ଚନ୍ଦ୍ରଶେଖରପୁର,୧୨/୦୨: ଜୟଦେବ ବିହାର -ନନ୍ଦନକାନନ ରାସ୍ତାରେ ଆସମ୍ଭାଳ ଭିଡକୁ ଦୃଷ୍ଟିରେ ରଖି ବାମ ପାର୍ଶ୍ୱରେ ଦୁଇଟି ସାମନ୍ତରାଳ ରାସ୍ତା ନିର୍ମାଣ ହେଉଛି । ବାମ ପାର୍ଶ୍ୱର ରାସ୍ତାଟି ଏକାମ୍ରକାନନରୁ ବାହାରି ସାଲିଆ ସାହି, ନୀଳାଦ୍ରି ବିହାର, ଇନଫୋସିଟି, ପଥରଗାଡିଆରେ ମିଶିବ । ହେଲେ ବାମ ପାର୍ଶ୍ୱର ସାମନ୍ତରାଳ ରାସ୍ତା ନିର୍ମାଣ ପାଇଁ ବାଧକ ସାଜିଛି ବସ୍ତି । ବିଶେଷ କରି ସାଲିଆ ସାହି ବସ୍ତି , ଚୂନକୋଳି ଗାଁ ଏବଂ କିଛି ଘରୋଇ ଜାଗା ରହିଥିବାରୁ ରାସ୍ତା କାମ ଅଟକିଛି । ଆଗକୁ ଆସୁଛି ସାଧାରଣ ନିର୍ବାଚନ । ମୁଖ୍ୟତଃ ବସ୍ତି ଭୋଟରଙ୍କ ଭୋଟ୍ ଉପରେ ସରକାରଙ୍କ ନଜର ରହିଛି । ଯଦି ସାଲିଆ ସାହି ବସ୍ତି ଭଙ୍ଗାଯାଏ ତେବେ ଏହାର ପ୍ରଭାବ ନିର୍ବାଚନ ଉପରେ ପଡିପାରେ । କାରଣ ସାଲିଆ ସାହିର ୪ଟି ୱାର୍ଡରେ ପ୍ରାୟ ପ୍ରାୟ ୫୦ ହଜାର ଭୋଟର ରହୁଛନ୍ତି ।
ସେପଟେ ଚୂନକୋଳି ଗାଁ ଅବସ୍ଥା ମଧ୍ୟ ସମାନ । ଜଟଣୀ ନିର୍ବାଚନମଣ୍ଡଳୀ ଅନ୍ଧାରୁଆ ପଞ୍ଚାୟତରେ ଆସୁଥିବା ଏହି ଗାଁରେ ପାଖାପାଖି ୧ ହଜାର ପରିବାର ରହୁଛନ୍ତି । ରାସ୍ତା ପାଇଁ ଗାଁକୁ ଉଚ୍ଛେଦ କଲେ ସେମାନଙ୍କ ଭୋଟ୍ ବିରୋଧି ପ୍ରାର୍ଥୀଙ୍କୁ ଯିବାର ସମ୍ଭାବନା ରହିଛି । ଯେଉଁଥି ପାଇଁ ସରକାର କିଛି ରିକ୍ସ ନେବାକୁ ଚାହୁଁ ନାହାଁନ୍ତି ।
ପ୍ରସ୍ତାବିତ ସାଲିଆ ସାହି ହାତିଆଶୁଣୀରୁ ଏକାମ୍ରକାନନ ଭିତରେ ୯ ଶହ ମିଟର ରାସ୍ତା ବାକି ରହିଛି । ଏଠାରେ ପ୍ରାୟ ୩୮୬ ବିସ୍ଥାପିତ ବାସ କରୁଥିବାରୁ ଅନେକ ଥର ପ୍ରଶାସନ ଉଚ୍ଛେଦରେ ଫେଲ ମାରିଛି । ସେମାନଙ୍କୁ ଆବାସ ଯୋଜନାରେ ଘର ଦେବାକୁ ଯୋଜନା ହୋଇଛି । କିନ୍ତୁ ଏଥିରେ ବସ୍ତି ବାସିନ୍ଦା ସନ୍ତୁଷ୍ଟ ନାହାଁନ୍ତି । ସ୍ଥାନୀୟ ବିଧାୟକ ଓ କର୍ପୋରେଟର ମଧ୍ୟ ଏଥିରେ ହସ୍ତକ୍ଷେପ କରୁନାହାଁନ୍ତି । ଯାହାକୁ ନେଇ ବସ୍ତି ବାସିନ୍ଦାଙ୍କ ମନରେ ଅସନ୍ତୋଷ କୁହୁଳୁଛି ।
ସେହିପରି ଏହି ରାସ୍ତାର ଶୈଳଶ୍ରୀ ବିହାର ଓଇଆରସିଠୁ ପଥର ଗାଡିଆ ମଝିରେ ପ୍ରାୟ ୩ କିମିର ରାସ୍ତା ବାକି ରହିଛି । ୨୦୧୬ରୁ କାମ ଆରମ୍ଭ ହୋଇଥିବା ବେଳେ ଚୁନକୂଳ ଗାଁ ଓ ଜଙ୍ଗଲ ଜମି ପାଇଁ କାମ ଆଗକୁ ବଢିପାରୁନି । ଏନେଇ ସାଲିଆ ସାହି ଆଞ୍ଚଳିକ କମିଟିର ଅଞ୍ଜନ ନାଥ କହିଛନ୍ତି ଆମେ ରାସ୍ତାକୁ ବିରୋଧ କରୁନୁ । ଆମକୁ ପ୍ରଥମେ ଥଇଥାନ କରି ଜମି ପଟ୍ଟା ଦିଆଯାଉ । ସାମନ୍ତରାଳ ରାସ୍ତା ସିଧା ଏକାମ୍ରକାନନକୁ ନିର୍ମାଣ କରାଯାଉ । ବୁଲେଇ ବଙ୍କେଇ ନିର୍ମାଣ କଲେ ପାଖାପାଖି ହଜାରେ ବସ୍ତି ବଳି ପଡିବ । ଅନ୍ୟପେଟ ପୂର୍ତ୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଆମକୁ ଉପରୁ ନିର୍ଦ୍ଦେଶ ଆସିଛି ବସ୍ତି ଉଚ୍ଛେଦ ହେବ ନାହିଁ । ନିର୍ବାଚନ ପରେ ଯାହା ହେବ ।