ଭୁବନେଶ୍ୱର,୨୯/୦୮: ମଧ୍ୟ ରାତ୍ରିରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା କଲେ ଦୁର୍ବୃତ୍ତ । ଯୁବକ ଜଣକ ନିଜ ଘରକୁ ଫେରୁଥିବା ବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ନାବାଳକ । ମୃତ ଯୁବକ ଜଣକ ଜଗତ ମଲିକ ବୋଲି ଜଣା ପଡ଼ିଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ରଘୁନାଥ ନଗର ୩ ନମ୍ବର ଗଳିରେ ଘଟିଛି ଏହି ହତ୍ୟାକାଣ୍ଡ । ଏକ ତରଫା ପ୍ରେମ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ପୋଲିସ ଜାଣିବାକୁ ପାଇଛି ।
ସୂଚନା ଅନୁଯାୟୀ, ମଧ୍ୟ ରାତ୍ରିରେ ବିଭତ୍ସ ହତ୍ୟାକାଣ୍ଡ । ଜଗତ ମଲିକ ରଘୁନାଥ ନଗରରେ ବାସ କରୁଥିଲେ । ବୁଧବାର ବିଳମ୍ୱିତ ରାତିରେ ସେ ନିଜ ଘରକୁ ଏକ ସ୍କୁଟିରେ ଫେରୁଥିଲେ । ଏହି ସମୟରେ ଘରର କିଛି ଦୂରରେ ପୂର୍ବରୁ ଲୁଚି ରହିଥିଲେ କିଛି ଦୁର୍ବୃତ୍ତ । ରାସ୍ତା ମଝିରେ ଜଗତଙ୍କୁ ପଛପଟୁ ଏକ ଧାରୁଆ ଅସ୍ତ୍ରାରେ ଚୋଟ ପକାଇ ଥିଲେ । ଫଳରେ ଜଗତ ସ୍କୁଟିରେ କିଛିବାଟ ଯିବାପରେ ରାସ୍ତା ଉପରେ ଟଳି ପଡ଼ିଥିଲେ ଏବଂ ସେଠାରେ ହିଁ ପ୍ରାଣ ହରାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବସ୍ଥେଦ ପାଇଁକ୍ୟାପିଟାଲ ହସପିଟାଲକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଉତ୍ତେଜନାକୁ ଆଖି ଆଗରେ ରଖି ଖଣ୍ଡଗିରି ପୋଲିସ ଜଗି ରହିଛି । ତେବେ ଏହି ହତ୍ୟାକାଣ୍ଡ ପରେ ଜଣେ ଅଭିଯୁକ୍ତ ନାବାଳକ ଖଣ୍ଡଗିରି ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି ।