ନୂଆଦିଲ୍ଲୀ: ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହାମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ମାସରୁ ଅଧିକ ସମୟ ବିତିଗଲାଣି । ଏହା ସତ୍ତ୍ବେ ବି ଏହି ଲଢେଇ ଆଗକୁ ବଢିବାରେ ଲାଗିଛି । ଇସ୍ରାଏଲ୍ କ୍ରମାଗତ ଭାବରେ ଗାଜା ପଟ୍ଟି ଉପରେ ବୋମାମାଡ କରୁଛି । ଗାଜା ଅଞ୍ଚଳର ଚାରିପାଖରେ ବହୁତ ବଡ ବଡ ଅଟ୍ଟାଳିକା ନଷ୍ଟ ହୋଇଯାଇଛି । ଏହି ସମୟରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ ଶୁକ୍ରବାର ଦିନ ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ କହିଛନ୍ତି ଯେ ଗାଜା ଅଞ୍ଚଳରେ ପ୍ରତି ୧୦ ମିନିଟରେ ଜଣେ ଶିଶୁ ମୃତ୍ୟୁ ବରଣ କରୁଛନ୍ତି ।
WHO ଚେତାବନୀ ଦେଇ କହିଛି ଯେ, ଗାଜାରେ ବର୍ତ୍ତମାନ ସମୟରେ କୌଣସି ପରିସ୍ଥିତିରେ କେହି ବି ସୁରକ୍ଷିତ ନୁହଁନ୍ତି । ସୂଚନାଥାଉକି ଅକ୍ଟୋବର ୭ରେ ହାମାସ ଇସ୍ରାଏଲ ଉପରେ ଆକ୍ରମଣ ପରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । ପରେ ହାମାସ ଦ୍ୱାରା ହୋଇଥିବା ଏହି ଆକ୍ରମଣକୁ ଇସ୍ରାଏଲ ଏକ ଉପଯୁକ୍ତ ଉତ୍ତର ଦେଇଥିଲା ଏବଂ ଏହା ଆଧା ଗାଜା ପଟ୍ଟିକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କଲା । WHO ମୁଖ୍ୟ ଟେଡ୍ରୋସ୍ ଆହୁରି ମଧ୍ୟ କହିଛନ୍ତି ଯେ ଗାଜାର ୩୬ ଟି ଡାକ୍ତରଖାନାରୁ ଅଧା ବର୍ତ୍ତମାନ କାମ କରୁନାହିଁ ଏବଂ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନେ ଅଧିକ ଭାରରେ ଅଛନ୍ତି । ଏଭଳି ପରିସ୍ଥିତିରେ ଗାଜାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଟେଡ୍ରୋସ୍ ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ କହିଛନ୍ତି ଯେ ଗାଜାର ହଜାର ହଜାର ଲୋକ ଡାକ୍ତରଖାନାରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି।