ମୁମ୍ବାଇ,୩୧/୮: ହେମା କମିଟି ରିପୋର୍ଟରେ ଖୁଲାସା ହେବା ପରେ ମାଲାୟାଲମ ଇଣ୍ଡଷ୍ଟ୍ରିର ଅନେକ ତାରକା ନିଜ ପଦରୁ ଇସ୍ତଫା ଦେବା ସହ ଅନେକଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ଦ୍ଦେଶକ ଆଶିକ ଅବୁ ଫିଲ୍ମ କର୍ମଚାରୀ ଏମପ୍ଲୋଇଜ ଅଫ୍ କେରଳ ରୁ ଇସ୍ତଫା ଦେଇଛନ୍ତି । ସେପଟେ ଅଭିନେତା ଜୟସୂର୍ଯ୍ୟାଙ୍କ ବିରୋଧରେ ପୁଣିଥରେ ରୁଜୁ ହୋଇଛି ମାମଲା । ପୂର୍ବରୁ ଜୟସୂର୍ଯ୍ୟାଙ୍କ ନାଁରେ ଜଣେ ଅଭିନେତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ଏବେ ଆଉ ଜଣେ ଅଭିନେତ୍ରୀ ତାଙ୍କ ନାଁରେ ସମାନ ଅଭିଯୋଗ କରିଛନ୍ତି । ତେବେ ନିର୍ଦ୍ଦେଶକ ଆଶିକ ଅବୁ FEFCA ର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଆଶିକ ଅବୁ ତାଙ୍କ ଇସ୍ତଫାକୁ FEFCA ସାଧାରଣ ସମ୍ପାଦକ ବି. ଉନିକ୍ରିଷ୍ଣନ୍ ପଠାଇଛନ୍ତି ।
ହେମା କମିଟି ରିପୋର୍ଟ ଆସିବା ପରେ FEFCA ରୁ ଏହା ପ୍ରଥମ ଇସ୍ତଫା । ତେବେ ଥିରୁବନନ୍ତପୁରମର ଅଭିନେତ୍ରୀ ଥୋଡୁପୁଜାର ଏକ ସ୍ଥାନରେ ବର୍ଷେ ପୂର୍ବରୁ ଯୌନ ନିର୍ଯାତନା ଶିକାର ହୋଇଥିଲେ । ଯାହାକୁ ନେଇ ବର୍ତ୍ତମାନ ଅଭିନେତ୍ରୀ କରମାନା ପୋଲିସ ନିକଟରେ ମାମଲା ରୁଜୁ କରିଛନ୍ତି । ତେବେ ଏହି ମାମଲା ଥୋଡୁପୁଜା ସ୍ଥାନରେ ହୋଇଥିବାରୁ ମାମଲାକୁ ସେଠାକାର ପୋଲିସ ଷ୍ଟେସନକୁ ପଠାଯିବ । ଥ୍ରିସୁରର ଏକ ସ୍ୱତନ୍ତ୍ର ଯାଞ୍ଚ ଟିମ ଏହି ମାମଲାର ତଦନ୍ତ କରିବେ । କହିରଖୁଛୁ କି, ହେମା କମିଟି ରିପୋର୍ଟ ଆସିବା ପରେ ଅନେକ ଅଭିନେତ୍ରୀ ସାମ୍ନାକୁ ଆସି ଯୌନ ନିର୍ଯାତନା ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି ।
ବର୍ତ୍ତମାନ ଅଭିଯୋଗକାରୀଙ୍କ ବିବୃତ୍ତି ରେକର୍ଡ ହେବା ପରେ ଅଭିନେତା ଜୟସୂର୍ଯ୍ୟାଙ୍କ ବିରୋଧରେ ମାମଲା ପଞ୍ଜିକୃତ ହୋଇଛି । ଖବର ଅନୁଯାୟୀ, ଏହାପୂର୍ବରୁ ଅଭିନେତା ମିନୁ ମୁନିର୍ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ ଅଗଷ୍ଟ ୨୮ ରେ ଏକ ମାମଲା ପଞ୍ଜିକୃତ ହୋଇଥିଲା । ମିନୁ ଜୟସୂର୍ଯ୍ୟାଙ୍କ ବ୍ୟତୀତ ସେ ସିପିଆଇ (ଏମ୍) ବିଧାୟକ ତଥା ଅଭିନେତା ମୁକେଶ ଏବଂ ଅଭିନେତା ଏଡାଭେଲା ବାବୁଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲେ ।