ପ୍ୟାରିସ୍,୦୧/୦୯: ଚଳିତ ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତୀୟ ସୁଟରଙ୍କ ଆଧିପତ୍ୟ ଜାରି ରହିଛି । ଶନିବାର ତୃତୀୟ ଦିବସରେ ମହିଳା ସୁଟର ରୁବିନା ଫ୍ରାନ୍ସିସ୍ ବ୍ରୋଞ୍ଜ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି । ସେ ମହିଳା ୧୦ମିଟର ଏୟାର ପିସ୍ତଲ (ଏସ୍ଏଚ୍-୧) ଇଭେଣ୍ଟରେ ଏହି ପଦକ ଜିତିଛନ୍ତି ।ଭାରତର ପ୍ରଥମ ମହିଳା ପିସ୍ତଲ ସୁଟର ଭାବେ ପାରାଲିମ୍ପିକ୍ସ ପଦକ ଜିତି ଇତିହାସ ପୃଷ୍ଠାରେ ନିଜ ନାମ ଲେଖାଇଛନ୍ତି ରୁବିନା । ପ୍ୟାରିସ୍ କ୍ରୀଡ଼ାରେ ସୁଟିଂରେ ଭାରତକୁ ଚତୁର୍ଥ ପଦକ ମିଳିଛି । ଗତ ଶୁକ୍ରବାର ମହିଳା ୧୦ମି. ଏୟାର ରାଇଫଲ୍ ଷ୍ଟାଣ୍ଡିଂ ଇଭେଣ୍ଟରେ ଅବନୀ ଲେଖରା ସ୍ୱର୍ଣ୍ଣ ଓ ମୋନା ଅଗ୍ରୱାଲ ବ୍ରୋଞ୍ଜ, ୧୦ ମିଟର ଏୟାର ପିସ୍ତଲରେ (ଏସ୍ଏଚ୍୧) ମନୀଷ ନରୱାଲ ରୌପ୍ୟ ପଦକ ଜିତିଥିଲେ। ରୁବିନାଙ୍କ ଐତିହାସିକ ସଫଳତା ସହ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।
ମହିଳା ୧୦ମିଟର ଏୟାର ପିସ୍ତଲ ଫାଇନାଲ୍ରେ ରୁବିନା ମୋଟ ୨୧୧.୧ ପଏଣ୍ଟ ସହ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅନ୍ୟ ପଟରେ ଇରାନର ସରେହ ଜାଭନମାର୍ଡି (୨୩୬.୮) ସ୍ୱର୍ଣ୍ଣ ଏବଂ ତୁର୍କୀର ଆୟସେଲ ଓଜଗାନ (୨୩୧.୧) ରୌପ୍ୟ ପଦକ ହାସଲ କରିଛନ୍ତି । ଓଜଗାନଙ୍କ ନାମରେ ପୂର୍ବରୁ ବିଶ୍ୱ ରେକର୍ଡ଼ ରହିଛି । ପୂର୍ବରୁ ଯୋଗ୍ୟତା ରାଉଣ୍ଡ୍ରେ ରୁବିନା ମୋଟ ୫୫୬ ପଏଣ୍ଟ ସ୍କୋର ସହ ସପ୍ତମ ସ୍ଥାନରେ ରହି ଫାଇନାଲ୍ରେ ପ୍ରବେଶ କରିଥିଲେ । ସେ ତୃତୀୟ ଓ ପଞ୍ଚମ ସିରିଜରେ ୯୫ ପଏଣ୍ଟ ଏବଂ ଅନ୍ତିମ ସିରିଜରେ ୯୪ପଏଣ୍ଟ ହାସଲ କରିଥିଲେ । ଗତ ଟୋକିଓ ପାରାଲିମ୍ପିକ୍ସରେ ରୁବିନା ଫାଇନାଲ୍ରେ ପ୍ରବେଶ କରିଥିଲେ ମଧ୍ୟ ପଦକ ସ୍ୱପ୍ନ ପୂରଣ କରିବାରେ ବିଫଳ ହୋଇଥିଲେ ।
ପୁରୁଷ ୧୦ମିଟର ଏୟାର ରାଇଫଲ୍ ଷ୍ଟାଣ୍ଡିଂ (ଏସ୍ଏଚ୍-୧)ରେ ଭାରତର ସ୍ୱରୂପ ମହାବୀର ଉନ୍ହାଲକର ନିରାଶ କରିଥିଲେ । ସେ ଯୋଗ୍ୟତା ରାଉଣ୍ଡ୍ରେ ମୋଟ ୬୧୩.୪ ପଏଣ୍ଟ ସହ ୧୪ତମ ସ୍ଥାନରେ ରହି ବିଦାୟ ନେଇଥିଲେ ।