ନୂଆଦିଲ୍ଲୀ,୧୮/୦୯: ମୋଦୀ ସରକାରଙ୍କ କ୍ୟାବିନେଟ ବୈଠକକୁ ନେଇ ଏକ ବଡ଼ ସୂଚନା ଆସିଛି। ସୂଚନାନୁସାରେ, ମୋଦୀ କ୍ୟାବିନେଟ ବୈଠକରେ 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟକୁ କ୍ୟାବିନେଟ ବୈଠକରେ ଆଲୋଚନା କରାଯାଇଛି।
ଗୋଟିଏ ରାଷ୍ଟ୍ର-ଗୋଟିଏ ନିର୍ବାଚନ ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ୨ ସେପ୍ଟେମ୍ବର ୨୦୨୩ ରେ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ଚଳିତ ବର୍ଷ ମାର୍ଚ୍ଚ ୧୪ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଥିଲା। ୧୯୧ ଦିନ ଧରି ଅନେକ ବିଶେଷଜ୍ଞ ଓ ରାଜନୈତିକ ଦଳର ବହୁ ବରିଷ୍ଠଙ୍କ ସହ ଆଲୋଚନା କରିବା ପରେ କମିଟି ୧୮ ହଜାର ୬୨୬ ପୃଷ୍ଠାର ଏକ ରିପୋର୍ଟ ଦାଖଲ କରିଥିଲା। ଏଥିରେ ସମସ୍ତ ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଥିଲା, ଯାହା ଦ୍ବାରା ଆସନ୍ତା ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ମଧ୍ୟ ହୋଇପାରିବ।
ମଙ୍ଗଳବାର ଦିନ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ୧୦୦ ଦିନ ପୂରଣ ହେବା ଅବସରରେ ଗୃହମନ୍ତ୍ରୀ ଅମିତ ଶାହା 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ସମ୍ପର୍କରେ ଏକ ବଡ଼ ଘୋଷଣା କରିଥିଲେ। ଶାହା କହିଥିଲେ ଯେ 'ଏହି କାର୍ଯ୍ୟକାଳ ମଧ୍ୟରେ ମୋଦୀ ସରକାର 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' କାର୍ଯ୍ୟକାରୀ କରିବେ। ଏହାପୂର୍ବରୁ ବିଜେପି ଲୋକସଭା ନିର୍ବାଚନ ପାଇଁ ନିଜର ନିର୍ବାଚନୀ ଇସ୍ତାହାରରେ 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ'ର ପ୍ରତିଶୃତି ମଧ୍ୟ ସାମିଲ କରିଥିଲେ।
'ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ'କୁ ନେଇ ଦାଖଲ ହୋଇଥିବା ଏହି ରିପୋର୍ଟରେ ଝୁଲା ବିଧାନସଭା ପରିସ୍ଥିତି ଏବଂ ଅବିଶ୍ବାସ ପ୍ରସ୍ତାବ ଗତିବିଧି ସମ୍ପର୍କରେ ମଧ୍ୟ ପରାମର୍ଶ ଦିଆଯାଇଛି। ଏଭଳି ପରିସ୍ଥିତିରେ ବିଧାନସଭାର ଅବଶିଷ୍ଟ ଅବଧି ପାଇଁ ନିର୍ବାଚନ ହୋଇପାରିବ ବୋଲି କମିଟି ସୁପାରିଶ କରିଛି। ଏହି ରିପୋର୍ଟରେ ସାରା ଦେଶରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କମିଟି ଅନୁଯାୟୀ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟରେ ଏକାସାଙ୍ଗରେ ଅନୁଷ୍ଠିତ ହେବା ଉଚିତ୍। ଏହା ପରେ, ଦ୍ୱିତୀୟ ପର୍ଯ୍ୟାୟରେ, ୧୦୦ ଦିନ ଭିତରେ ସ୍ଥାନୀୟ ସଂସ୍ଥା ପାଇଁ ନିର୍ବାଚନ କରାଯାଇପାରିବ।