ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୈଜ୍ଞାନିକଙ୍କ ନୂଆ ଆବିଷ୍କାର, ଏବେ ମୁଖ ଗହ୍ୱର କର୍କଟ ଚିହ୍ନଟ କରିବ ଲଲିପପ୍

ନୂଆଦିଲ୍ଲୀ ୨୫/୦୩: ମୁଖ ଗହ୍ୱର କର୍କଟ ଯୋଗୁ ପ୍ରତିବର୍ଷ ସାରା ବିଶ୍ୱରେ ବହୁ ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତି । ଏପରିସ୍ଥଳେ ସମୟ ଥାଉ ଥାଉ ମୁଖ ଗହ୍ୱର କର୍କଟ ଚିହ୍ନଟ ଲାଗି ବ୍ରିଟେନ୍‌ର ବର୍ମିଂହାମ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ ଲଲିପପ୍‌ର ବିକାଶ କରୁଛନ୍ତି । ସେହି ଲଲିପପ୍‌ ମାଧ୍ୟମରେ ଖୁବ୍‌ ସହଜରେ ଏପରିକି ଲକ୍ଷଣ ପ୍ରକାଶ ପାଇବା ପୂର୍ବରୁ ଏହି ରୋଗକୁ ଚିହ୍ନଟ କରିହେବ । ଫଳରେ ମୃତ୍ୟୁ ହାର ହ୍ରାସ ପାଇବ ବୋଲି ସେମାନେ ଦାବି କରିଛନ୍ତି । 

ବର୍ମିଂହାମ୍‌ ବିଶ୍ୱବିଦ୍ୟାଳୟର ବାୟୋସେନ୍‌ସର ବିଭାଗର ଆସୋସିଏଟ୍‌ ପ୍ରଫେସର ଡ.ରୁଚି ଗୁପ୍ତା କହିଛନ୍ତି, ମୁଖ ଗହ୍ୱର କର୍କଟ ଚିହ୍ନଟ କରୁଥିବା ପାରମ୍ପରିକ ଉପାୟ ପ୍ରଭାବଶାଳୀ ହୋଇଥିଲେ ମଧ୍ୟ ଏହା ଅଧିକ ସମୟସାପେକ୍ଷ । ସେହିପରି ରୋଗୀ ମଧ୍ୟ ଏହାଦ୍ୱାରା ଯନ୍ତ୍ରଣା ଭୋଗିଥାନ୍ତି । ଏହି ପରୀକ୍ଷଣ ଲାଗି ବିଶେଷ କୌଶଳର ମଧ୍ୟ ଆବଶ୍ୟକତା ପଡି଼ଥାଏ । ଏହାର ବୀପରିତ ଭାବେ ଯେଉଁ ଲଲିପପ୍‌ ପ୍ରସ୍ତୁତି ଉପରେ କାମ କରାଯାଉଛି ତାହା ମାଧ୍ୟମରେ ସାମ୍ପଲ ବା ନମୂନା ସଂଗ୍ରହ ବହୁତ ସହଜ ହୋଇଯିବ । ସ୍ମାର୍ଟ ହାଇଡ୍ରୋଜେଲ୍‌ ନାମକ ଏକ ସାମଗ୍ରୀ ଦ୍ୱାରା ଆମର ଟିମ୍‌ ସ୍ୱାଦଯୁକ୍ତ ଲଲିପପ୍‌ର ପ୍ରୋଟୋଟାଇପ୍‌ ପ୍ରସ୍ତୁତ କରୁଛି ।

ସ୍ମାର୍ଟ ହାଇଡ୍ରୋଜେଲ୍‌ ପ୍ରୋଟିନ୍‌କୁ ସହଜରେ ଧରିବାରେ ସହାୟକ ସାବ୍ୟସ୍ତ ହୋଇଥାଏ । ଏପରିସ୍ଥଳେ ସନ୍ଦିଗ୍ଧ ରୋଗୀ ଯେତେବେଳେ ଲଲିପପ୍‌କୁ ପାଟି ଭିତରକୁ ନେବେ ସେତେବେଳେ ସ୍ମାର୍ଟ ହାଇଡ୍ରୋଜେଲ୍‌ ମଧ୍ୟକୁ ସେମାନଙ୍କର ଲାଳର ନମୂନା ସ୍ଥାନାନ୍ତରିତ ହୋଇଯିବ । ପରେ ତାକୁ ପ୍ରୟୋଗଶାଳାରେ ବିଶ୍ଳେଷଣ କରାଗଲେ ମୁହଁ ଭିତରେ କ୍ୟାନସରକାରକ ପ୍ରୋଟିନ୍‌ ରହିଛି କି ନାହିଁ ତାହା ଜଣାପଡି଼ଯିବ । ବର୍ତ୍ତମାନ ପ୍ରକଳ୍ପଟି ପ୍ରାଥମିକ ଅବସ୍ଥାରେ ରହିଛି । ଅବଶ୍ୟ ଲଲିପପ୍‌ ବିକଶିତ ହୋଇସାରିବା ପରେ କ୍ଲିନିକାଲ୍‌ ଟ୍ରାଏଲ୍‌ରେ ଯଦି ଏହାର ଭଲ ପରିଣାମ ସାମ୍ନାକୁ ଆସେ ତା’ହେଲେ ଭବିଷ୍ୟତରେ ମୁଖ ଗହ୍ୱର କର୍କଟର ନିଦାନ ଲାଗି ଏହା ଏକ ବଡ଼ ସଫଳତା ହେବ ବୋଲି ସେ ପ୍ରକାଶ କରିଛନ୍ତି । ସୂଚନାଥାଉକି, ବର୍ତ୍ତମାନ ଥିବା ବ୍ୟବସ୍ଥା ଅନୁସାରେ ମୁଖ ଗହ୍ୱର କର୍କଟ ଚିହ୍ନଟ ଲାଗି ଡାକ୍ତରମାନେ ରୋଗୀଙ୍କ ନାକ କିମ୍ବା ପାଟି ମାଧ୍ୟମରେ ଏକ କ୍ୟାମେରା ପ୍ରବେଶ କରାଇଥାନ୍ତି । ତାହା ଜରିଆରେ ଯାଞ୍ଚ ପାଇଁ ନମୂନା ସଂଗ୍ରହ କରାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.