ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ପହଣ୍ଡି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ , ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ କଲେ ଅନୁରୋଧ

ଭୁବନେଶ୍ବର,୧୧।୭ : ପହଣ୍ଡି ବେଳେ ପ୍ରଭୁ ବଳଭଦ୍ର ପଡିଯିବା ଘଟଣାକୁ ନେଇ   ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି  ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ । ସେ ଚିଠିରେ ଦର୍ଶାଇଛନ୍ତି ଯେ ‘ମହାପ୍ରଭୁ ଓଡିଆ ଜାତିର ମୁରବୀ, ଆମ ବିଶ୍ୱାସର କେନ୍ଦ୍ରବିନ୍ଦୁ।  ପହଣ୍ଡି ବେଳେ ଅଘଟଣ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି। ଏଭଳି ଏକ ସ୍ପର୍ଶକାତର ମାମଲାରେ ମନ୍ତ୍ରୀଙ୍କ ହାଲୁକା ମନ୍ତବ୍ୟ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି । ଏ ଦିଗରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାକୁ ନବୀନ ଅନୁରୋଧ  କରିଛନ୍ତି ।

 ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଚିଠିରେ ଲେଖିଛନ୍ତି,  ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଅସ୍ମିତାର ପ୍ରତୀକ । ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ । ସେ ହେଉଛନ୍ତି ଏ ଜାତିର ମଉଡମଣି । ଜଗତର ନାଥ ଜଗନ୍ନାଥ । ମହାପ୍ରଭୁଙ୍କ ରଥଯାତ୍ରାରେ ଭାଗ ନେବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ଆସି ପୁରୀ ଧାମରେ ସମ୍ମିଳିତ ହୋଇଥାନ୍ତି । ସାରା ବିଶ୍ବର କୋଣ ଅନୁକୋଣରେ ରଥଯାତ୍ରା ବିପୁଳ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଇଥାଏ । ଏତଦ୍ ବ୍ୟତୀତ ଟିଭି ଓ ସୋସିଆଲ ମିଡିଆ ଜରିଆରେ ସାରା ବିଶ୍ବର କୋଟି କୋଟି ଜଗନ୍ନାଥପ୍ରେମୀ ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାକୁ ସଂଦର୍ଶନ କରି ଦିବ୍ୟ ଆନନ୍ଦ ଲାଭ କରିଥାନ୍ତି ।

ଚଳିତ ବର୍ଷ ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡିବେଳେ ଯେଉଁ ଅଘଟଣ ଘଟିଲା, ତାହା ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବରେ ବ୍ୟଥିତ କରିଛି । ମୁଁ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ । ମହାପ୍ରଭୁ ହେଉଛନ୍ତି ଓଡିଆ ଜାତିର ଇଷ୍ଟ । ତାଙ୍କର ପହଣ୍ଡି ବେଳେ ଏଭଳି ଅଘଟଣ ଅଶୃତପୂର୍ବ । ଚାରମାଳରେ ପହଣ୍ଡି ସମୟରେ ବଡଠାକୁର ମୁହଁ ମାଡି ପଡିଯିବାର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ । ରଥଯାତ୍ରାର ହଜାର ହଜାର ବର୍ଷର ପରମ୍ପରାରେଏଭଳି ଘଟଣା କେବେ ଘଟି ନ ଥିଲା । ଆଖୁରେ ଦେଖ୍ ମଧ୍ୟ ଏଭଳି ଅଘଟଣକୁ ବିଶ୍ବାସ କରି ହେଲାନାହିଁ ।

ଏଭଳି ସ୍ପର୍ଶକାତର ବିଷୟରେ ରାଜ୍ୟ ମନ୍ତ୍ରୀମଣ୍ଡଳର କିଛି ସଦସ୍ୟ ଯେଭଳି ହାଲୁକା ମନ୍ତବ୍ୟ ଦେଲେ, ତାହା ଜଗନ୍ନାଥ ପ୍ରେମୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି । ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି । ସରକାରଙ୍କ ର ଏଭଳି ଅଭିମୁଖ୍ୟ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତ କରିବାରେ ସମର୍ଥ ହେଲାନାହିଁ ।

 ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଜାତିର ମୁରବୀ । ଆମ ବିଶ୍ବାସର କେନ୍ଦ୍ରବିନ୍ଦୁ । ଏହି ପରିପ୍ରେକ୍ଷୀରେ ମୁଁ ଆପଣଙ୍କୁ ଅନୁରୋଧ  କରୁଛୁ ଯେ ଆପଣ ନିଜେ ଦାୟିତ୍ବ ନେଇ ଏଭଳି ଅଘଟଣ ଯେଭଳି ପୁନରାବୃତ୍ତି ନ ଘଟିବ ତାହା ସୁନିଶ୍ଚିତ କରିବେ । ଏ ଦିଗରେ ଆପଣଙ୍କ ଦୃଷ୍ଟାନ୍ତମୂଳକ ପଦକ୍ଷେପ କୋଟି କୋଟି ଭକ୍ତଙ୍କୁ ଆଶ୍ବସ୍ତ କରିବାରେ ସହାୟକ ହେବ  ବୋଲି ମୋର ବିଶ୍ବାସ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.