ନୂଆଦିଲ୍ଲୀ, ୨୨/୯ : ଉତ୍ତରପ୍ରଦେଶର କାନପୁରରୁ ପୁଣି ଥରେ ଟ୍ରେନକୁ ଓଲଟାଇବାକୁ ଷଡ଼ଯନ୍ତ୍ର ସାମ୍ନାକୁ ଆସିଲା । ଏହି ଘଟଣା କାନପୁର ଦେହାତ ଜିଲ୍ଲାର ପ୍ରେମପୁର ଷ୍ଟେଶନ ପାଖର ଘଟଣା । ଯେଉଁଠାରେ କାନପୁର – ପ୍ରୟାଗରାଜ ଋଟରେ ଆଜି ସକାଳେ ଏକ ମାଲଗାଡ଼ିର ଲୋକ ପାଇଲଟଙ୍କୁ ଟ୍ରାକରେ ଏକ ଛୋଟ ଗ୍ୟାସ ସିଲିଣ୍ଡର ଦେଖିବାକୁ ମିଳିଥିଲା । ଏହାପରେ ଲୋକ ପାଇଲଟ ସତର୍କତା ଦେଖାଇ ଇମରଜେନ୍ସି ବ୍ରେକ ଲଗାଇଥିଲେ ଏବଂ ଦୁର୍ଘଟଣା ପୂର୍ବରୁ ଟ୍ରେନ୍ ଅଟକାଇ ଦେଇଥିଲେ। ଏହାପରେ ଲୋକ ପାଇଲଟ ଏହାର ସୂଚନା ଅଧିକାରୀଙ୍କୁ ଦେଇଥିଲେ । ରେଲଓ୍ବେ ଏହି ଘଟଣାର ଯାଞ୍ଚ ନିର୍ଦେଶ ଦେଇଛି ।
ଜେଟିଟିଏନ ଗୁଡ୍ସ ଟ୍ରେନ କାନପୁରରୁ ପ୍ରୟାଗରାଜ ଆଡ଼କୁ ଆସିବା ସମୟରେ ଯେତେବେଳେ ପ୍ରେମପୁର ଷ୍ଟେଶନରେ ଲୁପ ଲାଇନରେ ଆସୁଥିଲା ତ ଗାଡ଼ିରେ କାର୍ଯ୍ୟରତ ଡ୍ରାଇଭର ସିଗ୍ନାଲରୁ କିଛି ଦୂର ପୂର୍ବରୁ ଏକ ସିଲିଣ୍ଡର ରଖାଯାଇଥିବା ଦେଖିଥିଲେ । ସେ ତୁରନ୍ତ ଏହା ଦେଖି ଇମରଜେନ୍ସି ବ୍ରେକ ଳଗାଇ ଗାଡ଼ିକୁ ସିଲିଣ୍ଡର ପୂର୍ବରୁ ଅଟକାଇ ଦେଇଥିଲେ। ଏହାପରେ ସେ ସବୁ ବିଭାଗକୁ ଏହାର ସୂଚନା ଦେଇଥିଲେ।