ଲାହୋର/ଇସ୍ଲାମାବାଦ,୧୩/୦୨: ପାକିସ୍ତାନରେ ମେଣ୍ଟ ସରକାର ଗଠନ କରିବାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପିଏମ୍ଏଲ୍-ଏନ୍ ଏବଂ ପୂର୍ବତନ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ପିପିପି ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପିଏମ୍ଏଲ୍-ଏନ୍ ୩ ବର୍ଷ ପାଇଁ ଏବଂ ପିପିପି ୨ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ପଦରେ ରହିବ । ୪ଟି ପ୍ରଦେଶରେ ମଧ୍ୟ ମିଳିତ ସରକାର ଗଠନ ଲାଗି ସହମତି ପ୍ରକାଶ ପାଇଛି । ସେଠାରେ ମେଣ୍ଟଦଳ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ । ଗତ ୨୦୧୩ରେ ପିଏମ୍ଏଲ-ଏନ୍ ଏବଂ ଏନ୍ପି (ନ୍ୟାସନାଲ ପାର୍ଟି) ମଧ୍ୟରେ ସିନ୍ଧ ପ୍ରଦେଶରେ ଏହି ଫର୍ମୁଲାରେ ସରକାର ଗଠନ କରାଯାଇଥିଲା ।
ଗତ ରବିବାର ଲାହୋରସ୍ଥିତ ବିଲାୱଲ ହାଉସ୍ରେ ପିଏମ୍ଏଲ୍-ଏନ୍ ଏବଂ ପିପିପିର ବରିଷ୍ଠ ନେତାଙ୍କ ମଧ୍ୟରେ ସରକାର ଗଠନ ନେଇ ଆଲୋଚନା ହୋଇଥିଲା । ସରକାର ଗଢ଼ିବାକୁ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳି ନଥିବାରୁ ଦେଶକୁ ରାଜନୈତିକ ସଙ୍କଟରୁ ରକ୍ଷା କରିବାକୁ ହେଲେ ମେଣ୍ଟ ସରକାର ଗଢ଼ିବାକୁ ସେମାନେ ରାଜି ହୋଇଛନ୍ତି । ବୈଠକରେ ପିଏମ୍ଏଲ୍-ଏନ୍ ନେତା ଶାହାବାଜ ସରିଫ ଏବଂ ପିପିପି ନେତା ଆସିଫ ଅଲି ଜର୍ଦ୍ଦାରି ଏବଂ ବିଲାୱଲ ଭୁଟ୍ଟୋ ଉପସ୍ଥିତ ଥିଲେ । ବୈଠକରେ ଉଭୟ ଦଳ ପକ୍ଷରୁ ଏକ ମିଳିତ ଘୋଷଣାନାମା ପ୍ରକାଶ ପାଇଛି ।
ଯେଉଁଥିରେ ସରକାର ଗଠନ ପାଇଁ ଦୁଇଦଳ ସହମତ ହୋଇଥିବା କହିଛନ୍ତି । କିନ୍ତୁ କିଭଳି ସରକାର ଗଠନ ହେବ ସେକଥା ଉଭୟ ଦଳ କହିନାହାନ୍ତି । ତେବେ ସୂତ୍ର ଅନୁସାରେ ପ୍ରଥମେ ନୱାଜ ସରିଫ ୩ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ରହିବେ । ଏହା ପରେ ବିଲାୱଲ ଭୁଟ୍ଟୋ ୨ ବର୍ଷ ପ୍ରଧାନମନ୍ତ୍ରୀ ହେବେ । ସେହିଭଳି ସଂଘୀୟ ସରକାର ସହିତ ପଞ୍ଜାବ, ସିନ୍ଧ, ବେଲୁଚିସ୍ତାନ ଓ ଖାଇବର ପାଖତୁନଖ୍ୱା ପ୍ରଦେଶରେ ମଧ୍ୟ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିନାହିଁ । ତେଣୁ ସେଠାରେ ମେଣ୍ଟ ସରକାର ଗଠନ କରାଯିବ । ମେଣ୍ଟ ସରକାର ଗଠନ ନେଇ ନୱାଜ ସରିଫ ଏମ୍କ୍ୟୁଏମ୍-ପି ଏବଂ ଜେୟୁଆଇ-ଏଫ ନେତାଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଦଳ କେନ୍ଦ୍ରରେ ଓ ପ୍ରାଦେଶିକ ସ୍ତରରେ ମେଣ୍ଟ ସରକାରରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି