ବ୍ରହ୍ମପୁର, ୩।୧୧: ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିର ଏକ ଚର୍ଚ୍ଚିତ ବିଧାନସଭା ଆସନ । ଏକଦା ରାଜ୍ୟର ପ୍ରଭାବଶାଳୀ ନେତା ବୃନ୍ଦାବନ ନାୟକ ଏହି ଆସନରୁ ଲଗାତାର ନିର୍ବାଚିତ ହୋଇ ଆସୁଥିଲେ । ତା’ ପରେ ସର୍ବାଧିକ କାଳ ନବୀନ ପଟ୍ଟନାୟକଙ୍କ ଦଖଲରେ ରହି ଆସିଛି । ୧୯୫୭ ମସିହାରୁ ଦୀର୍ଘ ୩୨ ବର୍ଷ ଧରି କଂଗ୍ରେସ ହାତରେ ଥିଲା ହିଞ୍ଜିଳି । କେବଳ ମଝିରେ ୧୯୮୦ରୁ ୧୯୮୫ ଜନତା ପାର୍ଟି ଓ ୧୯୯୦ରୁ ୧୯୯୫ ଜନତା ଦଳ ଛଡ଼େଇ ନେଇଥିଲା । ଏହାପରେ ୨୦୦୦ ମସିହାରୁ ଏଯାବତ୍ ବିଜେଡି ଦଖଲରେ ରହି ଆସିଛି । ଗତ ୬୩ ବର୍ଷରେ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଭୋଟର ମାତ୍ର ୪ ଜଣ ବିଧାୟକଙ୍କୁ ଦେଖିଛନ୍ତି । ଲଗାତାର ୨୪ ବର୍ଷ ବୃନ୍ଦାବନ ନାୟକ, ୧୦ ବର୍ଷ ଉଦୟ ନାୟକ ଓ ୫ ବର୍ଷ ହରିହର ସାହୁଙ୍କ ପରେ ପୁଣି ୨୩ ବର୍ଷ ଧରି ନବୀନ ପଟ୍ଟନାୟକ ଏଠାରୁ ବିଧାୟକ ହୋଇ ଆସୁଛନ୍ତି । ଗୁରୁତ୍ୱପୂର୍ଣ୍ଣ ହେଲା, ସାଧାରଣ ନିର୍ବାଚନ ସମୟରେ ହିଞ୍ଜିଳିରୁ ଶଙ୍ଖ ଧ୍ୱନିରେ ପ୍ରଚାର ଆରମ୍ଭ କରନ୍ତି ବିଜେଡି ସୁପ୍ରିମୋ ନବୀନ ।
୧୯୫୭ ମସିହାରେ ହିଞ୍ଜିଳି ବିଧାନସଭା ଆସନ ଗଠିତ ହେବା ପରଠାରୁ ୧୯୮୦ ମସିହା ନିର୍ବାଚନ ପର୍ଯ୍ୟନ୍ତ ଲଗାତାର ୭ ଥର ବୃନ୍ଦାବନ ନାୟକ ନିର୍ବାଚିତ ହୋଇଛନ୍ତି । ୧୯୫୭ରୁ ୧୯୭୧ ଯାଏଁ କଂଗ୍ରେସ, ୧୯୭୪ରେ ଉତ୍କଳ କଂଗ୍ରେସ, ୧୯୭୭ରେ ପୁଣି କଂଗ୍ରେସ, ୧୯୮୦ରେ ଜନତା ପାର୍ଟି ଟିକେଟରେ ସେ ନିର୍ବାଚିତ ହୋଇଛନ୍ତି । ୧୯୮୫ରୁ ୧୯୯୫ ଏହି ତିନୋଟି ନିର୍ବାଚନରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା । ବୃନ୍ଦାବନ ନାୟକ ବ୍ରହ୍ମପୁର ରାଜନୀତିକୁ ସ୍ଥାନାନ୍ତର ହୋଇଥିଲେ । ୧୯୮୫ ନିର୍ବାଚନରେ ସେହି ସ୍ଥାନରେ ବୃନ୍ଦାବନ ନାୟକଙ୍କ ଉତ୍ତରାଧିକାରୀ ଭାବେ ଉଦୟ ନାୟକ କଂଗ୍ରେସ ଟିକେଟରେ ନିର୍ବାଚିତ ହେବା ପରେ ୧୯୯୦ରେ ଜନତା ଦଳ ପ୍ରାର୍ଥୀ ହରିହର ସାହୁ ବିଜୟୀ ହୋଇଥିଲେ । ୧୯୯୫ରେ ଉଦୟ ନାୟକ ପୁଣି କଂଗ୍ରେସ ଟିକେଟରେ ଆସନ ପୁନଃ ଦଖଲ କରିଥିଲେ । ୨୦୦୦ ମସିହା ବିଧାନସଭା ନିର୍ବାଚନ ଠାରୁ ହିଞ୍ଜିଳି ଆସନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଖଲରେ ରହି ଆସିଛି । ହିଞ୍ଜିଳି ବିଧାନସଭା ଆସନରେ ଭୋଟରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ୍ ଦେଖିବାକୁ ମିଳିଛି । ପ୍ରତି ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ଭୋଟ ପରିମାଣ ବୃଦ୍ଧି ଏହାର ମାପକାଠି କୁହାଯାଇପାରେ ।
୨୦୦୦ ମସିହା ନିର୍ବାଚନରେ ନବୀନ ପଟ୍ଟନାୟକ ଏଠାରୁ ପ୍ରଥମ ଥର ପ୍ରାର୍ଥୀ ହୋଇଥିବା ସମୟରେ ୫୬, ୨୪୩ ଭୋଟ ପାଇଥିଲେ । ୨୦୦୪ରେ ୬୨, ୯୩୨, ୨୦୦୯ରେ ୭୨, ୯୪୨, ୨୦୧୪ରେ ୮୯, ୨୬୭ ଓ ୨୦୧୯ ନିର୍ବାଚନରେ ଆହୁରି ଅଧିକ ସଂଖ୍ୟକ ଭୋଟର ନବୀନ ପଟ୍ଟନାୟକଙ୍କ ଫ୍ୟାନ୍ ହୋଇ ଭୋଟ ସଂଖ୍ୟା ୯୪, ୪୩୮ ହୋଇଥିଲା । ଏହି ସମୟରେ ଅନ୍ୟ ରାଜନୈତିକ ଦଳଗୁଡ଼ିକ ଏକପ୍ରକାର ନିଷ୍ପ୍ରଭ ହୋଇଥିବା ଅନୁମାନ କରାଯାଇଥିଲା । ନବୀନ ପଟ୍ଟନାୟକଙ୍କ ଭଳି ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ନିକଟରେ ପ୍ରତିଦ୍ୱନ୍ଦ୍ୱୀ ତାଙ୍କୁ ମୁକାବିଲା କରିବାକୁ ସକ୍ଷମ ହେଉନଥିବା ଅନୁମାନ କରାଯାଇଛି । ୨୦୦୦ ଓ ୨୦୦୪ରେ ବିଜେଡି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ହୋଇଥିଲା । ୨୦୦୦ରେ କଂଗ୍ରେସର ଉଦୟ ନାୟକ ୩୪.୬୫ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ୬୫.୩୫ ପ୍ରତିଶତ ଭୋଟ ପାଇଥିଲେ ।
୨୦୦୪ରେ ବିଜେଡି ୬୨, ୯୩୨ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୨୦, ୩୦୯ ଭୋଟ ପାଇଥିଲେ । ୨୦୦୯ ନିର୍ବାଚନରେ ବିଜେପିର ଦେବାନନ୍ଦ ମହାପାତ୍ର ମାତ୍ର ୭.୭ ଓ କଂଗ୍ରେର ରାଘବ ପରିଡ଼ା ୧୨.୧୭ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେଡିର ନବୀନ ପଟ୍ଟନାୟକ ୭୬.୦୪ ପ୍ରତିଶତ ଭୋଟ ପାଇଥିଲେ । ୨୦୧୪ରେ ବିଜେପିର ଦେବାନନ୍ଦ ମହାପାତ୍ର ୧୦.୦୬, କଂଗ୍ରେସର ଶିବରାମ ପାତ୍ର ୧୦.୩୯ ଓ ବିଜେଡି ୭୩.୧୪ ପ୍ରତିଶତ ଭୋଟ ପାଇଥିଲା । ସେହିପରି ୨୦୧୯ରେ ବିଜେଡି ୬୬.୩୨ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ୨୩.୯୧ ଓ କଂଗ୍ରେସ ୫.୧୨ ପ୍ରତିଶତ ଭୋଟ ପାଇଥିଲା ।