ନୂଆଦିଲ୍ଲୀ,୨୪/୮: ନକ୍ସଲ ଦମନ ଅଭିଯାନକୁ ଫୋକସ । ନକ୍ସଲ ପ୍ରଭାବିତ ରାଜ୍ୟରେ କେମିତି ମାଓ ଉପଦ୍ରବ କମିବ ଏବଂ ଏାହାକୁ ନିୟନ୍ତ୍ରଣ କରାଯିବ ସେନେଇ ଚାଲିଛି ପ୍ରସ୍ତୁତି । ଯାହାକୁ ନେଇ ଆଜିଠୁ ଛତିଶଗଡ଼ର ରାୟପୁରରେ ଆୟୋଜିତ ହେଉଛି ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ଶାସନ ସଚିବ ଏବଂ ପୋଲିସ ଡିଜିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଆଉ ଏହି ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ତେବେ ଗତକାଲି ବିଳମ୍ବିତ ସଂଧ୍ୟାରେ ଦିଲ୍ଲୀରୁ ଆସି ରାୟପୁରରେ ପହଞ୍ଚିଛନ୍ତି ଶାହ । ରାୟପୁର ବିମାନ ବନ୍ଦରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସ୍ବାଗତ କରିଥିଲେ । ଆଜି ସେ ଅନ୍ୟ କେତେକ କାର୍ଯ୍ୟକ୍ରମ ସାରି ଏହି ନକ୍ସଲ ନିପାତ ଅଭିଯାନ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର, ଝାଡଖଣ୍ଡ, କେରଳ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତେଲେଙ୍ଗାନା ଯୋଗଦେବେ । ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହମନ୍ତ୍ରୀ ଅମିତ ଶାହା ମହାପ୍ରଭୁ ବଲ୍ଲଭଚାର୍ଯ୍ୟ ଆଶ୍ରମ ଚମ୍ପାରଣ ପରିଦର୍ଶନ କରିବେ।
ଏହାପରେ ପୂର୍ବାହ୍ନ ସାଢ଼େ ୧୧ଟାରେ ସେ ରାୟପୁରର ଏକ ଘରୋଇ ହୋଟେଲରୁ ଆନ୍ତଃରାଜ୍ୟ ସମନ୍ୱୟ ସମିତିର ବୈଠକ କରିବେ, ଯେଉଁଥିରେ ସେ ଛତିଶଗଡ଼ ଏବଂ ସମ୍ପୃକ୍ତ ୭ଟି ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିବେ। ଅପରାହ୍ନ ସାଢ଼େ ୨ଟାରେ ନକ୍ସଲ ପ୍ରଭାବିତ ଅଞ୍ଚଳର ସୁରକ୍ଷା ଓ ବିକାଶ ସମ୍ପର୍କିତ ବୈଠକ ଅନୁଷ୍ଠିତ ହେବ। ଏହାପରେ ସେ ଅଗଷ୍ଟ ୨୫ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ ଏନସିବି କାର୍ଯ୍ୟାଳୟ ଉଦଘାଟନ କରିବେ। ତେବେ ଆଜିର ବୈଠକରେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକୁ କିପରି ବିକଶିତ କରାଯିବ ଏବଂ ସେମାନଙ୍କୁ ଭାରତ ସରକାରଙ୍କ ଯୋଜନା ସହିତ କିପରି ଯୋଡ଼ାଯିବ ସେ ନେଇ ଆଲୋଚନା ହେବ।