ନୂଆଦିଲ୍ଲୀ: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ସମୟରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚନ୍ଦ୍ରାୟଣ ୩ ର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସଂସଦର ସ୍ୱତନ୍ତ୍ର ଅଧିବେଶନ ଏବଂ ଜି -20 ବୈଠକ ପୂର୍ବରୁ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହି ସମୟରେ ଉଭୟଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।
ରାଷ୍ଟ୍ରପତି କାର୍ଯ୍ୟାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (ପୂର୍ବରୁ ଟ୍ୱିଟର) ରେ ବୈଠକର ପଟୋ ସେୟାର କରି କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପ୍ରତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ତାଙ୍କୁ ଏକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଏବଂ ଭାରତର ଚନ୍ଦ୍ରଯାନ- ୩ମିଶନର ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Prime Minister Shri @narendramodi called on President Droupadi Murmu at Rashtrapati Bhavan. The President welcomed him with a bouquet and expressed compliments for the success of India’s Chandrayaan-3 mission. pic.twitter.com/VKVrWPfu3k
— President of India (@rashtrapatibhvn) September 2, 2023
ତେବେ ସେପ୍ଟେମ୍ବର ୧୮ ରେ କେନ୍ଦ୍ର ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରେ ହୋଇଥିବା ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ସଂସଦର ସ୍ୱତନ୍ତ୍ର ଅଧିବେଶନ ସମ୍ପର୍କରେ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି ।
ସୂଚନାଥାଉକି, ଯେ ପିଏମ ମୋଦୀ ୬ ସେପ୍ଟେମ୍ବରରେ ଇଣ୍ଡୋନେସିଆ ଗସ୍ତରେ ଯାଉଛନ୍ତି ଏବଂ ଏହା ପରେ ସେ ୯ ଓ ୧୦ ସେପ୍ଟେମ୍ବରରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀରେ ବ୍ୟସ୍ତ ରହିବେ । ଦେଶରେ ଜି -20 ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଚାଲିଛି । ଏହି ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବିଭିନ୍ନ ଦେଶର ବରିଷ୍ଠ ନେତା ମାନେ ଅଂଶଗ୍ରହଣ କରିବେ ।