ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫେବ୍ରୁଆରୀ ୧୬ରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା, ଦୁଲୁକିବ ଯାତ୍ରା ପେଣ୍ଡାଲ

ଭୁବନେଶ୍ୱର,୩୦/୦୧: ଫେବ୍ରୁଆରୀ  ୧୬ରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । ସାଧୁସନ୍ଥଙ୍କ ଓଁକାର ଧ୍ୱନିରେ ଖଣ୍ଡଗିରି ଓ ଉଦୟଗିରି  ପ୍ରକମ୍ପିତ ହେବ । ଚାଲିବ ବେଦ, ଭାଗବତ ଠାରୁ  ଆରମ୍ଭ କରି ବିଭିନ୍ନ ଧର୍ମଚର୍ଚ୍ଚା । ମେଳା ପଡ଼ିଆ ସାଙ୍ଗକୁ  ଦୁଲୁକିବ ଯାତ୍ରା ପେଣ୍ଡାଲ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ସମଗ୍ର ଖଣ୍ଡଗିରି ଅଞ୍ଚଳ ।  

ଖଣ୍ଡଗିରି ମେଳା କାହାଣୀ ଇତିହାସ ଓ ବିଶ୍ୱାସର ମୂଳଦୁଆ ଉପରେ ଠିଆ  ହୋଇଥିବା ଖଣ୍ଡଗିରି ପୀଠରେ କୁମ୍ଭମେଳାର ପ୍ରାଚୀନତା  କାହିଁ କେତେ ବର୍ଷର । ଆବାହମାନକାଳରୁ ଏହି ମେଳା  ସାର୍ବଜନୀନ ହୋଇସାରିଛି । ପ୍ରତିବର୍ଷ ମାଘ ସପ୍ତମୀଠାରୁ  ପୂର୍ଣ୍ଣିମା ପର୍ଯ୍ୟନ୍ତ ୯ ଦିନ ଧରି ଏହି ମେଳା ଆୟୋଜିତ  ହୋଇଥାଏ । 

ପ୍ରବାଦଅଛି ଏକଦା ଶମ୍ଭାସୁର ନାମକ ଜଣେ ବହୁ  ପ୍ରତାପୀ ଅସୁର କୁଷ୍ଠ ରୋଗରେ ପୀଡ଼ିତ ହୋଇଥିଲେ ।  ଉପଚାର ନିମନ୍ତେ ଅନନ୍ୟୋପାୟ ହୋଇ ଶମ୍ଭାସୁର  ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରିଥିଲେ । ସୂର୍ଯ୍ୟଦେବଙ୍କ ଠାରୁ  ଆଦେଶ ପାଇ ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ବୁଡ଼  ପକାଇ ଚାଲି ଚାଲି ଆସି ଖଣ୍ଡଗିରିରେ ପହଞ୍ଚିଲେ ।  ସେଠାରେ “ଖଣ୍ଡଖିରି’ ସେବନ କରି ଜପତପ  କରିବା ପରେ ସେ ରୋଗମୁକ୍ତ ହୋଇଥିଲେ । ଏହାକୁ  ବିଶ୍ୱାସ କରି ମାଘ ମାସରେ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥ ମାନେ ଆସି ଚନ୍ଦ୍ରଭାଗାରେ ବୁଡ଼ ପକାଇବା  ସହିତ ସେମାନଙ୍କ ଆଗମନ ଓ ପ୍ରତ୍ୟାଗମନ ରାସ୍ତାରେ  ଖଣ୍ଡଗିରି-ଉଦୟଗିରିରେ ଜପତପ କରିଥାନ୍ତି ।  ଏହାଦ୍ୱାରା ଆତ୍ମାକୁ ଶାନ୍ତି ମିଳିବା ସହ ସମସ୍ତ ରୋଗରୁ  ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।  

କୁମ୍ଭମେଳା ନାମରେ ନାମିତ ଏହି ୯ ଦିନ ବ୍ୟାପୀ  ମେଳାକୁ ସ୍ଥାନୀୟ ଲୋକେ “ଅନନ୍ତ କେଶରୀଙ୍କ ଯାତ୍ରା’  ବୋଲି ମଧ୍ୟ କହିଥାନ୍ତି । ଠାକୁର ଅନନ୍ତ କେଶରୀ  କେଉଁଠାରେ ରହୁଥିଲେ ସେ ସଂପର୍କରେ ଇତିହାସ  ପୃଷ୍ଠାରେ କିଛି ଉଲ୍ଲେଖ ନାହିଁ । ମାତ୍ର ୧୮୨୦ ମସିହାରେ  ଐତିହାସିକ ଷ୍ଟାର୍‌ଲିଂ ଖଣ୍ଡଗିରି ପରିଭ୍ରମଣରେ  ଆସିଥିବାବଳେ ଲେଖିଥିଲେ, ଖଣ୍ଡଗିରିରେ ଏକ ଶୂନ୍ୟ ମନ୍ଦିର ଥିଲା । ସ୍ଥାନୀୟ ଲୋକେ ଠାକୁର ଅନନ୍ତ  କେଶରୀ ଦେବ ସେହି ମନ୍ଦିରରେ ରହୁଥିଲେ ବୋଲି  ବିଶ୍ୱାସ କରନ୍ତି।  

ପୁରୀ ରଥଯାତ୍ରାଭଳି ପ୍ରତିବର୍ଷ ମାଘ ସପ୍ତମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଖଣ୍ଡଗିରିଠାରେ ଠାକୁର ଅନନ୍ତ  କେଶରୀଙ୍କ ରଥଯାତ୍ରା ହୋଇଥାଏ । ରଥଯାତ୍ରା ସମୟରେ  ଠାକୁର ଅନନ୍ତ କେଶରୀ ଦେବ ଜାଗମରା ଗ୍ରାମରେ  ଥିବା ମାଉସୀଘର(ବର୍ତ୍ତମାନର ନାଗା ମଠ)କୁ ୯  ଦିନ ଲାଗି ଯାତ୍ରା କରିଥାନ୍ତି । ମାତ୍ର ଇଂରେଜ ମାନଙ୍କର  ଓଡ଼ିଶା ଆକ୍ରମଣ ସମୟରେ ଖଣ୍ଡଗିରିରୁ ଠାକୁର ଅନନ୍ତ  କେଶରୀଙ୍କୁ ଜାଗମରା ଗ୍ରାମକୁ ସ୍ଥାନାନ୍ତର କରାଯାଇଥିବା  ବିଶ୍ୱାସ କରାଯାଏ । 

ସେହିଦିନ ଠାରୁ ଠାକୁର ୯ ଦିନ ପାଇଁ ଖଣ୍ଡଗିରିକୁ ଯାତ୍ରା କରନ୍ତି । ମେଳା ସରିବା ପରେ ଠାକୁରଙ୍କୁ ପୁଣି ଜାଗମରା ଗ୍ରାମକୁ ଅଣାଯାଇଥାଏ । ଏହି ସମୟରେ ପାଳି କରି ଗ୍ରାମବାସୀମାନେ ଠାକୁରଙ୍କୁ  ଜଗିଥାନ୍ତି । ତେବେ ସମୟକ୍ରମେ ଏହି ପରମ୍ପରା ବଦଳି ଯାଇଛି । କେବଳ ମାଘ ସପ୍ତମୀ ଗୋଟିଏ ଦିନ  ପାଇଁ ଠାକୁର ଅନନ୍ତ କେଶରୀଙ୍କୁ ଖଣ୍ଡଗିରି ପରିବର୍ତ୍ତେ  ଉଦୟଗିରିର ରାଣୀହଂସପୁରକୁ ବାଜା, ବାଣ, ରୋଷଣି  ମାଧ୍ୟମରେ ନିଆଯାଉଛି । ମେଳା ଆରମ୍ଭ ହେବାପରେ  ଠାକୁରଙ୍କୁ ପୁଣି ନାଗା ମଠକୁ ଫେରାଇ ଅଣାଯାଉଛି ।  

ମେଳା ହାଲ୍‌ଚାଲ୍‌  

ଏହି ପ୍ରସିଦ୍ଧ ମେଳାରେ ଖଣ୍ଡଗିରି ନିକଟସ୍ଥ  ଜାଗମରା, ଗଣ୍ଡମୁଣ୍ଡା, ଆଇଗିଣିଆ, ଡୁମୁଡୁମା,  ବରମୁଣ୍ଡା, ଘାଟିକିଆ ଓ ଭରତପୁର ଆଦି ଗ୍ରାମ  ଓତୋପ୍ରୋତଃ ଭାବେ ଜଡ଼ିତ ଥିବା ବେଳେ ଦେଶର  କୋଣଅନୁକୋଣରୁ ଲକ୍ଷାଧିକ ଯାତ୍ରୀଙ୍କ ସମାଗମ  ହୋଇଥାଏ । ଧାନ ଅମଳ ସମୟ ହୋଇଥିବାରୁ ଏହି  ମେଳା ଚାଷୀମାନଙ୍କ ପାଇଁ ପ୍ରକୃଷ୍ଟ ସମୟ ବୋଲି ବିବେଚନା କରାଯାଏ । 

ରାଜ୍ୟର ବିଭିନ୍ନ ଅଞ୍ଚଳରୁ  କଂସାବାସନ, କାଠ ସାମଗ୍ରୀ, ମାଟି ଦ୍ରବ୍ୟ, ବାଉଁଶ  ତିଆରି ଜିନିଷ ଓ ବିଭିନ୍ନ ଅଞ୍ଚଳର କାରିଗରି ଜିନିଷର  ହାଟ ବସେ । ମୀନା ବଜାର ଠାରୁ ଆରମ୍ଭ କରି ସର୍କସ  ପାର୍ଟି, ମନୋହରି ଦୋକାନ, ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ଖାଦ୍ୟଦ୍ରବ୍ୟର ମଧ୍ୟ ଦୋକାନ ବସେ । ମୁଣ୍ଡିଆର  ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର ଜମେ । ଗାଁ  ଗଣ୍ଡାରୁ ଲୋକେ ତାଟ ଶଗଡ଼ରେ ଆସି ମୁଣ୍ଡିଆରେ  ଭୋଜିଭାତ କରିବା ସହିତ ଘରକରଣା ଜିନିଷ କିଣନ୍ତି ।  ତେବେ ପୂର୍ବଭଳି ତାଟ ଶଗଡ଼ ଆଉ ଦେଖିବାକୁ  ମିଳୁନାହିଁ । ପ୍ରତ୍ୟହ ଏହି ମେଳାରେ ଲକ୍ଷାଧିକ ଲୋକଙ୍କ  ଭିଡ଼ହୁଏ । ଆଜିକାଲି ଯାତ୍ରା ଓ ନାଟତାମସା ପ୍ରତି ଆଗ୍ରହ  ବଢ଼ୁଥିବା ଲକ୍ଷ୍ୟ କରାଯାଉଛି ।  

ଦୁଲୁକିବ ଖଣ୍ଡଗିରି 

ଏଥର ଖଣ୍ଡଗିରି ମେଳାରେ ୬ଟି ପେଣ୍ଡାଲରେ  ୧୨ଟି ନାମୀ ଅପେରା ପାର୍ଟି ଯାତ୍ରା ପରିବେଷଣ  କରିବେ । ଏଠାରେ ଅପେରା ପାର୍ଟି ଗୁଡ଼ିକ ମଧ୍ୟରେ  ଏକରକମ ପ୍ରତିଯୋଗିତା ଲାଗିଥାଏ । ତେଣୁ  ଏହାକୁ ଅଘୋଷିତ ଯାତ୍ରା ମହାସମର ବୋଲି ମଧ୍ୟ  କୁହାଯାଏ । ଏଠାରେ ଲେଖକ, ନିର୍ଦ୍ଦେଶକ, ସଙ୍ଗୀତ  ନିର୍ଦ୍ଦେଶକମାନେ ଏକାଠି ହୋଇଥାନ୍ତି । ସବୁ ଅପେରା ପାର୍ଟିଗୁଡ଼ିକ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ସେମାନଙ୍କର  ଶ୍ରେଷ୍ଠ ନାଟକ ଏଠାରେ ପ୍ରଦର୍ଶନ କରିଥାନ୍ତି ।

Also Read :-

ଖୋଲିବ ରାତ୍ରିକାଳୀନ ପ୍ଲିଂ ମାର୍କେଟ ମଜା ନେବେ ରାଜଧାନୀବାସୀ, ଖାଦ୍ୟ ସାଙ୍ଗକୁ ଜମିବ ନାଚଗୀତ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.