେଣୀବାର ଅଧିକତମ ସୀମା କ୍ରମଶଃ ୫ଲକ୍ଷ, ୪ଲକ୍ଷ, ୩ଲକ୍ଷ ଏବଂ ୩ଲକ୍ଷ ଟଙ୍କା ପ୍ରତିମାସ ନିର୍ଦ୍ଧାରିତ କରାଯାଇଛି । ଆସନ୍ତୁ ଜାଣିବା ଆପଣ ବି ମାସକୁ କେତେ ଲକ୍ଷ ଆୟ କରିପାରିବେ । ଯଦି ଆପଣ ପ୍ରଭାବୀ ଇନଫ୍ଲୁଏନ୍ସର କିମ୍ବା ଏଜେନ୍ସି ଅଟନ୍ତି ତ ଆପଣଙ୍କୁ ପ୍ରଥମେ ନିଜକୁ ସରକାରଙ୍କ ଦ୍ବାରା ପଞ୍ଜିକୃତ କରିବାକୁ ପଡ଼ିବ । ସରକାରୀ ଯୋଜନାକୁ ପ୍ରଚାର କରିବା ଲାଗି ସୋସିଆଲ ମିଡ଼ିଆ ଇନଫ୍ଲ୍ୟୁଏନ୍ସର/ ଏଜେନ୍ସିକୁ ସରକାରଙ୍କ ଦ୍ବାରା ପ୍ରଦାନ କରାଯିବ ।
ଯୋଗୀ ସରକାରଙ୍କ ନୂଆ ନୀତି ମାଧ୍ୟମରେ ଭିନ୍ନ ଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ, ଫେସବୁକ, ଇଷ୍ଟାଗ୍ରାମ ଏବଂ ୟୁ-ଟ୍ୟୁବ ଉପରେ ରାଜ୍ୟ ସରକାରଙ୍କ ଯୋଜନା ଏବଂ ଉପଲବ୍ଧି ଉପରେ ଆଧାରିତ କଣ୍ଟେଣ୍ଟ, ଭିଡ଼ିଓ, ଟ୍ବିଟ, ପୋଷ୍ଟ ଏବଂ ରିଲ୍ସକୁ ସେୟାର କରିବା ଉପରେ ଟଙ୍କା ଆୟ କରାଯାଇପାରେ । ସରକାରଙ୍କ କହିବା ଅନୁସାରେ ଏହି ନୀତି ଜାରି ହେବା ପରେ ଦେଶ ବିଦେଶ ଏବଂ ବିଭିନ୍ନ କ୍ଷେତ୍ରରେ ରହୁଥିବା ୟୁପିର ଲୋକଙ୍କୁ ରୋଜଗାର ମିଳିବାର ବଡ଼ ସମ୍ଭାବନା ଅଟେ ।
ୟୁପି ସରକାରଙ୍କ ଏହି ନୂଆ ସୋସିଆଲ ମିଡ଼ିଆ ପଲିସିରେ ରାଷ୍ଟ୍ର ବିରୋଧୀ କଣ୍ଟେଣ୍ଟ ପକାଇବା ଉପରେ ୩ବର୍ଷରୁ ନେଇ ଆଜୀବନ ଜେଲ୍ ହୋଇପାରେ । ଏହା ବ୍ୟତୀତ ଅଶ୍ଳୀଳ କଣ୍ଟେଣ୍ଟ ପୋଷ୍ଟ କରିବା ଉପରେ ଅପରାଧିକ ମାନହାନିର ମାମଲା ବି ରୁଜୁ କରାଯାଇପାରେ । ଏବେ ପର୍ଯ୍ୟନ୍ତ ଆଇଟି ଆକ୍ଟ ଧାରା ୬୬ଇ ଏବଂ ୬୬ଏଫ ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା ।