କାନପୁର ୦୯/୦୯: ଆଇଆଇଟି କାନପୁର ଅଷ୍ଟିଓଆର୍ଥରାଇଟିସ୍(ଗଣ୍ଠି ସମସ୍ୟା)ରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର ଆଣିଛି । ଏହାର ବାୟୋ ସାଇନ୍ସ ଆଣ୍ଡ ବାୟୋ ଇଞ୍ଜିନିୟରିଙ୍ଗ ବିଭାଗର ପ୍ରଫେସର ଅମିତାଭ ବନ୍ଦୋପାଧ୍ୟାୟ ନିଜ ଟିମ୍ ସହ ଅଷ୍ଟିଓଆର୍ଥରାଇଟିସ୍ ଔଷଧ ବିକଶିତ କରିଥିବା ଦାବି କରିଛନ୍ତି ।
ତାଙ୍କ କହିବା ଅନୁସାରେ, ଏହି ଔଷଧରୁ ରୋଗ ଆଉ ଆଗକୁ ବଢ଼ିବ ନାହିଁ । ୧୦୦ ମୂଷାଙ୍କ ଉପରେ ବୈଜ୍ଞାନିକମାନେ ଏହି ଔଷଧକୁ ପରୀକ୍ଷା କରିଥିଲେ, ଯାହା ସମ୍ପୂର୍ଣ୍ଣ ରୂପେ ସଫଳ ହୋଇଛି । ଆଗାମି ୩ ମାସ ମଧ୍ୟରେ ସେମାନେ ଏହି ଔଷଧକୁ କୁକୁରଙ୍କ ଉପରେ ପ୍ରୟୋଗ କରିବେ । ପ୍ରଫେସର ଅମିତାଭ କହିଛନ୍ତି, ଏଥିରୁ ସଫଳତା ମିଳିଲେ ପାଣ୍ଠି ବ୍ୟବସ୍ଥା ହେବା ମାତ୍ରେ ଏହି ଔଷଧକୁ ମଣିଷଙ୍କ ଉପରେ ପ୍ରୟୋଗ କରାଯିବ । ତେବେ ଏଥିରେ କିଛି ସମୟ ଲାଗିବ ।ପ୍ରଫେସର ଅମିତାଭ କହନ୍ତି, ଏହି ରୋଗରେ ପୀଡ଼ିତଙ୍କ ହାଡ଼ ପାଖରେ ଥିବା କାର୍ଟିଜେଲର ଆଖପାଖରେ ହାଡ଼ ଦେଖାଯାଏ । ଏହି ଲକ୍ଷଣରୁ ହିଁ ରୋଗ ବିଷୟରେ ଜଣାପଡ଼େ ।
ଅଷ୍ଟିଓଆର୍ଥରାଇଟିସ୍ ରୋଗୀଙ୍କୁ ଦୀର୍ଘ ସମୟ ଧରି ଔଷଧ ଖାଇବାକୁ ପଡ଼େ । ଶେଷରେ ହାଡ଼ ପୁର୍ନସ୍ଥାପନ ହିଁ ବିକଳ୍ପ ହୋଇଥାଏ । ପ୍ରଥମେ ସେ ମୂଷାଙ୍କ ସର୍ଜରି କରାଇଲେ । ଏହାପରେ ମୂଷାଙ୍କଠାରେ ଅଷ୍ଟିଓଆର୍ଥରାଇଟିସ୍ର ଲକ୍ଷଣ ସମାହିତ କଲେ । ତା’ପରେ ସେମାନଙ୍କଠାରେ ଔଷଧ ଇନ୍ଜେକ୍ଟ କଲେ । ୩ ମାସ ପର୍ଯ୍ୟନ୍ତ ମୂଷାଙ୍କଠାରେ ରୋଗ ବଢ଼ିଲା ନାହିଁ । ଏହା ଦ୍ୱାରା ଔଷଧର ସକାରାତ୍ମକ ପ୍ରମାଣ ସାମ୍ନାକୁ ଆସିଲା । ମଣିଷଙ୍କ ଉପରେ ଏହି ଔଷଧ ଫଳପ୍ରଦ ହେବ ବୋଲି ସେ ଆଶା କରୁଛନ୍ତି ।