ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ

ବେଙ୍ଗାଲୁରୁ,୦୪/୦୫: ଚଳିତ ଆଇପିଏଲରେ ଶନିବାର ଘରୋଇ ରୟାଲ୍‌ ଚ୍ୟାଲେଞ୍ଜର୍ସ ଗୁଜରାଟ ଟାଇଟନ୍ସକୁ ଭେଟିବାକୁ ଯାଉଛି । ବେଶ୍‌ କିଛି ଦିନର ବିଶ୍ରାମ ପରେ ଉଭୟ ଦଳ ପୁଣିଥରେ ସାମ୍ନା ସାମ୍ନି ହେବେ । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ ପୁଣି ଏକ ରନ୍‌ ଉତ୍ସବ ଦେଖିବାକୁ ମିଳିବ। ଷ୍ଟାଡ଼ିୟମ୍‌ରେ ନାଲି ଜର୍ସି ଲହଡ଼ି ଖେଳିବ । ବିରାଟ କୋହଲିଙ୍କ ଫ୍ୟାନ୍‌ ଉତ୍ସୁକତାର ସହ ଏହି ମ୍ୟାଚ୍‌କୁ ଅପେକ୍ଷା କରିଛନ୍ତି । ୫ଦିନ ତଳର ପରାଜୟକୁ ଭୁଲି ନଥିବା ଗୁଜରାଟ ଟାଇଟନ୍ସ ଶନିବାର ପ୍ରତିଶୋଧ ନେବାକୁ ପ୍ରସ୍ତୁତ  ରହିଛି । କୋହଲି ଓ ଶୁଭମନ ଗିଲଙ୍କ ଅଗଣିତ ପ୍ରଶଂସକ  ରହିଥିବାରୁ ମ୍ୟାଚ୍‌ଟି ରୋମାଞ୍ଚର ଶିଖର ଛୁଇଁବ । ଉଭୟ  ଦଳ ପାଇଁ ବିଜୟ ଅତ୍ୟାବଶ୍ୟକ ହୋଇଯାଇଥିବାରୁ ଆସନ୍ତା  କାଲି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । 

୨୮ ତାରିଖରେ ଉଭୟ ଦଳ ଅହମ୍ମଦାବାଦରେ ପରସ୍ପରକୁ ଭେଟିଥିଲେ । ରୟାଲ୍‌ ଚ୍ୟାଲେଞ୍ଜର୍ସ ୯ ୱିକେଟ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ୱିଲ ଜ୍ୟାକ୍ସ ଏକ ଶତକୀୟ ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ । ବିଶାଳ ନରେନ୍ଦ୍ର ମୋଦି ଗ୍ରାଉଣ୍ଡ୍‌ରେ ଜ୍ୟାକ୍ସ ୧୦ଟି  ଛକା ମାରିଥିଲେ । ଜ୍ୟାକ୍ସଙ୍କ ଏହି ଇନିଂସକୁ  ଦର୍ଶକ ଦୀର୍ଘ ଦିନ ପର୍ଯ୍ୟନ୍ତ ମନେ ରଖିବେ ।  

ଗତ ୨ବର୍ଷ ମଧ୍ୟରେ ଉଭୟ ଦଳ ପରସ୍ପରକୁ ୪ଥର  ଭେଟିଛନ୍ତି ଓ ୨ଟି ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି । ତେଣୁ ଶନିବାରର ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ରୟାଲ୍‌ ଚ୍ୟାଲେଞ୍ଜର୍ସ କ୍ରମାନ୍ୱୟରେ ୬ଟି ମ୍ୟାଚ୍‌ ପରାଜିତ ହେବା  ପରେ ବିଜୟ ଧାରାକୁ ଫେରିଛି । ସନରାଇଜର୍ସ ହାଇଦ୍ରାବାଦ  ଓ ଟାଇଟନ୍ସ ବିପକ୍ଷରେ କ୍ରମାଗତ ବିଜୟ ପରେ ଦଳର  ମନୋବଳ ବଢିଛି । ବିରାଟ କୋହଲି ଚମତ୍କାର ଫର୍ମରେ  ରହିଛନ୍ତି । ୧୦ଟି ମ୍ୟାଚ୍‌ ଖେଳି ସେ ୫୦୦ ରନ୍‌ ସଂଗ୍ରହ  କରିସାରିଛନ୍ତି । ସେହିପରି ଦିନେଶ କାର୍ତ୍ତିକ, ରଜତ ପାତିଦାର ଫର୍ମରେ ରହିଥିବାବେଳେ ୱିଲ ଜ୍ୟାକ୍ସଙ୍କ ସଫଳତା ଦଳର  ବ୍ୟାଟିଂ ବିଭାଗକୁ ସୁଦୃଢ କରିଛି । ବୋଲିଂ ବିଭାଗର ପ୍ରଦର୍ଶନ  ନୈରାଶ୍ୟଜନକ ରହିଥିଲେ ହେଁ ଶନିବାର ସମସ୍ତ ତ୍ରୁଟି  ସୁଧାରି ଦଳ ଘାତକ ବୋଲିଂ କରିବାକୁ ଯୋଜନା କରିଛି ।  

ଗତ ୨ ବର୍ଷ ତୁଳନାରେ ଟାଇଟନ୍ସର ପ୍ରଦର୍ଶନ ଦୁର୍ବଳ  ରହିଛି । ୧୦ଟି ମ୍ୟାଚ୍‌ରୁ ୪ ବିଜୟ ସହ ଟାଇଟନ୍ସ ୮  ପଏଣ୍ଟ ହାସଲ କରିଛି । ପ୍ରଥମ କରି ନେତୃତ୍ୱ ନେଉଥିବା  ଶୁଭମନ ଗିଲ ରଣନୀତି ପ୍ରସ୍ତୁତ କରିବାରେ ବିଫଳ  ହୋଇଛନ୍ତି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ସେ କମାଲ ଦେଖାଇପାରି ନାହାନ୍ତି । ତେଣୁ ରୟାଲ ଚ୍ୟାଲେଞ୍ଜର୍ସକୁ ତା’  ଘରୋଇ ଗ୍ରାଉଣ୍ଡ୍‌ରେ ହରାଇବାକୁ ହେଲେ ଟାଇଟନ୍ସକୁ  ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ ।  

ରୟାଲ ଚ୍ୟାଲେଞ୍ଜର୍ସ ଶନିବାର ଏକାଦଶ ଅପରିବର୍ତ୍ତିତ ରଖିବା ନିଶ୍ଚିତ । ମାତ୍ର ଟାଇଟନ୍ସ  ଦଳରେ ପରିବର୍ତ୍ତନ ହୋଇପାରେ । ସ୍ପିନର ନୂର ଅହମ୍ମଦଙ୍କ ସ୍ଥାନରେ ସ୍ପେନସର ଜନସନ କିମ୍ବା ଜୋସ  ଲିଟିଲଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ ।  

ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ର ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ।  ଫାଷ୍ଟ ଆଉଟ୍‌ ଫିଲ୍ଡ ସାଙ୍ଗକୁ ଛୋଟ ବାଉଣ୍ଡାରୀ ବ୍ୟାଟରଙ୍କ  ପାଇଁ ଭୁସ୍ୱର୍ଗ କହିଲେ ଭୁଲ ହେବ ନାହିଁ । ଦ୍ୱିତୀୟ ଭାଗରେ  କାକର ଯୋଗୁଁ ବ୍ୟାଟିଂ ସହଜ ହେବ । ତେଣୁ ଟସ  ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଏକାଦଶ

ରୟାଲ୍‌ ଚ୍ୟାଲେଞ୍ଜର୍ସ : ଫାଫ  ଡୁ ପ୍ଲେସି(ଅଧିନାୟକ), ବିରାଟ କୋହଲି, ୱିଲ  ଜ୍ୟାକ୍ସ, ରଜତ ପାତିଦାର, ଗ୍ଲେନ ମ୍ୟାକ୍ସୱେଲ,  କାମେରନ ଗ୍ରୀନ, ଦିନେଶ କାର୍ତ୍ତିକ, କରନ ଶର୍ମା,  ମହମ୍ମଦ ସିରାଜ, ୟଶ ଦୟାଲ, ସ୍ୱପ୍ନିଲ ସିଂହ ।  (ଇମ୍ପାକ୍ଟ ପ୍ଲେୟାର: ମହିପାଲ୍‌ ଲୋମରର) ।  

ଗୁଜରାଟ ଟାଇଟନ୍ସ: ଶୁଭମନ  ଗିଲ(ଅଧିନାୟକ), ରିଦ୍ଧିମାନ ଶାହା, ସାଇ ସୁଦର୍ଶନ,  ଶାହରୁଖ ଖାନ, ଡେଭିଡ୍‌ ମିଲର, ଅଜମତୁଲ୍ଲା ଓମାରଜାଇ, ରାହୁଲ ତେୱାତିଆ, ରସିଦ ଖାନ, ସାଇ  କିଶୋର, ମୋହିତ ଶର୍ମା, ଜୋସ ଲିଟିଲ/ନୂର ଅହମ୍ମଦ ।  (ଇମ୍ପାକ୍ଟ ପ୍ଲେୟାର: ସନ୍ଦିପ ୱାରିୟର) ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.