ନୂଆଦିଲ୍ଲୀ : ଇସ୍ରାଏଲ୍-ହାମାସ୍ ଯୁଦ୍ଧ ମଧ୍ୟରେ ତୁର୍କୀ ସଂସଦ ଏହାର ରେଷ୍ଟୁରାଣ୍ଟରୁ କିଛି ଉତ୍ପାଦର ବ୍ୟବହାରକୁ ବାରଣ କରିଛି, ଯାହା 'ଇସ୍ରାଏଲ୍ ଆକ୍ରୋଶ' କୁ ସମର୍ଥନ କରୁଛି । ତୁର୍କୀ ସଂସଦର ବାଚସ୍ପତି ନୋମାନ କୁର୍ତ୍ତୁଲମସ କହିଛନ୍ତି ଯେ, ସଂସଦ ଇସ୍ରାଏଲର ଆକ୍ରୋଶକୁ ସମର୍ଥନ କରୁଥିବା ଉତ୍ପାଦ ବ୍ୟବହାର କରିବ ନାହିଁ । ତୁର୍କୀର ଉତ୍ତର ପ୍ରାନ୍ତର ଓରଦୁରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ତୁର୍କୀ ଗ୍ରାଣ୍ଡ ନ୍ୟାସନାଲ ଆସେମ୍ବଲିରେ ଆମେ ଇସ୍ରାଏଲର ଆକ୍ରୋଶକୁ ସମର୍ଥନ କରୁଥିବା କମ୍ପାନୀ ଗୁଡିକର କୌଣସି ଉତ୍ପାଦ ବ୍ୟବହାର କରିବୁ ନାହିଁ ।
ଟିଆରଟି ନ୍ୟୁଜ୍ ଅନୁଯାୟୀ, ନୋମାନ କୁର୍ତ୍ତୁଲମସ୍ କହିଛନ୍ତି ଯେ, ବର୍ତ୍ତମାନ ଠାରୁ ଆମେ ସେହି କମ୍ପାନୀ ଗୁଡିକ ଠାରୁ କିଛି କିଣିବୁ ନାହିଁ ଏବଂ ଯାହା କିଣିଛୁ ତାହା ଫିଙ୍ଗି ଦେବୁ । ତେବେ ସଂସଦ ରେଷ୍ଟୁରାଣ୍ଟରୁ କେଉଁ କମ୍ପାନୀର ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଯାଇଛି ସେନେଇ ନୋମାନ ସୂଚନା ଦେଇନାହାଁନ୍ତି । ରଏଟର୍ସ ଅନୁଯାୟୀ ତୁର୍କୀ ସଂସଦ କୋକାକୋଲା ଏବଂ ନେଷ୍ଟଲର ଉତ୍ପାଦକୁ ବାରଣ କରିଛି । ନ୍ୟୁଜ୍ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ, ସଂସଦ ରେଷ୍ଟୁରାଣ୍ଟର ମେନୁରୁ କୋକାକୋଲା ଏବଂ ନେଷ୍ଟଲେଙ୍କୁ ହଟାଇ ଦିଆଯାଇଛି ।
ଇସ୍ରାଏଲର ଗାଜା ଉପରେ ହୋଇଥିବା ଆକ୍ରମଣକୁ ନେଇ ତୁର୍କୀ ପ୍ରଶ୍ନ ଉଠାଇଛି ଏବଂ ଏହା ସହିତ ଇସ୍ରାଏଲ ଦ୍ୱାରା ପାଶ୍ଚାତ୍ୟ ସମର୍ଥନକୁ ମଧ୍ୟ ନିନ୍ଦା କରିଛି । ଇସ୍ରାଏଲ-ହାମାସ ଯୁଦ୍ଧ ମଧ୍ୟରେ ତୁର୍କୀ ଇସ୍ରାଏଲରୁ ନିଜର ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଛି । ରାଷ୍ଟ୍ରଦୂତଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ତୁର୍କୀ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଗାଜାରେ ହୋଇଥିବା ମାନବିକ ଦୁଖଦ ଘଟଣାକୁ ଦୃଷ୍ଟିରେ ରଖି ଆମେ ଆମର ରାଷ୍ଟ୍ରଦୂତ ମାନଙ୍କୁ ଫେରାଇ ଆଣିଛୁ ।