ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦେଶର ପଞ୍ଚମରେ ବୃହସ୍ପତ ଥିବାରୁ ମିଳିବ ଶୁଭଫଳ, ରାଜ୍ୟ ଉପରେ ପଡିପାରେ ବାତ୍ୟା ପ୍ରଭାବ

ପୁରୀ,୨୮/୦୩: ଦୋଳପୂର୍ଣ୍ଣମୀରେ ଦୋଳବେଦିରେ ପଢ଼ା ହୋଇଛି ପାଞ୍ଜି । ଚଳିତ ବର୍ଷ ଦେଶ ଓ ରାଜ୍ୟ ନିମନ୍ତେ କେତେ ଶୁଭାଶୁଭ ତାହା ପାଞ୍ଜି ପଢ଼ି ଶୁଣାଇଛନ୍ତି ପଞ୍ଜିକାର ବା ଜ୍ୟୋତିଷ । ଗଜପତି ଦିବ୍ୟସିଂହ ଦେବଙ୍କ ରାଜନଅର ଜ୍ୟୋତିଷ ତଥା ରାଜପଣ୍ଡିତ ଶିବନାରାୟଣ ମହାପାତ୍ର  ଚଳିତ ବର୍ଷର ଶୁଭଅଶୁଭ ଫଳାଫଳ ଘୋଷଣା କରିଛନ୍ତି । ତାଙ୍କ ଆକଳନ  ଅନୁସାରେ ଦେଶକୁ ଚଳିତ ବର୍ଷ ଖୁବ୍‌  ଶୁଭଫଳ ମିଳିବ, ଯେତେବେଳେ କି  ରାଜ୍ୟ ନିମନ୍ତେ ବିଶେଷ ଶୁଭଫଳ ମିଳିବନି । 

ସେ କହିଛନ୍ତି, ଏବର୍ଷ ରାଜା  ଚନ୍ଦ୍ର ଓ ମନ୍ତ୍ରୀ ରବି ରହିଛନ୍ତି । ଏଭଳି  ଯୋଗ ରହିଥିବାରୁ ପ୍ରଜାମାନେ ସାମାନ୍ୟ ପୀଡ଼ିତ ରହିବେ । ଆମ ଦେଶର ମକର ରାଶି ହୋଇଥିବାରୁ  ଶନି, ବୃହସ୍ପତିଙ୍କ ସମେତ ଅନ୍ୟ  ରାଶିଙ୍କ ଶୁଭ ଦୃଷ୍ଟି ରହିଛି । ତେଣୁ  କେନ୍ଦ୍ରସ୍ଥଳରେ ବିଶେଷ କିଛି ଅସୁବିଧା  ନାହିଁ । କଥାରେ ଅଛି ୫୦ ମରୁଡ଼ି,  ୧୦୦ରେ ଧୋଇ, ୮୦/୯୬ କ୍ଷେତ  ଦଳେଇ । ଅର୍ଥାତ୍‌ ୫୦ ଦିନରୁ କମ୍‌  ବର୍ଷା ହେଲେ ମରୁଡ଼ି, ୧୦୦ ଦିନରୁ  ଅଧିକ ବର୍ଷା ହେଲେ ବଢ଼ି ଓ ୮୦ରୁ  ୯୬ ଦିନ ବର୍ଷା ହେଲେ ଭଲ ଶସ୍ୟ  ଅମଳ ହୋଇଥାଏ । ଏବର୍ଷ ୯୬ଦିନ  ବର୍ଷା ପାଳକ ରହିଛି । ଏଥିଯୋଗୁ  ଭଲ କୃଷି ଉତ୍ପାଦନ ହେବା କଥା ।  ଯେହେତୁ ମେଘର ଅବସ୍ଥା ବାଳକ,  ତେଣୁ ସମସ୍ତ ସ୍ଥାନରେ ବୃଷ୍ଟି ଠିକ୍‌  ଭାବେ ହେବନି । କେଉଁଠି ଅଧିକ  ବୃଷ୍ଟି ହେବ ତ କେଉଁଠି କମ୍‌ ହେବ ।  ସେହିପରି ଜ୍ୟୋତିଷ ଗଣନାରେ  ଗଣ୍ଡା’ ହିସାବ ଲାଗିଲେ ଶସ୍ୟ ଆୟ  ଭଲ ହୁଏ । ଚଳିତ ବର୍ଷ ଶସ୍ୟ ଆୟ  ୪ ବିଶ୍ୱା ୪ ଗଣ୍ଡା ରହିଛି । ଶସ୍ୟ, ସୁନା, ରୁପାର ମାଲିକ ଚଳିତ ବର୍ଷ  ଗୋପାଳୁନି ରହିଛନ୍ତି । ଗୋପାଳୁନିଙ୍କ  ହାତରେ ଏସବୁ ରହିଲେ ସବୁକିଛି  ସୁରୁଖୁରୁରେ ଚଳେଇ ନେଇପାରନ୍ତି । 

ଆମ ରାଜ୍ୟର ରାଶି ବୃଷ । ଦୁଇଟି  ଗ୍ରହର ଖରାପ ପ୍ରଭାବ ରାଜ୍ୟ ଉପରେ  ପଡ଼ିବ । ପଞ୍ଚଗ୍ରହ କୁଟ ଯୋଗ ଓଡ଼ିଶା ଉପରେ ରହିଛି । ଏଥିସହ ବୃହସ୍ପତି ଜନ୍ମ ରାଶିକୁ ଆସୁଛନ୍ତି । ଏହା ପ୍ରଜା ଓ  ରାଜ୍ୟ ପାଇଁ ବିଶେଷ ଭଲ ନୁହେଁ । ରାଜ୍ୟ  ଉପରେ ବାତ୍ୟା ପ୍ରଭାବ ପଡ଼ିବା ଆଶଙ୍କା  ରହିଛି । ପ୍ରଜାମାନେ ପୀଡ଼ିତ ରହିବେ ।  ଶନି ଗ୍ରହ କୁମ୍ଭ ରାଶିରେ ଥିବା ବେଳେ  ପ୍ରାୟ ୧୦ ମାସ ପରେ ଅର୍ଥାତ୍‌ ଆସନ୍ତା  ବର୍ଷ ମୀନ ରାଶିକୁ ଗମନ କରିବେ ।  ଏହି ସମୟ ଭିତରେ ଅର୍ଥ, ଆସ୍ଥାନ,  ଧନ ପ୍ରଭୃତି ୫ ସ୍ଥାନରେ ଶନି ଅଧିପତି  ରହିଛନ୍ତି । ତେଣୁ ଏହା ଶୁଭଦାୟକ  ହୋଇନଥିବାରୁ ବିଭିନ୍ନ ପ୍ରକାର ଦ୍ୱନ୍ଦ୍ୱ,  ଗଣ୍ଡଗୋଳ ପରିସ୍ଥିତି ଉପୁଯିବ ।  ପ୍ରଜାମାନେ ବିଭିନ୍ନ ପ୍ରକାର କଷ୍ଟ ପାଇବେ । 

ରାଜନୈତିକ ଦୃଷ୍ଟିକୋଣରୁ  ଭାରତ ସରକାରରେ ଥିବା ଦଳ ପାଇଁ  ବିଶେଷ ଶୁଭଙ୍କର ସ୍ଥିତି ଆସିବ ।  ମକର, କନ୍ୟା, ମିଥୁନ, ସିଂହକୁ ବିଶେଷ ଭଲ ରହିଛି । ବୃଷ, କୁମ୍ଭ,  ମୀନ ରାଶିକୁ ବିଶେଷ ଅଶୁଭ ଫଳ  ରହିଛି । ରାଜ୍ୟ ପାଇଁ ଚଳିତ ବର୍ଷ ଅଗ୍ନି  ହନୁମାନଙ୍କ ଲାଙ୍ଗୁଡ଼ରେ ରହିଛି । ତେଣୁ  ଅଗ୍ନିକାଣ୍ଡର ଅନେକ ଘଟଣା ସାମ୍ନାକୁ  ଆସିବା ସମ୍ଭାବନା ରହିଛି । 

ବୃହସ୍ପତି ଯେତେବେଳେ ବୃଷ  ରାଶିକୁ ପ୍ରବେଶ କରିବେ ପଞ୍ଚଗ୍ରହ  କୁଟ ସ୍ଥିତି ଉତ୍ପନ୍ନ ହେବ । ତେଣୁ ଏହି  ସ୍ଥିତିରେ ପଞ୍ଚଗ୍ରହ ବା ରବି, ଚନ୍ଦ୍ର, ବୁଧ,  ବୃହସ୍ପତି ଓ ରାହୁଙ୍କୁ ଶାନ୍ତ ରଖିବା ନିମନ୍ତେ  ବିଶେଷ ପୂଜାପାଠର ଆୟୋଜନ କରିବା  ଉଚିତ୍‌ । ଶିବାଳୟରେ ଥିବା ଗ୍ରହମାନଙ୍କୁ  ଶ୍ରଦ୍ଧାଳୁମାନେ ପୂଜାପାଠ କରି ବିଘ୍ନ ଦୂର  କରିପାରିବେ । ଶ୍ରୀମନ୍ଦିର ଯେକୌଣସି  ଦ୍ୱାରରେ ବୃହସ୍ପତିଙ୍କ ନିମନ୍ତେ ଯଜ୍ଞ ଓ  ଦାନ କରି ଶ୍ରଦ୍ଧାଳୁମାନେ ମଧ୍ୟ ଶୁଭ ଫଳ  ପାଇପାରିବେ । 

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗଣନା  କରି ପାଞ୍ଜିରେ ଚଳିତ ବର୍ଷ ପାଇଁ  ଫଳାଫଳ ଲିଖିତ ହୋଇଛି । ସରସ୍ୱତୀ  ପୂଜା ଦିନ ମହାପ୍ରଭୁଙ୍କ ପାଖରେ  ଗୁପ୍ତରେ ପୂଜା କରାଯାଏ । ଫାଲଗୁନ  ଶୁକ୍ଳ ପୂର୍ଣ୍ଣମୀ ଦିନ ମହାପ୍ରଭୁଙ୍କ  ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ  ଦୋଳବେଦୀରେ ବିଜେ କରିଥିବା  ବେଳେ ପାଞ୍ଜି ପାଠ ହୋଇଥାଏ ।  ସତ୍ୟଯୁଗରେ ବୃହସ୍ପତି ପଞ୍ଜିକାର  ଭାବେ ନାରାୟଣ ଓ ମହାଦେବଙ୍କୁ  ବର୍ଷକର ତିଥି, ଲଗ୍ନ, ଶୁଭ, ଅଶୁଭ,  ହାନି, ଲାଭ ପ୍ରଭୃତି ଫଳାଫଳ  ବିଷୟରେ ପଢ଼ି ଶୁଣାଉଥିଲେ । ଏହାକୁ  ଅନୁକରଣ କରି ଜ୍ୟୋତିଷମାନେ ପରେ  ମୃତ୍ୟୁଲୋକବାସୀଙ୍କୁ ଦିବ୍ୟଜ୍ଞାନ ଲାଭ  ନିମନ୍ତେ ପାଞ୍ଜି ପଢ଼ି ଶୁଣାଉଛନ୍ତି ବୋଲି  ଶ୍ରୀ ମହାପାତ୍ର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.