ପ୍ରମୂଖ ଖବର

ମାଲକାନଗିରିରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ

ମାଲକାନଗିରି, ୦୧/୦୪ : ଓଡ଼ିଶା ଦିବସ ହେଉଛି ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ଭାବାବେଗର ପ୍ରତୀକ। ୮୯ତମ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଉତ୍ସବକୁ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହକାରେ ମାଲକାନଗିରି ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଆୟୋଜନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସଚିନ ପାୱାର ଏଥିରେ ଯୋଗଦାନ କରି ମହାତ୍ମାଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସମେତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। 

ଓଡ଼ିଶା ଦିବସ ଓଡ଼ିଆଙ୍କ ଅସ୍ମିତାର ମହୋତ୍ସବ। ଜଣେ ଓଡ଼ିଆ ଭାବରେ ଆମର ଗୌରବମୟ ଇତିହାସ, ଆମ ଭାଷା, ଆମ ସାହିତ୍ୟ ଓ ଆମ ସଂସ୍କୃତିକୁ ସାଥିରେ ଧରି ଆମକୁ ବଢ଼ିବାକୁ ହେବ। ଯାହା ଦ୍ବାରା ବିକାଶ ହେବ। ଶ୍ରେଷ୍ଠ  ଏବଂ ସଶକ୍ତ ଓଡ଼ିଶା ଗଠନ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ କହିଛନ୍ତି। ସେହିପରି ଆମ ପୂର୍ବସୁରୀମାନେ ଯେଉଁ ସଂଗ୍ରାମ, ତ୍ୟାଗ ଓ ବଳିଦାନ ଦେଇ ଆମ ରାଜ୍ୟକୁ ଗଢିଥିଲେ ସେମାନଙ୍କ ପଦାଙ୍କ ଅନୁସରଣ କରି ଯୁବପିଢି ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଆହ୍ଵାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ, ବିଶ୍ଵନାଥ ସାହୁ, ଜିଲ୍ଲା ନିୟୋଜନ ଓ ଦକ୍ଷତା ଅଧିକାରୀ, ମନସ୍ୱୀ ସେଠୀ, ତହସିଲଦାର, ଡ଼ଃ ଲଳିତ ବାଘ ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସସ୍ମିତା ସ୍ୱାଇଁ ,ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ ପ୍ରମୁଖ ବିଶିଷ୍ଠ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ବରପୁତ୍ର ମାନଙ୍କର ସ୍ମୃତିଚାରଣ କରିଥିଲେ। 

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ। ଆଜି ପୂର୍ବାହ୍ନରେ ସହରର ଅନ୍ୟାନ୍ୟ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ପ୍ରଭାତରେ ଡ଼ାକବାଜି ଯନ୍ତ୍ର ଯୋଗେ ଉତ୍କଳ ବନ୍ଦନା ବଜାଇ ପରିକ୍ରମା କରାଯାଇଥିଲା। ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ। ପରିଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ, ସନ୍ତ୍ରାସ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସତ୍ୟ ନାରାୟଣ ଓ ଘଡେଇ ଆବାସିକ ମହାବିଦ୍ୟାଳୟ, ଆଇଏମଏସଟି ବିଦ୍ୟାଳୟର ବିଦ୍ୟାର୍ଥୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ହରେକୃଷ୍ଣ କୀର୍ତ୍ତନିଆ, ରଞ୍ଜନ ମହାନ୍ତିଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଏବଂ ଜିଲ୍ଲା ସଂସ୍କୃତି ବିଭାଗର କର୍ମଚାରୀ ସହଯୋଗ କରିଥିଲେ। ଅନୁରୂପ ଜିଲ୍ଲା ଓକିଲ ସଂଘ ପକ୍ଷରୁ ମଧ୍ୟ ଜିଲ୍ଲା ଅଦାଲତ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଠିକ୍ ସେହିପରି ଉତ୍କଳ ସାହିତ୍ୟ ସମାଜ ଓ ଉତ୍କଳ ସମ୍ମିଳନୀ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ମଧ୍ୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.