ମାଲକାନଗିରି, ୮/୬ : ନିମ୍ନମାନର କାମ ଯୋଗୁ ସ୍ୱଳ୍ପ ବର୍ଷାରେ ପୁଣି ଭୁଶୁଡ଼ିପଡିଛି ମାଲକାନଗିରି ବିମାନବନ୍ଦର ମୂଖ୍ୟ ପାଚେରୀ। ଠିକ୍ ଏହିପରି ଗତ ବର୍ଷ ମଧ୍ୟ ନିର୍ମାଣଧୀନ ବିମାନବନ୍ଦରର ପାଚେରୀ ଭୁଶୁଡି ୨ଶ୍ରମିକଙ୍କ ମୃତ୍ୟୁ ଘଟିବା ସହିତ ୪ଜଣ ଶ୍ରମିକ ଆହତ ହୋଇଥିଲେ। ଏହି ଘଟଣାର ବର୍ଷକ ପରେ ପୁଣି ଥରେ ପାଚେରୀ ଭୁସିଡିବା ଘଟଣା ସାମ୍ନାକୁ ଆସିଛି। ନିମ୍ନମାନର କାମ ଯୋଗୁଁ ବାରମ୍ବାର ପାଚେରୀ ଭୁଶୁଡୁଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, ଗତ ରାତିରେ ମାଲକାନଗିରି ଜିଲ୍ଲାରେ ସ୍ବଳ୍ପ ବର୍ଷା ହୋଇଛି। ଯେଉଁଥିପାଇଁ ମାଲକାନଗିରି ବିମାନବନ୍ଦରର ପାଚେରି ସମ୍ପୂର୍ଣ୍ଣ ଭାବରେ ଭୁଶୁଡି ପଡ଼ିଛି। ପୂର୍ବ ପାର୍ଶ୍ୱରେ ୪୦ ମିଟରରୁ ଉର୍ଦ୍ଧ୍ଵ ଓ ପଶ୍ଚିମ ପାର୍ଶ୍ବରେ ମଧ୍ୟ ପାଖାପାଖି ୪୦ମିଟରରୁ ଉର୍ଦ୍ଧ୍ଵ ଭୁଶୁଡିଛି। ଏହି ପାଚେରୀଟି ରାତିରେ ଭୁଶୁଡି ପଡିଥିବାରୁ କେହି ମୃତାହତ ହୋଇନାହାନ୍ତି କି କାହାର କିଛି କ୍ଷତି ଘଟିନାହିଁ। ତେବେ ନିର୍ବାଚନର କିଛି ଦିନ ପୂର୍ବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପଣ ହୋଇଥିଲା।
ମାଲକାନଗିରି ବ୍ଲକ ଗୌଡ଼ଗୁଡା ପଞ୍ଚାୟତ ଗରେ ଇଗୁଡ଼ା କଦବାହାଲ ମୌଜାର ୨୩୩ ଏକର ଜମିରେ ନିର୍ମିତ ବିମାନବନ୍ଦର ୭୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। ନିର୍ବାଚନକୁ ଆଖି ଆଗରେ ରଖି ତରବରିଆ ଭାବରେ ଏହାକୁ ଲୋକାର୍ପଣ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ଘରୋଇ ସଂସ୍ଥା ହାତରେ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଟେକି ଦେଇଥିଲେ ସରକାର। ଟିଟିସିପିଏଲ ତଥା ତାରାତାରିଣୀ କନସଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ ନାମକ କମ୍ପାନୀ ଦ୍ଵାରା ଏହା ନିର୍ମାଣ କରାଯାଇଛି।
ତେବେ ବର୍ତ୍ତମାନ ପାଚେରୀ ଭୁଶୁଡିବା ଘଟଣା ନୂଆ କଥା ନୁହେଁ। ଗତବର୍ଷ ମଧ୍ୟ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ସମୟରେ ସମାନ ଭାବରେ ପାଚେରୀ ଭୁଶୁଡି ୨ ଶ୍ରମିକଙ୍କ ମୃତ୍ୟୁ ହେବା ସହିତ ୪ଜଣ ଶ୍ରମିକ ଆହତ ହୋଇଥିଲେ। ତେବେ ପୁଣି ସ୍ବଳ୍ପ ବର୍ଷାରେ ଏଭଳି ପାଚେରୀ ଭୁଶୁଡିବା ଘଟଣା ନାନା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଆରମ୍ଭରୁ ନିମ୍ନମାନର ହୋଇ ଆସୁଅଛି। ଅନ୍ୟପଟେ ବିମାନବନ୍ଦରର ପାଚେରୀ ଭୁଶୁଡି ନିକଟସ୍ଥ ଅନେକ ଜମି ନଷ୍ଟ ହୋଇଥିବାର ଚାଷୀ ଭିମା ସୋଡି଼ ଅଭିଯୋଗ କରିଛନ୍ତି। ପାଚେରୀ ଭୁଶୁଡିବା ସମ୍ପର୍କରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ନିହାର ରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ ଏହାକୁ ସ୍ୱୀକାର କରି କହିଛନ୍ତି ବିମାନ ବନ୍ଦରଟି ମୋଟ ୬୬୦୦ମିଟର ପରିସୀମାରେ ରହିଛି। ଏହି ପାଚେରୀ ଗୁଡିକ ଖାଲ ସ୍ଥାନରେ ଥିବା ଓ କଲମ ହୋଇନଥିବାରୁ କାଲିର ପ୍ରବଳ ଝଡ଼ ବର୍ଷାରେ ପାଚେରୀ ନିକଟରେ ପାଣି ଜମି ଦୁଇଟି ସ୍ଥାନରେ ପ୍ରାୟ ୪୦ ମିଟର ଲେଖା ମୋଟ ୮୦ ମିଟର ପାଚେରୀ ଭାଙ୍ଗି ଯାଇଛି। ଆଜି ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଯୁଦ୍ଧକାଳୀନ ଭିତିରେ ପାଚେରୀ ମରାମତି କାମ ଆରମ୍ଭ ହୋଇଯାଇଛି। ସମସ୍ତ ପାଚେରୀକୁ ମଜଭୁତ କରିବା ପାଇଁ କଲମ ନିର୍ମାଣ ହେବ ବୋଲି ଇଂ ବେହେରା ସୂଚନା ଦେଇଛନ୍ତି।