ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଜାରକୁ ଆସିଲା ଭାରତ ବ୍ରାଣ୍ଡ୍ ଚାଉଳ, କିଲୋ ପିଛା ୨୯ ଟଙ୍କାରେ ହେବ ଉପଲବ୍ଧ

ନୂଆଦିଲ୍ଲୀ, ୦୭/୦୨ : ଗତ ବର୍ଷକ ମଧ୍ୟରେ ଚାଉଳ ଦର ୧୫% ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ କେନ୍ଦ୍ର ସରକାର ‘ଭାରତ’ ବ୍ରାଣ୍ଡ ଚାଉଳର ବଜାର ପ୍ରବେଶ କରାଇଛନ୍ତି । କିଲୋ ପିଛା ଏହା ୨୯ ଟଙ୍କାରେ ଉପଲବ୍ଧ ହେବ । କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଦ୍ୱାରା ଆଜି ‘ଭାରତ ରାଇସ୍‌’ର ବଜାର ପ୍ରବେଶ ହୋଇଯାଇଛି । ୫ ଏବଂ ୧୦ କିଲୋଗ୍ରାମ ପ୍ୟାକ୍‌ରେ ଏହି ଶସ୍ତା ଚାଉଳ ଉପଲବ୍ଧ ହେବ ।

ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ପ୍ରଥମ ପର୍ଯ୍ୟାୟରେ ନ୍ୟାସ୍‌ନାଲ ଏଗ୍ରିକଲ୍‌ଚରାଲ କୋଅପରେଟିଭ୍‌ ମାର୍କେଟିଂ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ନାଫେଡ୍‌) ଏବଂ ନ୍ୟାସ୍‌ନାଲ କୋଅପରେଟିଭ୍‌ କଞ୍ଜ୍ୟୁମର୍ସ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ସିସିଏଫ୍‌) ସହିତ ରିଟେଲ ଚେନ୍‌ କେନ୍ଦ୍ରୀୟ ଭଣ୍ଡାରକୁ ୫ ଲକ୍ଷ ଟନ୍‌ ଚାଉଳ ଯୋଗାଇଦେବ । ଏହା ପରେ ଉକ୍ତ ଏଜେନ୍ସିଗୁଡ଼ିକ ଚାଉଳକୁ ୫ ଏବଂ ୧୦ କିଲୋଗ୍ରାମ୍‌ରେ ପ୍ୟାକ୍‌ କରି ‘ଭାରତ’ ବ୍ରାଣ୍ଡ ଅଧୀନରେ ବିକ୍ରି କରିବେ । ଇ-କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକରେ ମଧ୍ୟ ଏହି ଚାଉଳ ଉପଲବ୍ଧ ହେବ । ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ‘ଭାରତ ଅଟା’ ଏବଂ ‘ଭାରତ ଡାଲି’ ପୂର୍ବରୁ ବଜାରକୁ ଆଣିସାରିଛନ୍ତି । ଭାରତ ଅଟା କିଲୋ ପିଛା ୨୭.୫୦ ଟଙ୍କା ଏବଂ ଭାରତ ଡାଲି କିଲୋକୁ ୬୦ ଟଙ୍କାରେ ବିକ୍ରି ହେଉଛି । ସୂଚନାଯୋଗ୍ୟ, ୨୦୨୩-୨୪ରେ ରପ୍ତାନି କଟକଣା ଏବଂ ବମ୍ପର ଉତ୍ପାଦନ ସତ୍ତେ୍ୱ ଚାଉଳ ଦର ନିୟନ୍ତ୍ରଣକୁ ଆସିନାହିଁ । ମହଜୁଦକାରୀଙ୍କ ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ସରକାର ଖୁଚୁରା ବେପାରୀ, ପାଇକାରୀ ବେପାରୀ, ପ୍ରୋସେସର ଏବଂ ବଡ଼ ବଡ଼ ରିଟେଲ୍‌ ଚେନ୍‌ଗୁଡ଼ିକୁ ସେମାନଙ୍କ ପାଖରେ ରହିଥିବା ଷ୍ଟକ୍‌ ନେଇ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 

ନିକଟରେ କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ, ଗତ ବର୍ଷକରେ ଚାଉଳର ଖୁଚୁରା ଏବଂ ପାଇକାରୀ ମୂଲ୍ୟରେ ପାଖାପାଖି ୧୫% ବୃଦ୍ଧି ଘଟିଛି । ରପ୍ତାନି ଉପରେ କଟକଣା ସତ୍ତେ୍ୱ ଦର ଲଗାତର ବଢ଼ିଚାଲିଛି । ଏଥିପାଇଁ ସରକାର ଦରକୁ ନିୟନ୍ତ୍ରଣରେ ରଖିବା ଲାଗି ‘ଭାରତ ରାଇସ୍‌’କୁ ବଜାରକୁ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଖାଦ୍ୟ ସଚିବ ଆହୁରି କହିଥିଲେ ଯେ, ମନ୍ତ୍ରାଳୟର ନୂଆ ନିର୍ଦ୍ଦେଶ ଅନୁସାରେ, ପ୍ରତି ଶୁକ୍ରବାର ଖୁଚୁରା ଏବଂ ପାଇକାରୀ ବ୍ୟବସାୟୀଙ୍କୁ ଚାଉଳ ଷ୍ଟକ୍‌କୁ ନେଇ ପୋର୍ଟାଲରେ ଜଣାଇବାକୁ ପଡ଼ିବ । ସେ କହିଛନ୍ତି ଯେ, ଚାଉଳ ଉପରେ ମହଜୁଦ ସୀମା ଲଗାଇବା ସହ ସମସ୍ତ ବିକଳ୍ପ ଖୋଲା ଅଛି । ଏହାର ଦର କମାଇବାକୁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଚାଉଳ ବ୍ୟତୀତ ଅନ୍ୟ ସମସ୍ତ ପ୍ରମୁଖ ଖାଦ୍ୟ ସାମଗ୍ରୀ ଦର ନିୟନ୍ତ୍ରଣରେ ରହିଛି ।

Also Read :-

ଲିଭ୍‌-ଇନ୍‌ ପଞ୍ଜୀକରଣ ନ କଲେ ଜେଲ୍, ଉତ୍ତରାଖଣ୍ଡ ବିଧାନସଭରେ ୟୁସିସି ବିଲ୍ ଆଗତ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.