ନୂଆଦିଲ୍ଲୀ: ମିଳିତ ଜାତିସଂଘର ଚେତାବନୀ ପରେ ମଧ୍ୟ ଶନିବାର ଗାଜା ପଟ୍ଟି ଉପରେ ଇସ୍ରାଏଲର ଆକ୍ରମଣ କରିଛି। ରାଫା ସହିତ ଗାଜାର ଅନ୍ୟ କିଛି ଅଞ୍ଚଳରେ ହୋଇଥିବା ଏହି ବିସ୍ଫୋରଣରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ବହୁ ଜନବହୁଳ ସହର ଉପରେ ବ୍ୟାପକ ଆକ୍ରମଣ ହେତୁ ମିଳିତ ଜାତିସଂଘ ଭୟଙ୍କର ବିପର୍ଯ୍ୟୟ ବିଷୟରେ ଚେତାବନୀ ଦେଇଛି । ଇସ୍ରାଏଲ୍ ଆକ୍ରମଣ ପରେ ଲୋକଙ୍କୁ ଡିର ଅଲ-ବଲାହ ସହରର ଅଲ-ଆକସା ଶହୀଦ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନା ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, କେନ୍ଦ୍ରୀୟ ଗାଜାରେ ହୋଇଥିବା ଆକ୍ରମଣରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି ଯେ ଉତ୍ତର ଗାଜାରେ ମଧ୍ୟ ଆକ୍ରମଣ ହୋଇଛି ।
ବାସ୍ତବରେ, ମେ ୯ ରେ ଇଜିପ୍ଟର କହିରୋରେ ଇସ୍ରାଏଲ୍-ହାମାସ୍ ବିବାଦ ଆଲୋଚନା ବିଫଳ ହେବା ପରେ ଇସ୍ରାଏଲ୍ ରାଫା ଉପରେ ଆକ୍ରମଣକୁ ତୀବ୍ର କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ସେନା ଦ୍ୱାରା ହୋଇଥିବା ବୋମା ବିସ୍ଫୋରଣ ବିଷୟରେ ସାମ୍ବାଦିକ, ଡାକ୍ତର ଏବଂ ଅନ୍ୟାନ୍ୟ ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି । ମିଳିତ ଜାତିସଂଘ କହିଛି ଯେ ଇସ୍ରାଏଲ୍ ସୈନ୍ୟମାନେ ଆନ୍ତର୍ଜାତୀୟ ଆବେଦନକୁ ପ୍ରତ୍ୟାଖ୍ୟାନ କରି ପୂର୍ବ ରାଫାରେ ପ୍ରବେଶ କରିବା ପରେ ଏହି ସପ୍ତାହରେ ମାନବିକ ସହାୟତା ମଧ୍ୟ ଅବରୋଧ କରାଯାଇଛି । ମାନବିକ ସହାୟତା ପ୍ରଦାନ ପାଇଁ ରାସ୍ତା ବନ୍ଦ ରହିଛି ।
ହମାସ ଇସ୍ରାଏଲ ଉପରେ ଅଭିଯୋଗ କରିଛି ଯେ, ମଙ୍ଗଳବାର ଦିନ ଇସ୍ରାଏଲ ରାଫାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି ଏବଂ ସହରର କେନ୍ଦ୍ର ତଥା ପଶ୍ଚିମ ଅଞ୍ଚଳରେ କାର୍ଯ୍ୟ କରୁଛି । ପୂର୍ବ ରାଫାର ବାସିନ୍ଦାଙ୍କୁ ସହର ଛାଡିବାକୁ ନିର୍ଦ୍ଦେଶ ଦେବା ପରେ ଇସ୍ରାଏଲ୍ ସୈନ୍ୟମାନେ ରାଫା ସୀମାର ପାଲେଷ୍ଟାଇନ ଅଂଶକୁ ନିୟନ୍ତ୍ରଣ କରି ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି । ଯେଉଁଥିପାଇଁ ମାନବିକ ସହାୟତା ଭାବରେ ଗାଜାରେ ପହଞ୍ଚୁଥିବା ଇନ୍ଧନ ପାଇଁ ରାସ୍ତା ବନ୍ଦ ହୋଇଯାଇଛି ।