ନୂଆଦିଲ୍ଲୀ,୨।୪: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆତିଶି ବିଜେପି ଉପରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ କହିଛନ୍ତି, ତାଙ୍କର ଜଣେ ଘନିଷ୍ଠ ବ୍ୟକ୍ତିଙ୍କ ମାଧ୍ୟମରେ ବିଜେପି ତାଙ୍କୁ ଯୋଗାଯୋଗ କରିଛି। ଯଦି ବିଜେପିରେ ସେ ସାମିଲ ନହୁଅନ୍ତି, ତେବେ ମାସକ ଭିତରେ ତାଙ୍କୁ ଗିରଫ କରି ନିଆଯିବ। ଆପ୍ ନେତା ଏହା ମଧ୍ୟ ଦାବି କରିଛନ୍ତି, ତାଙ୍କ ଛଡା ସୌରଭ ଭରଦ୍ବାଜ, ଦୁର୍ଗେଶ ପାଠକ ଓ ରାଘବ ଚଢାଙ୍କୁ ଗିରଫ କରାଯାଇପାରେ। ସେଭଳି ବିଜେପି ମଧ୍ୟ ଆତିଶିଙ୍କୁ ସେହି ବ୍ୟକ୍ତିଙ୍କ ନାଁ କହିବାକୁ କହିଛି ଯିଏ ତାଙ୍କୁ ଅଫର ଦେଇଛି।
ଆତିଶି କହିଛନ୍ତି, ସାରା ଦେଶର ଲୋକଙ୍କୁ କହିବାକୁ ଚାହେଁ, ବିଜେପି ମୋର ବ୍ୟକ୍ତିଗତ ଏବଂ ଘନିଷ୍ଠଙ୍କ ମାଧ୍ୟମରେ ମୋତେ ବିଜେପିରେ ସାମିଲ ହେବା ପାଇଁ ସମ୍ପର୍କ କରିଛି। ମୋତେ କୁହାଯାଇଛି ମୁଁ ବିଜେପିରେ ଯୋଗ ଦେବି, ନିଜର କ୍ୟାରିୟର ବଞ୍ଚାଇ ଦେବି ଓ ଯଦି ବିଜେପି ଜଏନ୍ ନକରିଛି ତେବେ ଆଗାମୀ ଏକ ମାସ ଭିତରେ ଇଡି ମୋତେ ଗିରଫ କରି ନେଇଯିବ।
ଆତିଶି କହିଛନ୍ତି, ପୂର୍ବରୁ ଆପ୍ର ଶୀର୍ଷ ନେତାଙ୍କୁ ଗିରଫ କରି ନିଆଯାଇଛି। ଏବେ ବିଜେପି ଲୋକସଭା ନିର୍ବାଚନ ପୂର୍ବରୁ ଆପ୍ର ୪ ଜଣ ନେତାଙ୍କୁ ଗିରଫ କରିବାକୁ ଚାହୁଁଛି। ଆତିଶି କହିଛନ୍ତି, ସେ ମୋତେ, ସୌରଭ ଭରଦ୍ବାଜ, ଦୁର୍ଗେଶ ପାଠକ ଓ ରାଘବ ଚଢାଙ୍କୁ ଗିରଫ କରିବ।’ ଏହା ଭିତରେ ବିଜେପି ନେତା ମନଜିନ୍ଦର ସିଂହ ସିରସା ଆତିଶିଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ତାଙ୍କୁ କହିବା ଦରକାର କିଏ ତାଙ୍କ ସହ ଯୋଗାଯୋଗ କରିଛି, ଯାହାଫଳରେ ତାଙ୍କୁ ଧରିହେବ। ଆପ୍ ନେତାଙ୍କ ପକ୍ଷରୁ ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ କରାଯାଇଛି ଓ ବିଜେପି ସବୁଥର ତାଙ୍କୁ ପ୍ରମାଣ ମାଗିଛି।